*ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଦୁଃଖଦ ଖବର। ମାତୃବିୟୋଗରେ ଭାଙ୍ଗିପଡ଼ିଛନ୍ତି ଯୋଗୀ। ୯୧ ବର୍ଷ ବୟସରେ ତାଙ୍କ ମାଆ ସାବିତ୍ରୀ ଦେବୀଙ୍କ ପରଲୋକ ହୋଇଛି। ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାସ୍ଥିତ ନିଜ ପୈତୃକ ଗାଁ ପଞ୍ଚୁରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ମହଲ ସମେତ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।*
ପୌଡ଼ିର ଏସ୍ଏସ୍ପି ସର୍ବେଶ କୁମାର ଯୋଗୀଙ୍କ ମାଆଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ପଞ୍ଚୁର ଗାଁରେ ହିଁ ସାବିତ୍ରୀ ଦେବୀଙ୍କ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଡାକ୍ତରଙ୍କୁ ମଧ୍ୟ ଡକାଯାଇଥିଲା। ପୌଡ଼ି ଜିଲ୍ଲାର ସୂଚନା ଅଧିକାରୀ ଯୋଗେଶ ପୋଖରିୟାଲ ମଧ୍ୟ ଏହି ଖବରକୁ ସ୍ପଷ୍ଟ କରିଛନ୍ତି।
ଯୋଗୀ ଆଦିତ୍ୟନାଥଙ୍କ ପରିବାର ଉତ୍ତରାଖଣ୍ଡର ପୌଡ଼ି ଗଡ଼ୱାଲ ଜିଲ୍ଲାର ପଞ୍ଚୁର ଗାଁର ବାସିନ୍ଦା। ତାଙ୍କ ମାଆ ସାବିତ୍ରୀ ଦେବୀ ମଧ୍ୟ ଏହି ଗାଁରେ ରହୁଥିଲେ। ଯୋଗୀଙ୍କ ପରିବାରରେ ମୋଟ ୭ ଜଣ ଭାଇଭଉଣୀ ଅଛନ୍ତି। ସେ ୪ ଭାଇ ଓ ୩ ଭଉଣୀଙ୍କ ମଧ୍ୟରେ ଦ୍ୱିତୀୟ ସନ୍ତାନ।
ଯୋଗୀଙ୍କ ବାପା ଆନନ୍ଦ ସିଂ ବିଷ୍ଟ ବନ ବିଭାଗରେ ଫରେଷ୍ଟ ରେଞ୍ଜର ଭାବେ କାର୍ଯ୍ୟ କରୁଥିଲେ। ୨୦୨୦ ଏପ୍ରିଲ ୨୦ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଏବେ ମାଆଙ୍କ ବିୟୋଗ ଯୋଗୀଙ୍କ ପାଇଁ ଆଉ ଏକ ବଡ଼ ବ୍ୟକ୍ତିଗତ ଦୁଃଖ ହୋଇଛି।
ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ଦାୟିତ୍ୱ ସମ୍ଭାଳୁଥିବା ଯୋଗୀ ଆଦିତ୍ୟନାଥଙ୍କ ପାଇଁ ଏହି ମାତୃବିୟୋଗ ନିଶ୍ଚିତ ଭାବେ ଏକ ଅପୂରଣୀୟ କ୍ଷତି। ମାଆଙ୍କ ମୃତ୍ୟୁ ଖବର ପରେ ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଶୋକର ବାତାବରଣ ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق