କୁଆଁରିଆ ସେତୁ ପାର୍ଶ୍ବସ୍ଥ ବାଇପାସ ରାସ୍ତାରୁ ନଦୀକୁ ଖସି ପଡିଲା ହିଟାଚି ମେସିନ
ଖଣ୍ଡପଡ଼ା ୨୩|୬ (ବ୍ୟୁରୋ) ଖଣ୍ଡପଡ଼ାରୁ ଖଳିସାହି ଦେଇ ଆଡକଟା ଛକକୁ ସଂଯୋଗ କରୁଥିବା ରାସ୍ତାରେ ଅବସ୍ଥିତ କୁଆଁରିଆ ସେତୁ ପାର୍ଶ୍ବସ୍ଥ ବାଇପାସ ରାସ୍ତା ଦେଇ ଏକ ଟ୍ରକ ଯୋଗେ ନିଆଯାଉଥିବା ହିଟାଚି ମେସିନଟି କୁଆଁରିଆ ନଦୀ ମଧ୍ଯକୁ ଖସିପଡିଥିବା ଜଣାପଡିଛି। ଉକ୍ତ ଟ୍ରକଟି ହିଟାଚି ମେସିନକୁ ନେଇ ଦଶପଲ୍ଲାରୁ ଖଣ୍ଡପଡ଼ା ଅଭିମୁଖେ ସୋମବାର ଦିବା ୧୨ଘଣ୍ଟା ସମୟରେ ଯାଉଥିବା ବେଳେ ବାଇପାସ ରାସ୍ତା ଦବିଯିବାରୁ ଏଭଳି ଅଘଟଣ ଘଟିଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁତ୍ରରୁ ଜଣାପଡିଛି। ସୌଭାଗ୍ୟବଶତଃ ଟ୍ରକଟି ଅଘଟଣରୁ ବର୍ତ୍ତିଯାଇଥିଲେ ହେଁ ହିଟାଚି ମେସିନଟି ନଦୀ ଭିତରେ ପଡିରହିଛି।ହିଟାଚି ମେସିନଟିକୁ ନଦୀ ମଧ୍ଯରୁ ଉଦ୍ଧାର କରିବା ପାଇଁ ଆଉ ଏକ ହିଟାଚି ମେସିନର ସହାୟତା ନିଆ ଯାଇଥିବା ଜଣାପଡିଛି।
ପ୍ରକାଶଥାଉକି ରବିବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଖରସ୍ରୋତା କୁଆଁରିଆ ନଦୀର ପାଣି ଦୁଇକୂଳ ଖାଇ ପ୍ରବାହିତ ହେଉଛି। ଫଳରେ ଖଣ୍ଡପଡ଼ା ପୂର୍ତ୍ତବିଭାଗ ପକ୍ଷରୁ କୁଆଁରିଆ ସେତୁ ପାର୍ଶ୍ବରେ ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ଯୟରେ ନିର୍ମାଣ ହୋଇଥିବା ବାଇପାସ ରାସ୍ତା ବର୍ଷାଋତୁରେ ନଷ୍ଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଏହି ଘଟଣା ପରେ କୁଆଁରିଆ ସେତୁ ପାର୍ଶ୍ବସ୍ଥ ବାଇପାସ ରାସ୍ତା ଦେଇ ଯାତାୟତ ନିମନ୍ତେ ଯାନବାହାନ ଚାଳକମାନେ ନିଜକୁ ଅସୁରକ୍ଷିତ ମଣୁଥିବା ସାଧାରଣରେ ଆଲୋଚନା ହେଉଛି।ଅପରପକ୍ଷେ ବିପଦଶଙ୍କୁଳ ଅବସ୍ଥାରେ ଅବସ୍ଥିତ ବାଇପାସ ରାସ୍ତାଟି ନଦୀର ପ୍ରଖର ସ୍ରୋତରେ ନଷ୍ଟ ହୋଇଗଲେ ରାଜ୍ୟ ସରକାରଙ୍କ ୧୫ ଲକ୍ଷ ଟଙ୍କା ପାଣିରେ ପଡିବା ସାର ହେବ ବୋଲି ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق