-----------------------------------------------------
'ଓଡ଼ିଶା ବାହାରେ ଓଡ଼ିଆ ଅସ୍ମିତା' ଶୀର୍ଷକ ପାଠଚକ୍ର
-----------------------------------------------------
ମୂଳ ସହ ଯୋଡ଼ି ହୋଇରହିଲେ ଓଡ଼ିଶାର ପ୍ରକୃତ
ବିକାଶ ତ୍ୱରାନ୍ୱିତ ହୋଇପାରିବ : ପ୍ରଫେସର୍ ପାଣି
----------------------------------------------------
ବ୍ରହ୍ମପୁର (ମଣିଭଦ୍ରା ଖବର) ଓଡ଼ିଶା ହଜାର ହଜାର ବର୍ଷ ବ୍ୟାପୀ ସାରା ପୃଥିବୀରେ ଉଦାର ବିଶ୍ୱ ମାନବବାଦର ବାର୍ତ୍ତା ପ୍ରଚାର କରି ଆସିଅଛି l ଓଡ଼ିଆମାନେ କର୍ତ୍ତବ୍ୟ ପରାୟଣ, ନିର୍ଭୀକ, ସାହସୀ, ସହିଷ୍ଣୁ ହେବା ସହିତ ଏକ ସ୍ୱାଭିମାନୀ ଜାତି ରୂପେ ପରିଚିତ l ଜାତି, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ଜଗନ୍ନାଥ ଧର୍ମ-ଦର୍ଶନ ଆମ ଅସ୍ମିତାର ମୂଳ ଆଧାର ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର କଲ୍ୟାଣ ଅଧିକାରୀ ପ୍ରଫେସର୍ ବଳରାମ ପାଣି ମତବ୍ୟକ୍ତ କରିଛନ୍ତି l
ଓଡ଼ିଶାର ଅନ୍ୟତମ ପୁରାତନ ସାହିତ୍ୟାନୁଷ୍ଠାନ କଳିଙ୍ଗ ସାହିତ୍ୟ ସମାଜ ଆନୁକୂଲ୍ୟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହଯୋଗିତାରେ ଆୟୋଜିତ 'ଓଡ଼ିଶା ବାହାରେ ଓଡ଼ିଆ ଅସ୍ମିତା' ଶୀର୍ଷକ ଦ୍ବି-ଦିବସୀୟ ଜାତୀୟ ପାଠଚକ୍ରକୁ ଉଦ୍ଘାଟନ କରି ପ୍ରଫେସର୍ ପାଣି କହିଲେ, ପୃଥିବୀରେ ଅନ୍ୟ କେଉଁଠି ଓଡ଼ିଶା ଭଳି ସୁନ୍ଦର ରାଜ୍ୟଟିଏ ନାହିଁ l ଓଡ଼ିଶା ଅତୀତରେ କଳିଙ୍ଗ, ଉତ୍କଳ, ତୋଷାଳି, ତ୍ରିକଳିଙ୍ଗ, କୋଶଳ ଆଦି ନାମରେ ବିଦିତ ଥିଲା l ଆମ ଆରାଧ୍ୟ ଦେବ ଶ୍ରୀଜଗନ୍ନାଥଙ୍କ ପାଖରେ କୌଣସି ଭେଦଭାବ ନାହିଁ l ସଭିଏଁ ସେଠାରେ ସମାନ l ନିଃସ୍ୱାର୍ଥ ସେବା ଓ ଅତିଥି ଦେବୋ ଭଵଃ ହେଉଛି ଓଡ଼ିଶାର ଆଦର୍ଶ l ତେବେ ଓଡ଼ିଆ ସଂସ୍କୃତି ଓ ମୂଳ ସହ ଯୋଡ଼ି ହୋଇରହିଲେ ହିଁ ଓଡ଼ିଶାର ସର୍ବବିଧ ବିକାଶ ସମ୍ଭବ ହେବ ଏବଂ ଓଡ଼ିଆମାନେ ସବୁ ଦିଗକୁ ଅଗ୍ରସର ହୋଇପାରିବେ ବୋଲି ଉଦ୍ଘାଟକ ରୂପେ ଯୋଗଦେଇ ପ୍ରଫେସର୍ ପାଣି କହିଥିଲେ l
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରସ୍ଥ ହିମାଳୟ ଅଧ୍ୟୟନ କେନ୍ଦ୍ର ସମ୍ମେଳନ କକ୍ଷରେ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ଉଦ୍ଘାଟନୀ ଅଧିବେଶନରେ ପୌରୋହିତ୍ୟ କରିଥିଲେ କଳିଙ୍ଗ ସାହିତ୍ୟ ସମାଜ ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ l ଏହି ଅଧିବେଶନରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ସାରଳା ଚେୟାର୍ ପ୍ରଫେସର୍ ଉଦୟନାଥ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ କହିଥିଲେ, ଅସ୍ମିତା ଶବ୍ଦଟି ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମେ ଉଚ୍ଚାରଣ କରିଥିଲେ l ଜଗନ୍ନାଥ ସଂସ୍କୃତି, କୋଣାର୍କ ମନ୍ଦିର ଓ ପ୍ରାଚୀନ ସାହିତ୍ୟ ମାଧ୍ୟମରେ ଓଡ଼ିଆ ଅସ୍ମିତା ଆଜି ଓଡ଼ିଶା ବାହାରେ ସ୍ୱତନ୍ତ୍ର ପରିଚୟ ଲାଭ କରିଛି l ସେହିପରି ସାରଳା ଦାସଙ୍କ ମହାଭାରତ ଓ ଓଡ଼ିଶୀ ନୃତ୍ୟ ଆମ ମୌଳିକତାର ଅନ୍ୟତମ ସୂଚକ ବୋଲି ସେ କହିଥିଲେ l
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରସ୍ଥ ମିରିଣ୍ଡା ହାଉସ୍ କଲେଜର ଅଧ୍ୟକ୍ଷା ପ୍ରଫେସର୍ ବିଜୟଲକ୍ଷ୍ମୀ ନନ୍ଦ ମୁଖ୍ୟଅତିଥି ରୂପେ ଯୋଗଦେଇ କହିଲେ, ଗପ କହିବା ଓ ଗପ ଶୁଣିବା ଓଡ଼ିଆ ଅସ୍ମିତାର ଅନ୍ୟତମ ବିଶେଷତା l ଓଡ଼ିଶାରେ ସବୁ ଧର୍ମର ପୀଠ ଓ ମନ୍ଦିର ରହିଛି ଏବଂ ଓଡ଼ିଶାର ପ୍ରତିଟି ଘର ହେଉଛି ଏକ ଏକ ମନ୍ଦିର l ଓଡ଼ିଆମାନଙ୍କ ସରଳତା, ସୌମ୍ୟତା, ଆବେଗ, ଭାଷା ଓ ଜନଜାତି ସଂସ୍କୃତି ଆଦି ବିଷୟରେ ଗବେଷଣା ମାଧ୍ୟମରେ ବହୁ କାମ କରାଯାଇ ପାରିବ ବୋଲି ପ୍ରଫେସର୍ ନନ୍ଦ କହିଥିଲେ l
ସମ୍ମାନିତ ଅତିଥି ରୂପେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପଦାର୍ଥ ବିଜ୍ଞାନ ପ୍ରଫେସର୍ ତଥା ସରସ୍ବତୀ ସମ୍ମାନ ବିଜେତା କବି ରମାକାନ୍ତ ରଥଙ୍କ ସୁକନ୍ୟା ପ୍ରଫେସର୍ ଶ୍ୟାମା ରଥ ବକ୍ତବ୍ୟ ପ୍ରଦାନ ପୂର୍ବକ କହିଥିଲେ, ନାଳନ୍ଦା ବିଶ୍ୱବିଦ୍ୟାଳୟ ସମକାଳୀନ ତତ୍କାଳୀନ ଓଡ଼ିଶାର ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ସଂପର୍କରେ ଗବେଷଣା ହେବା ଆବଶ୍ୟକ l ବୌଦ୍ଧଧର୍ମ, ନୌ-ବାଣିଜ୍ୟ ଓ ଓଡ଼ିଆ ଖାଦ୍ୟ ଆମ ଅସ୍ମିତାର ଏକ ଏକ ପ୍ରମାଣ ବୋଲି ପ୍ରଫେସର୍ ରଥ ମତବ୍ୟକ୍ତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ରୂପେ ହିମାଳୟ ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ପ୍ରଫେସର୍ ବିନ୍ଧ୍ୟବାସିନୀ ପାଣ୍ଡେ ତାଙ୍କ ବକ୍ତବ୍ୟରେ କହିଥିଲେ, ଓଡ଼ିଶାରେ ସମସ୍ତଙ୍କ ପାଇଁ ଖାଦ୍ୟ ଉପଲବ୍ଧ l ଜଗନ୍ନାଥଙ୍କ ପାଖରେ କେହି ଭୋକିଲା ରହିବେ ନାହିଁ l ଏହା ହିଁ ଓଡ଼ିଶାର ଅନ୍ୟତମ ବିଶେଷତା l କେନ୍ଦ୍ର ଲଳିତ କଳା ଏକାଡେମୀର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ଡ. ଦିଲୀପ କୁମାର ତ୍ରିପାଠୀ ଓଡ଼ିଶୀ ଚିତ୍ରକଳାର ସ୍ୱତନ୍ତ୍ରତା ବିଷୟରେ ଆଲୋଚନା କରିଥିଲେ l
