କେନ୍ଦ୍ର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି, ଲୋକସଭାରେ ବଢ଼ିବ ୫୦% ସିଟ୍, ୨୦୫୧ ପର୍ଯ୍ୟନ୍ତ ରହିବ ଫ୍ରିଜ୍!
ଦେଶର ରାଜନୈତିକ ମାନଚିତ୍ରରେ ଆସିପାରେ ବଡ଼ ପରିବର୍ତ୍ତନ। ଲୋକସଭାରେ ସାଂସଦଙ୍କ ସଂଖ୍ୟା ବଢ଼ିବା ସହ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଡିଲିମିଟେସନ୍ ବା ନିର୍ବାଚନମଣ୍ଡଳୀ ପୁନଃସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଗକୁ ବଢ଼ାଇବାକୁ ଯୋଜନା କରିଛି କେନ୍ଦ୍ର।ଶୁକ୍ରବାର କେନ୍ଦ୍ର କ୍ୟାବିନେଟ୍ ଏ ସମ୍ପର୍କିତ ସମ୍ବିଧାନ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି।
ପ୍ରସ୍ତାବ ଅନୁସାରେ ସମସ୍ତ ରାଜ୍ୟରେ ଲୋକସଭା ଆସନ ୫୦ ପ୍ରତିଶତ ବଢ଼ାଇବା ଏବଂ ୨୦୫୧ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ବର୍ତ୍ତମାନର ଆସନ ଅନୁପାତକୁ ସ୍ଥିର ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହା ମହିଳା ସଂରକ୍ଷଣ ଆଇନକୁ ଶୀଘ୍ର କାର୍ଯ୍ୟକାରୀ କରିବା ସହ ରାଜ୍ୟଗୁଡ଼ିକ ମଧ୍ୟରେ ଆସନ ବଣ୍ଟନକୁ ନେଇ ଉଠୁଥିବା ବିବାଦକୁ ଏଡ଼ାଇବାର ଏକ ନୂଆ ରାଜନୈତିକ ଫର୍ମୁଲା ବୋଲି ଦେଖାଯାଉଛି।
ଲୋକସଭାରେ ୫୦% ବଢ଼ିବ ଆସନ: କେନ୍ଦ୍ରର ପ୍ରସ୍ତାବ ଅନୁସାରେ, ବର୍ତ୍ତମାନର ଲୋକସଭା ଆସନ ସଂଖ୍ୟାକୁ ୫୦ ପ୍ରତିଶତ ବଢ଼ାଇବାକୁ ଯୋଜନା ରହିଛି। ଏହି ବୃଦ୍ଧି ସମସ୍ତ ରାଜ୍ୟ ପାଇଁ ସମାନ ଅନୁପାତରେ କରାଯିବ।
ଅର୍ଥାତ୍ କେବଳ ଜନସଂଖ୍ୟା ବୃଦ୍ଧି ଆଧାରରେ ଗୋଟିଏ ରାଜ୍ୟର ଆସନ ବଢ଼ିବ ଏବଂ ଅନ୍ୟ ରାଜ୍ୟର ରାଜନୈତିକ ପ୍ରତିନିଧିତ୍ୱ କମିବ, ଏଭଳି ସ୍ଥିତିକୁ ଏଡ଼ାଇବାକୁ ଚେଷ୍ଟା ହୋଇଛି।
ଏହି ପ୍ରସ୍ତାବରେ ରାଜ୍ୟଗୁଡ଼ିକର ବର୍ତ୍ତମାନର ଆସନ ଅନୁପାତକୁ ୨୦୫୧ ପର୍ଯ୍ୟନ୍ତ ସ୍ଥିର ରଖିବା କଥା କୁହାଯାଇଛି। ଫଳରେ ନୂଆ ଆସନ ସୃଷ୍ଟି ହେଲେ ମଧ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ପ୍ରତିନିଧିତ୍ୱର ଅନୁପାତ ବଦଳିବ ନାହିଁ।
ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଜନସଂଖ୍ୟା ନିୟନ୍ତ୍ରଣରେ ଅଧିକ ସଫଳ ହୋଇଥିବାରୁ ଭବିଷ୍ୟତ ଡିଲିମିଟେସନ୍ରେ ସେମାନଙ୍କ ଆସନ ଅଂଶ କମିବା ଆଶଙ୍କା ରହିଥିଲା। ନୂଆ ଫର୍ମୁଲା ଏହି ଚିନ୍ତାକୁ ଦୂର କରିବା ଦିଗରେ ଏକ ପଦକ୍ଷେପ।
ମହିଳାଙ୍କୁ ୩୩% ସଂରକ୍ଷଣ ଯୋଜନା: ୨୦୨୩ରେ ପାରିତ ନାରୀ ଶକ୍ତି ବନ୍ଦନ ଆଇନ ଅନୁସାରେ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି। ତେବେ ଏହାକୁ କାର୍ଯ୍ୟକାରୀ କରିବା ଡିଲିମିଟେସନ୍ ଓ ଜନଗଣନା ସହ ଜଡ଼ିତ ଥିବାରୁ ଏହାର ଲାଗୁ ହେବାକୁ ନେଇ ଅପେକ୍ଷା ରହିଥିଲା।
ଏବେ କେନ୍ଦ୍ର ସରକାର ନୂଆ ସଂଶୋଧନ ମାଧ୍ୟମରେ ଏହି ପ୍ରକ୍ରିୟାକୁ ଆଗକୁ ନେବାକୁ ଚାହୁଁଛି। ଲୋକସଭାର ଆସନ ବଢ଼ିଲେ ମହିଳାଙ୍କ ପାଇଁ ସଂରକ୍ଷିତ ଆସନର ସଂଖ୍ୟା ମଧ୍ୟ ବଢ଼ିବ। ଏହାଦ୍ୱାରା ଦେଶର ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ଓ ପ୍ରତିନିଧିତ୍ୱ ଅଧିକ ହେବାର ରାସ୍ତା ଖୋଲିପାରେ।
ପୂର୍ବରୁ ସଂସଦରେ ଅଟକିଥିଲା ପ୍ରସ୍ତାବ: ମହିଳା ସଂରକ୍ଷଣ ଓ ଡିଲିମିଟେସନ୍କୁ ନେଇ ଏପ୍ରିଲ୍ରେ ମଧ୍ୟ ସରକାର ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ ଆଣିଥିଲା। କିନ୍ତୁ ଏହାକୁ ଆବଶ୍ୟକ ଦୁଇ-ତୃତୀୟାଂଶ ସମର୍ଥନ ମିଳିନଥିଲା।
ଲୋକସଭାରେ ବିଲ୍ ସପକ୍ଷରେ ୨୯୮ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୨୩୦ ଭୋଟ୍ ପଡ଼ିଥିଲା। ଆବଶ୍ୟକ ସଂଖ୍ୟା ହାସଲ ନ କରିପାରିବାରୁ ପ୍ରସ୍ତାବ ଆଗକୁ ବଢ଼ିପାରିନଥିଲା।
ଏଥର କ୍ୟାବିନେଟ୍ ମଞ୍ଜୁରୀ ପରେ ସରକାର ନୂଆ ପ୍ରସ୍ତାବ ସହ ସଂସଦରେ ପୁଣି ନିଜ ରାଜନୈତିକ ଶକ୍ତି ପରୀକ୍ଷା କରିବାକୁ ଯାଉଛି। ସମ୍ବିଧାନ ସଂଶୋଧନ ପାଇଁ ଉଭୟ ସଦନରେ ବିଶେଷ ଅଧିକାଂଶ ଆବଶ୍ୟକ ହେବ।
ନଭେମ୍ବର ୩୦ରୁ ସଂସଦରେ ହେବ ଚର୍ଚ୍ଚା: ସରକାରଙ୍କ ପକ୍ଷରୁ ସଂସଦର ସ୍ୱଳ୍ପକାଳୀନ ବୈଠକ ଡକାଯାଇଛି। ନଭେମ୍ବର ୩୦ରେ ଲୋକସଭା ବସିବାକୁ ଥିବାବେଳେ ଡିସେମ୍ବର ୨ରେ ରାଜ୍ୟସଭାର ବୈଠକ ହେବ। ଆବଶ୍ୟକ ସରକାରୀ କାର୍ଯ୍ୟ ଅନୁସାରେ ଡିସେମ୍ବର ୩ରେ ଉଭୟ ସଦନର କାର୍ଯ୍ୟ ଶେଷ ହୋଇପାରେ।
କ୍ୟାବିନେଟ୍ର ମଞ୍ଜୁରୀ ପରେ ଏବେ ସମସ୍ତଙ୍କ ନଜର ସଂସଦ ଉପରେ। ମହିଳା ସଂରକ୍ଷଣକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ କେଉଁ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେବ, କେଉଁ ଦଳ ସମର୍ଥନ କରିବ ଓ କେଉଁ ଦଳ ବିରୋଧ କରିବ- ଏହା ଆଗାମୀ ସଂସଦୀୟ ଅଧିବେଶନର ମୁଖ୍ୟ ଆକର୍ଷଣ ହେବ। କ୍ୟାବିନେଟ୍ ମଞ୍ଜୁରୀ ମିଳିଥିଲେ ମଧ୍ୟ ବିଲ୍ ଆଇନରେ ପରିଣତ ହେବାକୁ ସଂସଦର ଅନୁମୋଦନ ଆବଶ୍ୟକ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق