ଭୀମଭୋଇ ସାମର୍ଥ୍ୟ ପ୍ରସ୍ତୁତି ବୈଠକ
ଭାପୁର (ମଣିଭଦ୍ରା ଖବର) ଆସନ୍ତା ୧୦ତାରିଖ ଅର୍ଥାତ୍ ମଙ୍ଗଳାବର ଦିନ ଭାପୁର ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ବୁଧବାର ଦିନ ବ୍ଲକ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ଭାରପ୍ରାପ୍ତ ବ୍ଲକ ଉନ୍ନୟନ ଅଧିକାରୀ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭାପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିଆରସିସି ପ୍ରଭାକର ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ପଞ୍ଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ । ଭାପୁର ବ୍ଲକ ର ସମସ୍ତ ୨୦ ଗୋଟି ପଞ୍ଚାୟତର ଅଧିକରୁ ଅଧିକ ଭିନ୍ନକ୍ଷମ ଭତ୍ତା ଆଶାୟୀ ମାନଙ୍କୁ ଏହି ଶିବିରରେ ସାମିଲ କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା । ପଞ୍ଚାୟତର ସମସ୍ତ ଗ୍ରାମାଞ୍ଚଳରେ ଉକ୍ତ ଶିବିର ବିଷୟରେ ପ୍ରଚାର ଓ ପ୍ରସାର ହୋଇ ପାରିଲେ ଆବେଦନକାରୀଙ୍କ ସଭା ବୃଦ୍ଧି ପାଇବ । ସମସ୍ତ ପଞ୍ଚାୟତର ଜନପ୍ରତିନିଧି ଓ ପି.ଇ.ଓ ମାନଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା କରାଯାଇଥିଲା । ଉକ୍ତ ଶିବିରରେ ପଞ୍ଜୀକୃତ ହୋଇଥିବା ଆବେଦନକାରୀ ମାନଙ୍କ ମଧ୍ୟରୁ ଅଭିଜ୍ଞ ବିଭିନ୍ନ ବିଭାଗର ଡାକ୍ତର ମାନଙ୍କ ଦ୍ଵାରା ଯୋଗ୍ୟ ହିତାଧିକାରୀ ମାନଙ୍କୁ ମନୋନୟନ କରାଯାଇ ପ୍ରମାଣ ପତ୍ର ଦିଆଯିବ ବୋଲି ଭାରପ୍ରାପ୍ତ ବିଡିଓ ଶ୍ରୀ ନାୟକ ପ୍ରକାଶ କରିଥିଲେ ।
ବିଭୂତି ମହାପାତ୍ର, ଭାପୁର
إرسال تعليق