କଳିଙ୍ଗ ସାହିତ୍ୟ ସମାଜର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ତାଙ୍କ ବକ୍ତବ୍ୟରେ କହିଥିଲେ, ଓଡ଼ିଆ ଅସ୍ମିତାର ପୁନର୍ଜାଗରଣ ନିମନ୍ତେ ଆମେ ପ୍ରୟାସ ଜାରି ରଖିଛୁ l ଆଗକୁ ଉଦ୍ୟମ ଅବ୍ୟାହତ ରହିବ l ସାହିତ୍ୟ ସମାଜର ସମ୍ପାଦକ ଡ. ଶରତ କୁମାର ଜେନା ସ୍ୱାଗତ ଭାଷଣ, ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l ଡ. କୁଳମଣି ଓଝା ପ୍ରାକ୍-ସୂଚନା, ମଞ୍ଚ ଆମନ୍ତ୍ରଣ, ବେଦପାଠ ସହ ଓଡ଼ିଶାର ଜାତୀୟ ସଂଗୀତ ଗାନ କରିଥିଲେ l ଶେଷରେ ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l
ଅପରାହ୍ଣରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ଏହି ଅଧିବେଶନରେ ଖ୍ୟାତି ସଂପନ୍ନ ଚିତ୍ରଶିଳ୍ପୀ ଡ. ଦିଲୀପ କୁମାର ତ୍ରିପାଠୀ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଫ୍ରିକାନ୍ ଷ୍ଟଡିଜ୍ ପ୍ରଫେସର୍ ସାନ୍ଦିପନୀ ଦାଶ, ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପରିସରସ୍ଥ କମଳା ନେହେରୁ କଲେଜ ରାଜନୀତି ବିଜ୍ଞାନ ସହକାରୀ ପ୍ରଫେସର୍ କମଳାକାନ୍ତ ରାଉଳ ଓ ଡି.ୟୁ. ଛାତ୍ର ସୌରଭ ପରିଡ଼ା ପ୍ରମୁଖ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସଂସ୍କୃତିର ପ୍ରମୁଖ ବିନ୍ଦୁ ସଂପର୍କରେ ଆଲୋଚନା କରିଥିଲେ l ଶେଷରେ କଳିଙ୍ଗ ସାହିତ୍ୟ ସମାଜ କୋଷାଧ୍ୟକ୍ଷ ଡ. କୃଷ୍ଣପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l
ପାଠଚକ୍ର ପରିଚାଳନାରେ ମିରିଣ୍ଡା ହାଉସ୍ କଲେଜ ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର ସୌମ୍ୟପ୍ରକାଶ ଧଳ, କଳିଙ୍ଗ ସାହିତ୍ୟ ସମାଜ ପକ୍ଷରୁ ଡ. ରମେଶ ଚନ୍ଦ୍ର ପ୍ରଧାନ, ଅନୁପ କୁମାର ମିଶ୍ର, ଡ. ହୃଷୀକେଶ ପଣ୍ଡା, ଡ. ସଞ୍ଜୟ କୁମାର ପଣ୍ଡା, ଡ. ନୃସିଂହାନନ୍ଦ ଶାସମଲ୍ ଓ ଅଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ l
ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق