BREAKING
Loading...
:

ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ କଟକ ପ୍ରଶାସନର କଡ଼ା ପଦକ୍ଷେପ




 ବାତ୍ୟା ‘ଅକୱାନ’ ମୁକାବିଲା ପାଇଁ କଟକ ପ୍ରଶାସନର କଡ଼ା ପଦକ୍ଷେପ

ପଞ୍ଚୁକରେ ନଦୀଘାଟ ଓ ମନ୍ଦିର ବନ୍ଦ, ୨୦ ଓ ୨୧ରେ ଡଙ୍ଗା ଚଳାଚଳ ନିଷିଦ୍ଧ; ୨୦ ତାରିଖରେ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି ଛୁଟି

ବାଙ୍କୀ , ୧୯।୧୧(ମାନସ ରଞ୍ଜନ ସାହୁ): ସମ୍ଭାବ୍ୟ ଭୀଷଣ ବାତ୍ୟା ‘ଅକୱାନ’କୁ ନେଇ ଚିନ୍ତାରେ ପ୍ରଶାସନ। ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା ଥିବାରୁ ଶୂନ୍ୟ ଜୀବନହାନି ଲକ୍ଷ୍ୟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ଜିଲ୍ଲାପାଳ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ଅଧ୍ୟକ୍ଷ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାତ୍ୟା ମୁକାବିଲାର ସମସ୍ତ ପ୍ରସ୍ତୁତି ସମୀକ୍ଷା କରାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କଟକ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ନଭେମ୍ବର ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ସହ ପ୍ରତିକୂଳ ପାଣିପାଗ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପଞ୍ଚୁକ ସମୟରେ ନଦୀଘାଟ ଓ ନଦୀକୂଳ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ପ୍ରଶାସନ।

ସେହିପରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ନଭେମ୍ବର ୨୦ ତାରିଖଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ପଞ୍ଚୁକ ବ୍ରତ ପାଳନ ହେଉଥିବା ଜିଲ୍ଲାର ସମସ୍ତ ନଦୀଘାଟ ଓ ମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ। ତେବେ ପରମ୍ପରା ଅନୁଯାୟୀ ଅଧିକୃତ ସେବାୟତ ଓ ପୂଜକଙ୍କ ଦ୍ୱାରା ମନ୍ଦିରର ନୀତିକାନ୍ତି ଜାରି ରହିବ। ୨୦ ଓ ୨୧ ତାରିଖରେ ନଦୀଘାଟକୁ ଯାତାୟାତ, ନଦୀରେ ସ୍ନାନ, ପବିତ୍ର ବୁଡ଼ ପକାଇବା ଏବଂ ଧାର୍ମିକ କାର୍ଯ୍ୟ ପାଇଁ ଘରୋଇ ଓ ବାଣିଜ୍ୟିକ ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କେବଳ ପୁଲିସ, ବିପର୍ଯ୍ୟୟ ମୁକାବିଲା ଦଳ, ଅଗ୍ନିଶମ, ଚିକିତ୍ସା ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ନିର୍ଦ୍ଦେଶ ଉଲ୍ଲଂଘନ କଲେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପକ୍ଷରେ, ବାତ୍ୟା ଆଶଙ୍କାକୁ ନେଇ ନଭେମ୍ବର ୨୦ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ, କଲେଜ, ଆଇଟିଆଇ, ପଲିଟେକ୍ନିକ୍, ବିଶ୍ୱବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ସମୟରେ ଅଙ୍ଗନବାଡ଼ି ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ ପରିବର୍ତ୍ତେ ଟେକ୍ ହୋମ୍ ରାସନ ଯୋଗାଇ ଦିଆଯିବ।

ବାତ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ବ୍ଲକରେ ନୋଡାଲ ଅଧିକାରୀ ନିୟୋଜିତ ହୋଇଛନ୍ତି। ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଯିବା ସହ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧାଖାଦ୍ୟ ସହ ଆବଶ୍ୟକୀୟ ସୁବିଧା ଯୋଗାଇବାର ବ୍ୟବସ୍ଥା ହୋଇଛି। ଏଥିସହ ସାପୁଆ ନଦୀର ନଦୀବନ୍ଧ ଯାଞ୍ଚ ଓ ଅସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଜାରି ରହିଛି।

ତେବେ ବାତ୍ୟା ସମୟରେ ଅଯଥାରେ ଘରୁ ବାହାରକୁ ନ ଯିବା, ନଦୀଘାଟ ଓ ଜଳାଶୟ ନିକଟକୁ ନ ଯିବା ସହ ପ୍ରଶାସନର ସମସ୍ତ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS