ବ୍ରହ୍ମାକୁମାରୀସ୍, ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ପରିବହନ ଏବଂ ଯାତ୍ରା ବିଭାଗ ତରଫରୁ ରାଷ୍ଟ୍ରୀୟ ସମ୍ମିଳନୀ
ବ୍ରହ୍ମପୁର (ମଣିଭଦ୍ରା ଖବର) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ପରିବହନ ଏବଂ ଯାତ୍ରା ବିଭାଗ ତରଫରୁ ସଡକ ନିରାପତ୍ତା ସମ୍ବନ୍ଧୀୟ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଆଲୋଚ୍ୟ ବିଷୟ ଥିଲା ’ସଡ଼କ ମାର୍ଗରେ ଆଧ୍ୟାତ୍ମିକତା ଏବଂ ମୂଲ୍ୟ' । ଉକ୍ତ ସମ୍ମିଳନୀକୁ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟ ପରିବହନ, ବାଣିଜ୍ୟ ଖଣି ଏବଂ ଇସ୍ପାତ ବିଭାଗ ମନ୍ତ୍ରୀ ଭ୍ରାତା ବିଭୂତି ଭୂଷଣ ଜେନା ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଉଦଘାଟନ କରି କହିଥିଲେ ଯେ, ଜୀବନ ଏକ ଯାତ୍ରା ଅଟେ ଏବଂ ଆମେ ସମସ୍ତେ ନିଜ କର୍ତ୍ତବ୍ୟ ସମ୍ପାଦନ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରୁ । କିନ୍ତୁ ଜୀବନର ଭାଗ ଦୌଡରେ ସମୟାଭାବରୁ ଦ୍ରତ ଗାଡି ଚାଳନା କରିବାକୁ ବାଧ୍ୟ ହୋଇଥାଉ । ସେହି କାରଣରୁ ଦୈନନ୍ଦିନ ଅନେକ ଦୁର୍ଘଟଣା ଘଟି ଅଗଣିତ ଧନ ଜୀବନର କ୍ଷତି ହେଉଅଛି । ଯେପରିକି ଭୌତିକ ବିକାଶର ପଛେ ପଛେ ବିନାଶ ମଧ୍ୟ ଅବଶ୍ୟମ୍ଭାବୀ ହୋଇପଡୁଅଛି । ଏଣୁ ଯାତ୍ରା ଏବଂ ପରିବହନ କ୍ଷେତ୍ରରେ ଆଧ୍ୟାତ୍ମିକତାର ହୃଦବୋଧ, ମୂଲ୍ୟପାଳନ ଏବଂ ଶୃଙ୍ଖଳିତ ଜୀବନ ଦ୍ବାରା ଆମେ ବର୍ତ୍ତମାନର ଜୀବନକୁ ସୁରକ୍ଷିତ ଏବଂ ସମୃଦ୍ଧ କରି ଭବିଷ୍ୟତରେ ନିଜକୁ ଦିବ୍ୟାତ୍ମାରେ ପରିଣତ କରିବାର ପୁରୁଷାର୍ଥ କରିପାରିବା । ପରିବହନ ଓ ଯାତ୍ରା ବିଭାଗର ରାଷ୍ଟ୍ରୀୟ ସଂଯୋଜିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ କବିତା ମୁଖ୍ୟବକ୍ତା ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ଘରୁ ବାହାରିବା କ୍ଷଣି ଆମ ଦାୟିତ୍ବ ବଢ଼ିଯାଏ, ଏଣୁ ଯାତ୍ରା ସମୟରେ କେତୋଟି ଧ୍ୟାନ ଯୋଗ୍ୟ ବିଷୟ - ଗାଡ଼ିର ଗତିକୁ ନିୟନ୍ତ୍ରିତ ରଖିବା, ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିବା, ନିରାପଦ ଦୂରତ୍ବ ବଜାୟ ରଖିବା, ଗାଡ଼ିକୁ ଓଭରଲୋଡ ନ କରିବା, ନିଶାଦ୍ରବ୍ୟ ଯେପରିକି ଗୁଟଖା, ଭାଙ୍ଗ, ସିଗାରେଟ ଏବଂ ମାଦକ ଦ୍ରବ୍ୟ ସେବନରୁ ନିବୃତ୍ତ ରହିବା ଉଚିତ । ଏତଦବ୍ୟତୀତ ହେଲମେଟ, ସିଟ୍ ବେଲ୍ଟ ବାନ୍ଧିବା, ମାନସିକ ସନ୍ତୁଳନ, ଆତ୍ମ ସଂଯମ ଏବଂ ଏକାଗ୍ରତାର ଅଭ୍ୟାସ ଦ୍ବାରା ସଡ଼କ ନିରାପତ୍ତା ସମ୍ବନ୍ଧୀୟ ସମସ୍ତ ନିୟମ ପାଳନ କରିବା ସକାଶେ ଭଗିନୀ କବିତା ସଚେତନ ଓ ମାର୍ଗଦର୍ଶନ କରାଇଥିଲେ । ପରିବହନ ଏବଂ ଯାତ୍ରା ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷା ତଥା ଉତ୍ତର ମୁମ୍ବାଇ ବ୍ରହ୍ମାକୁମାରୀସ୍ର ସବଜୋନ୍ ସଂଚାଳିକା ରାଜଯୋଗିନୀ ଭଗିନୀ ଦିବ୍ୟପ୍ରଭା ନିଜ ଆଶୀର୍ବଚନରେ କହିଥିଲେ ଯେ ଯାତ୍ରା ସମୟରେ ଆମେ ନିଜ ଜୀବନ ସହ ଅନ୍ୟର ଜୀବନକୁ ବଞ୍ଚାଇବା ଏକ ପୁଣ୍ୟ କର୍ମ ଅଟେ । ଏଣୁ ସଠିକ ସ୍ଥାନରେ ଗାଡ଼ି ପାର୍କ କରିବା, ଅନ୍ୟ ସହଯାତ୍ରୀଙ୍କୁ ରାସ୍ତା ଦେବା, ଦ୍ରତ ଗାଡ଼ି ଚାଳନା ସମୟରେ ମଧ୍ୟ ଶାନ୍ତ, ସ୍ଥିର, ହଲକାପନ, ଧୈର୍ଯ୍ୟ, ନିଃସ୍ବାର୍ଥ ଭାବର ପ୍ରୟୋଗ ଦ୍ବାରା ଏକ ସୁରକ୍ଷିତ ଜୀବନଯାତ୍ରା ପାଇଁ ଜନସାଧାରଣଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ବ୍ରହ୍ମପୁର ସବ ଜୋନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ମାଳା ରାଜଯୋଗର ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ଜ୍ଞାନ ପ୍ରଦାନ ପୂର୍ବକ କହିଥିଲେ ଯେ ରାଜଯୋଗର ଅଭ୍ୟାସ ଦ୍ବାରା ଚୈତନ୍ୟ ସତ୍ତା ଆତ୍ମା ସହ ପରମାତ୍ମ ମିଳନ ତଥା ଅନୁଭୂତି ଦ୍ବାରା ମାନସିକ ସନ୍ତୁଳନ, ସକାରାତ୍ମକ ଚିନ୍ତନ, ଦିବ୍ୟଗୁଣର ଧାରଣା ସହ ମନର ଚଞ୍ଚଳତା ରୂପୀ ଅବଗୁଣର ସମୂଳ ସଂହାର ହୋଇଥାଏ । ବୋରିବୋଲି, ପୂର୍ବ ମୁମ୍ବାଇର ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗିନୀ ସଙ୍ଗୀତା ରାଜଯୋଗର ଅଭ୍ୟାସ ଦ୍ବାରା ପବିତ୍ରତା, ସୁଖ ଶାନ୍ତିର ଗହନ ଅନୁଭୂତି କରାଇଥିଲେ । ଗୋପାଳପୁର ଉପସେବାକେନ୍ଦ୍ର ସଂଚାଳିକା ଭଗିନୀ ସଙ୍ଘମିତ୍ରା ସ୍ବାଗତ ସମ୍ଭାଷଣ, ଅତିଥି ପରିଚୟ ପ୍ରଦାନ ସହ ସଭା କାର୍ଯ୍ୟ ସୁପରିଚାଳନା କରିଥିଲେ । ଭଗିନୀ ଅର୍ଚ୍ଚନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଭ୍ରାତା ସରୋଜ କୁମାର ସାବତ ମଂଚାସୀନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆସ୍କାରୋଡ ଏବଂ ହଳଦିଆପଦରର ଟ୍ରକ ଏବଂ ବସ୍ ଏସୋସିଏସନ ତଥା ବିଭିନ୍ନ ଗାଡି ଶୋ ରୁମର ମାଲିକ ଏବଂ ଡ୍ରାଇଭରମାନେ ଉପସ୍ଥିତ ରହି ଉପକୃତ ହୋଇଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق