ନବୀନଙ୍କ ନୂଆ ରଣନୀତି: ମୋଦୀଙ୍କ ବେଳେ ଚୁପ୍, ମୋହନ ସରକାରଙ୍କ ବିରୋଧରେ ଶାଣିତ ସ୍ବର
ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସରକାର ବିରୋଧରେ ଆକ୍ରମଣାତ୍ମକ ରଣନୀତି ଆପଣାଇବାକୁ ଯାଉଛି ବିଜେଡି । ମୋହନ ମାଝୀ ସରକାରଙ୍କୁ ଘେରିବା ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି। ଗତକାଲି ଅନୁଷ୍ଠିତ ପିଏସି ବୈଠକରେ ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି । MMDR ସଂଶୋଧନ ବିଲ୍, ଚାଷୀଙ୍କ ସମସ୍ୟା ଓ ବହି ବିଭ୍ରାଟ ଭଳି ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାକୁ ବିଜେଡି ଯୋଜନା କରିଛି ।
ବିଧାନସଭାରେ ପ୍ରସଙ୍ଗ ଉଠାଇବା ସହ ଏହାକୁ ନେଇ ଲୋକଙ୍କ ପାଖକୁ ଯିବାକୁ ଦଳ ନିଷ୍ପତ୍ତି ନେଇଛି । MMDR ସଂଶୋଧନ ବିଲ୍ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ଏହା ଯୋଗୁଁ ଓଡ଼ିଶା ଆର୍ଥିକ କ୍ଷତି ସହିବ ବୋଲି ଦଳ ଦାବି କରିଛି । ଏନେଇ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ସର୍ବଦଳୀୟ ବୈଠକ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି ।
୨୦୨୪ ନିର୍ବାଚନ ପରେ ନବୀନ ପଟ୍ଟନାୟକ କେନ୍ଦ୍ରର ମୋଦୀ ସରକାର ବିରୋଧରେ ସେଭଳି ଆକ୍ରମଣାତ୍ମକ ଭୂମିକା ନେଇନଥିବା ବିଜେଡି ବିରୋଧୀଙ୍କ ଅଭିଯୋଗ ରହିଛି । ଏପରିକି ବିଭିନ୍ନ ବିରୋଧୀ ଦଳର ପ୍ରତିବାଦରେ ମଧ୍ୟ ବିଜେଡି ସାମିଲ ହୋଇନଥିଲା । କିନ୍ତୁ ଏବେ ରାଜ୍ୟରେ ମୋହନ ସରକାରଙ୍କ ବିରୋଧରେ ନବୀନଙ୍କ ସ୍ବର ଶାଣିତ ହୋଇଛି ।ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ବିରୋଧରେ ଜନମତ ତିଆରି କରିବାକୁ ବିଜେଡି ଜୋରଦାର ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق