ବଡ଼ ଘୋଷଣା! ବଢିଲା ଅଙ୍ଗନବାଡି କର୍ମୀଙ୍କ ଦରମା; ମାସକୁ ମିଳିବ ୧୨୦୦୦, ଅବସର ନେଲେ ମିଳିବ ୩ ଗୁଣ ଅଧିକ
ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ଖୁସି ଖବର। ବଢ଼ିଲା ମାସିକ ପାରିଶ୍ରମିକ। ଏଣିକି ଅଙ୍ଗନବାଡ଼ି କର୍ମୀମାନେ ମାସକୁ ୧୦ ହଜାର ଟଙ୍କା ବଦଳରେ ୧୨ ହଜାର ଟଙ୍କା ପାଇବେ। ସେହିପରି ସହାୟିକାଙ୍କ ପାରିଶ୍ରମିକ ୫ ହଜାରରୁ ବୃଦ୍ଧି ପାଇ ୬ ହଜାର ଟଙ୍କା ହୋଇଛି। କେବଳ ଦରମା ନୁହେଁ, ଅବସରକାଳୀନ ଓ ମୃତ୍ୟୁକାଳୀନ ସହାୟତା ରାଶିରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି।
ରାଜ୍ୟର ମହିଳା ଓ ଶିଶୁଙ୍କ ପୁଷ୍ଟି, ସ୍ୱାସ୍ଥ୍ୟ ଓ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି। ତୃଣମୂଳ ସ୍ତରରେ ସରକାରୀ ଯୋଜନାର ସଫଳ ରୂପାୟନରେ ଅଙ୍ଗନବାଡ଼ି କର୍ମୀଙ୍କ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କ ପାଇଁ ଏହି ସୁବିଧା ଘୋଷଣା କରାଯାଇଛି।
ସବୁଠାରୁ ବଡ଼ କଥା ହେଉଛି, ଅବସରକାଳୀନ ଆର୍ଥିକ ସହାୟତା ରାଶିକୁ ତିନିଗୁଣ ବୃଦ୍ଧି କରାଯାଇଛି। ଏଣିକି ଅଙ୍ଗନବାଡ଼ି କର୍ମୀଙ୍କୁ ଅବସର ସମୟରେ ୧ ଲକ୍ଷ ଟଙ୍କା ବଦଳରେ ୩ ଲକ୍ଷ ଟଙ୍କା ମିଳିବ। ସେହିପରି ସହାୟିକାଙ୍କ ଅବସରକାଳୀନ ସହାୟତା ୫୦ ହଜାର ଟଙ୍କାରୁ ବଢ଼ି ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଛି।
ଅନ୍ୟପଟେ ମୃତ୍ୟୁକାଳୀନ ସହାୟତା ରାଶି ମଧ୍ୟ ଦୁଇଗୁଣ କରାଯାଇଛି। ପୂର୍ବରୁ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ଥିବାବେଳେ ଏବେ ଏହାକୁ ୪ ଲକ୍ଷ ଟଙ୍କା କରାଯାଇଛି। ଏହି ସୁବିଧା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଉଭୟଙ୍କ ପାଇଁ ଲାଗୁ ହେବ।
ଏହାସହ ନିର୍ଦ୍ଦିଷ୍ଟ ଯୋଗ୍ୟତା ଆଧାରରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବାର୍ଷିକ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଜାରି ରହିବ ବୋଲି ଦସ୍ତାବିଜରେ ଉଲ୍ଲେଖ ରହିଛି।
ସରକାରଙ୍କ ଏହି ନିଷ୍ପତ୍ତି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଆର୍ଥିକ ସୁରକ୍ଷାକୁ ଆହୁରି ମଜଭୁତ କରିବା ସହ ସେମାନଙ୍କ କାର୍ଯ୍ୟକୁ ଉତ୍ସାହିତ କରିବ ବୋଲି ଆଶା କରାଯାଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق