(KGBV)କେଜିବିଭିର ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ,
ପ୍ରବଳ ଜ୍ୱର ପରେ ଝାଡ଼ାବାନ୍ତି; ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣଗଲା ।
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଦୁର୍ଗୀସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିବିଭି)ର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପ୍ରବଳ ଜ୍ୱର ପରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଛାତ୍ରୀଜଣକ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ।
ସୂଚନାନୁଯାୟୀ, ଐ କିଛିଦିନ ହେବ ଛାତ୍ରୀଙ୍କ ଦେହ ଅସୁସ୍ଥ ଥିଲା। ଗତକାଲିଠାରୁ ତାଙ୍କୁ ପ୍ରବଳ ଜ୍ୱର ହୋଇଥିବା ବେଳେ ରାତିରୁ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଧୀରେଧୀରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ପ୍ରଥମେ ଦୁର୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥାରେ ସୁଧାର ନ ଆସିବାରୁ ବିଷମକଟକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।
ସେଠାରୁ ପରିବାରଲୋକେ ଛାତ୍ରୀଙ୍କୁ ତୁରନ୍ତ ବିଷମକଟକ ଖ୍ରୀଷ୍ଟିଆନ୍ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ହୋଇନଥିବା ବେଳେ ଝାଡ଼ାବାନ୍ତିର କାରଣ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ ଜାଣିବା ସହ ବିଦ୍ୟାଳୟରେ ଅନ୍ୟ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପାନୀୟଜଳ, ଖାଦ୍ୟ ଏବଂ ପରିମଳ ବ୍ୟବସ୍ଥାର ଯାଞ୍ଚ କରିବାକୁ ସ୍ୱାସ୍ଥ୍ୟ ବିଭାଗର ତଦନ୍ତ ଆବଶ୍ୟକ ହୋଇପଡ଼ିଛି। ଘଟଣାକୁ ନେଇ ବିଦ୍ୟାଳୟ ଓ ମୃତ ଛାତ୍ରୀଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق