ସୁରକ୍ଷିତ, ସଶକ୍ତ ଓ ଆଧୁନିକ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସର ଉଲ୍ଲେଖନୀୟ ପଦକ୍ଷେପ
ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି
ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର ଏବଂ ପୋଲିସର ଆଧୁନିକୀକରଣ କ୍ଷେତ୍ରରେ ଓଡ଼ିଶା ପୋଲିସ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଦୃଢ଼ ନେତୃତ୍ୱ, ସମନ୍ୱିତ ରଣନୀତି, ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର, ମାନବ ସମ୍ବଳର ସଶକ୍ତୀକରଣ ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ଆସ୍ଥାର ସୁଦୃଢ଼ୀକରଣ ଯୋଗୁଁ ଓଡ଼ିଶା ପୋଲିସ ଏକ ଦକ୍ଷ, ସକ୍ରିୟ, ଦାୟିତ୍ୱଶୀଳ ଓ ଅତ୍ୟାଧୁନିକ ପୋଲିସ ବାହିନୀ ଭାବେ ନିଜର ଦକ୍ଷତା ପ୍ରତିପାଦନ କରି ପାରିଛି ବୋଲି ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଭୁବନେଶ୍ୱରସ୍ଥିତ ପୋଲିସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ଵାରା ଓଡ଼ିଶାକୁ ନକ୍ସଲମୁକ୍ତ ପ୍ରଦେଶ ରୂପେ ଘୋଷଣା ହେଉଛି ଓଡ଼ିଶା ପୋଲିସର ସବୁଠାରୁ ବଡ଼ ଉପଲବ୍ଧି । ୩୧ ମାର୍ଚ୍ଚ ୨୦୨୬ରେ ଓଡ଼ିଶାକୁ ନକ୍ସଲମୁକ୍ତ ରାଜ୍ୟ ଭାବେ ଘୋଷଣା କରାଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଧିପତ୍ୟ ବିସ୍ତାର କରିଥିବା ମାଓବାଦୀ ହିଂସା ବିରୋଧରେ ଓଡ଼ିଶା ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ମିଳିତ ଅଭିଯାନ ଯୋଗୁଁ ଏହି ସଫଳତା ମିଳିଛି ବୋଲି ସେ କହିଥିଲେ। ଏହି ଅଭିଯାନରେ ଦୁଇଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଚଲପତି ଓ ଗଣେଶ ଉଇକେଙ୍କ ସମେତ ୨୯ ଜଣ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ବେଳେ ୮୩ ଜଣ ମାଓବାଦୀ ଆତ୍ମସମର୍ପଣ ଏବଂ ୧୫ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ୧୭୬ଟି ଅସ୍ତ୍ରଶସ୍ତ୍ର ଓ ୧୫୯ଟି IED ଜବତ କରାଯାଇଛି। ଡିସେମ୍ବର ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ମାଲକାନଗିରି, ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ବହୁ ସଂଖ୍ୟାରେ LWE କ୍ୟାଡରଙ୍କ ଆତ୍ମସମର୍ପଣ ଏହି ଅଭିଯାନର ସଫଳତାକୁ ଆହୁରି ସ୍ପଷ୍ଟ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ନକ୍ସଲ ବିରୋଧୀ ଅଭିଯାନକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ୩ଟି ଅତିରିକ୍ତ OSSF ବାଟାଲିୟନ୍ ଗଠନ କରାଯାଇଛି ଏବଂ ଏଥିପାଇଁ ୩,୦୦୯ଟି ପଦ ଅନୁମୋଦନ କରାଯାଇଛି। ସୁରକ୍ଷା ବାହିନୀଙ୍କ ପାଇଁ ରିସ୍କ ଆଲାଉନ୍ସ ବୃଦ୍ଧି କରାଯାଇଥିବା ବେଳେ ସଂଶୋଧିତ Surrender & Rehabilitation Policy ଅଧୀନରେ ଆତ୍ମସମର୍ପଣକାରୀଙ୍କ ପାଇଁ ସର୍ବାଧିକ ₹୧.୨୦ କୋଟି ପର୍ଯ୍ୟନ୍ତ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଏହି ପ୍ରୋତ୍ସାହନ ମାଓବାଦୀ ମାନଙ୍କୁ ହିଂସାର ପଥ ଛାଡ଼ି ମୁଖ୍ୟଧାରାକୁ ଫେରିବା ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇଛି ବୋଲି ଡିଜିପି ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ମଧ୍ୟ ଓଡ଼ିଶା ପୋଲିସ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି। ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ଓ ‘ଅପରେସନ୍ ପ୍ରହାର’ ମାଧ୍ୟମରେ ବେଆଇନ ନିଶାଦ୍ରବ୍ୟ ପରିବହନ ଓ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ସମୟ ମଧ୍ୟରେ ପ୍ରାୟ ₹୪,୧୯୫ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ ଓ ନଷ୍ଟ କରାଯାଇଛି। ଏହା ସହ ୪,୮୯୨ଟି NDPS ମାମଲା ରୁଜୁ ହୋଇଥିବା ବେଳେ ୫,୩୭୬ ଜଣଙ୍କୁ ଗିରଫ କରାଯାଇଛି। ଏହା ସହ ରାଜ୍ୟରେ ରେକର୍ଡ ୬୪,୦୨୨ ଏକର ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରାଯାଇ ୧,୩୯୫ଟି ମାମଲା ରୁଜୁ କରାଯାଇ ୪୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଏହି ଅଭିଯାନରେ ୪,୪୨,୫୧୩ କିଲୋଗ୍ରାମ ଗଞ୍ଜେଇ, ଯାହାର ଆନୁମାନିକ ମୂଲ୍ୟ ୨,୨୧୧ କୋଟି ଟଙ୍କା ହେବ । ମୋଟ ୨୭୦୬ ଟି ମାମଲା ରୁଜୁ କରାଯାଇ ୩୮୬୭ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୨୮.୫୩ କିଲୋଗ୍ରାମ ବ୍ରାଉନ୍ ସୁଗାର, ଯାହାର ଆନୁମାନିକ ମୂଲ୍ୟ ₹୫୬.୯ କୋଟି ଜବତ କରାଯାଇଛି । ମୋଟ ୬୬୨ଟି ମାମଲା ରୁଜୁ କରାଯାଇ ୧୦୩୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ୧,୬୧,୬୨୪ ବୋତଲ ବେଆଇନ କଫ୍ ସିରପ୍, ଯାହାର ଆନୁମାନିକ ମୂଲ୍ୟ ₹୧୬.୧୬ କୋଟି, ଜବତ କରାଯାଇଛି। ୧୨୯ଟି ମାମଲା ରୁଜୁ କରାଯାଇ ୪୨୯ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ୨୦୨୬ର ପ୍ରଥମ ଛଅ ମାସରେ NDPS ମାମଲାରେ ୨୩.୮ ପ୍ରତିଶତ ବୃଦ୍ଧି ରାଜ୍ୟରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନକୁ କଡାକଡି କରିବାକୁ ଓଡ଼ିଶା ପୁଲିସର କଠୋର ଆଭିମୁଖ୍ୟକୁ ପ୍ରତିପାଦିତ କରୁଛି ।
୨୦୨୪ ତୁଳନାରେ ୨୦୨୫ରେ ରାହାଜାନି ମାମଲା ୩୦.୨ ପ୍ରତିଶତ ଏବଂ ଦଙ୍ଗା ୨୫.୬ ପ୍ରତିଶତ ହ୍ରାସ ପାଇଛି। ଧର୍ଷଣ, ଚୋରି, ଡକାୟତି ଓ ଠକେଇ ଭଳି ଅପରାଧରେ ମଧ୍ୟ ହ୍ରାସ ଘଟିଛି। Core non-enforcement cognizable crimeରେ ୩.୪ ପ୍ରତିଶତ ହ୍ରାସ ହୋଇଛି।
୨୦୨୬ ଜାନୁଆରୀରୁ ଜୁନ୍ ମଧ୍ୟରେ ରାହାଜାନି ୨୨.୮%, ଡକାୟତି ୧୪.୨%, ଚୋରି ୮.୬%, ଦଙ୍ଗା ୪.୪%, ହତ୍ୟା ୨.୯% ଏବଂ ଘରେ ପଶି ଚୋରି ୦.୮% ହ୍ରାସ ପାଇଛି। ଅନ୍ୟପକ୍ଷରେ, NDPS ମାମଲା ୨୩.୮% ଏବଂ ଏନଫୋର୍ସମେଣ୍ଟ ମାମଲା ୮୭.୫% ବୃଦ୍ଧି ପାଇଛି। ପୋଲିସର ସକ୍ରିୟ ଓ କଠୋର କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାମଲା ପଞ୍ଜୀକରଣ ବଢ଼ିଥିଲେ ମଧ୍ୟ, ଗୁରୁତର ଅପରାଧରେ ଉଲ୍ଲେଖନୀୟ ହ୍ରାସ ଘଟିଛି।
ସେହିପରି ଅପରାଧ ଓ ଅପରାଧୀଙ୍କ ବିରୋଧରେ ଦୋଷୀ ସାବ୍ୟସ୍ତ ହାରରେ ମଧ୍ୟ ସଫଳତା ମିଳିଛି। ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୫ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ଦଣ୍ଡବିଧାନ ହାର ୮୭.୬ ପ୍ରତିଶତ ରହିଛି। ୨୦୨୫ରେ ରାଜ୍ୟର ସାମଗ୍ରିକ ଦୋଷୀ ସାବ୍ୟସ୍ତ ହାର ୩୭.୯ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ରାଜ୍ୟର ସର୍ବକାଳୀନ ସର୍ବାଧିକ। ଜୁଲାଇ ୨୦୨୪ରୁ ଜୁନ୍ ୨୦୨୬ ମଧ୍ୟରେ ୧,୭୫,୩୨୯ଟି ବିଚାର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ୫୭,୮୮୧ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସେହିପରି ବେଆଇନ ଅସ୍ତ୍ରଶସ୍ତ୍ର ଓ ଲଘୁ ଖଣିଜ ଦ୍ରବ୍ୟ କାରବାର ବିରୋଧରେ ମଧ୍ୟ ଓଡ଼ିଶା ପୋଲିସର ଅଭିଯାନ ଜାରି ରହିଛି। ବେଆଇନ ଅସ୍ତ୍ରଶସ୍ତ୍ର ଆଇନ ଅଧୀନରେ ୨,୬୭୪ ଟି ମାମଲା ରୁଜୁ କରାଯାଇ ୩,୩୮୮ ଜଣଙ୍କୁ ଗିରଫ କରାଯାଇଛି। AK-47, INSAS ରାଇଫଲ୍ ଓ SLR ସମେତ ୯୧୦ଟି ଅସ୍ତ୍ର ଏବଂ ୧,୪୩୫ ରାଉଣ୍ଡ ଗୁଳି ଜବତ ହୋଇଛି। ବେଆଇନ ଲଘୁ ଖଣିଜ ଉତ୍ତୋଳନ ବିରୋଧରେ ୭,୦୭୯ ଟି ମାମଲା ରୁଜୁ କରାଯାଇ ୨,୦୦୭ ଜଣଙ୍କୁ ଗିରଫ କରାଯାଇଛି। ସ୍ୱତନ୍ତ୍ର ଅଭିଯାନରେ ୩୪,୯୭୮ ଟି non-bailable warrant କାର୍ଯ୍ୟକାରୀ କରାଯାଇଥିବା ବେଳେ ୪୪, ୦୩୬ ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି।
ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ଓଡ଼ିଶା ପୋଲିସ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛି। ‘ଅପରେସନ୍ ଅନ୍ୱେଷଣ-୨’ ଅଧୀନରେ ୨୦୨୬ ଜାନୁଆରୀରେ ମାତ୍ର ୧୦ ଦିନର ଅଭିଯାନରେ ୫,୪୫୧ ଜଣ ନିଖୋଜ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ମଧ୍ୟରେ ୭୮୬ ଜଣ ଶିଶୁ ଓ ୪,୬୬୫ ଜଣ ମହିଳା ଥିଲେ। ୨୦୨୫ରେ ୧୯,୨୧୧ ଜଣ ନିଖୋଜ ମହିଳାଙ୍କୁ ଠାବ କରାଯାଇଥିଲା, ଯାହା ସେହି ବର୍ଷ ରିପୋର୍ଟ ହୋଇଥିବା ୧୭,୭୪୭ ଜଣ ନିଖୋଜ ମହିଳାଙ୍କ ତୁଳନାରେ ଅଧିକ।
ମହିଳାଙ୍କ ବିରୋଧରେ ଅପରାଧ ବିଭିନ୍ନ ବର୍ଗରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଯୌତୁକଜନିତ ମୃତ୍ୟୁ ୩୭.୯ ପ୍ରତିଶତ, ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅସଦାଚରଣ ୩୬.୪ ପ୍ରତିଶତ, ଆତ୍ମହତ୍ୟା ୨୩.୧ ପ୍ରତିଶତ ଏବଂ ନିର୍ଯାତନା ୧୦.୯ ପ୍ରତିଶତ ହ୍ରାସ ପାଇଛି। ମହିଳା ଓ ଶିଶୁ ସମ୍ପର୍କିତ ମାମଲାର ତଦନ୍ତକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସରକାରଙ୍କ ପକ୍ଷରୁ ₹୫୦ କୋଟିର Investigation Fund ମଞ୍ଜୁର କରାଯାଇଛି।
ସାଇବର ଅପରାଧ ବର୍ତ୍ତମାନର ଏକ ନୂଆ ଚ୍ୟାଲେଞ୍ଜ ହୋଇଥିବାରୁ ଏହାର ମୁକାବିଲା ପାଇଁ ଓଡ଼ିଶା ପୋଲିସ ଏକ ସ୍ୱତନ୍ତ୍ର ଓ ସମନ୍ୱିତ ବ୍ୟବସ୍ଥା ବିକଶିତ କରିଛି। ପୂର୍ବରୁ ରାଜ୍ୟରେ ୧୪ ଗୋଟି ସାଇବର୍ ଥାନା ଥିଲା ବେଳେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ନୂତନ ଭାବେ ଆଉ ୨୦ ଟି ସାଇବର୍ ଥାନା ପ୍ରତିଷ୍ଠା କରିଛନ୍ତି । ଫଳତଃ ଅଧୁନା ୩୪ଟି ପୋଲିସ ଜିଲ୍ଲାରେ Cyber Crime & Economic Offences Police Station କାର୍ଯ୍ୟକ୍ଷମ କରାଯାଇଥିବା ବେଳେ CID-CBରେ ମଧ୍ୟ ଏକ ସ୍ୱତନ୍ତ୍ର ୟୁନିଟ୍ କାର୍ଯ୍ୟରତ ଅଛି। ଏଥିପାଇଁ ୧,୦୬୭ଟି ଅତିରିକ୍ତ ପଦ ସୃଷ୍ଟି କରାଯାଇଛି । ଏଥି ସହ ଫୋରେନସିକ୍ କ୍ଷମତା ବୃଦ୍ଧି ପାଇଁ ୧୫ କୋଟି ଟଙ୍କା ବିନିଯୋଗ କରାଯାଇଛି।
ସେହିପରି ଚଳିତ ବର୍ଷ ‘ଅପରେସନ୍ ସାଇବର କବଚ’ ମାଧ୍ୟମରେ ୩୯,୭୧୪ଟି mule account ଯାଞ୍ଚ କରାଯାଇ ୧,୪୨୨ଟି ମାମଲା ରୁଜୁ କରାଯାଇ ୩୭୯ ଜଣଙ୍କୁ ଗିରଫ କରାଯାଇ ୬୮୯ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। Cyber Helpline 1930 ମାଧ୍ୟମରେ ୨୦.୨୭ ଲକ୍ଷରୁ ଅଧିକ କଲ୍ ଗ୍ରହଣ କରାଯାଇ ପ୍ରାୟ ୩୨୮.୧୨ କୋଟି ଟଙ୍କା ନାଗରିକଙ୍କ ଅର୍ଥ ସୁରକ୍ଷିତ ରଖାଯାଇଛି। Social Media Unit ଦ୍ୱାରା ୮,୭୮୧ଟି ଅଭିଯୋଗର ସମାଧାନ, ୬୬୯ଟି ଜାଲ ହୋଟେଲ୍ ୱେବସାଇଟ୍ ବନ୍ଦ, ୪୧୯ଟି ଆପତ୍ତିଜନକ ପୋଷ୍ଟ ହଟାଯାଇଛି।
ଅକ୍ଟୋବର ୨୦୨୫ରେ ଆୟୋଜିତ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନରେ ସାଇବର ରଥ ଓ ୬୦୦ରୁ ଅଧିକ କର୍ମଶାଳା ମାଧ୍ୟମରେ ପ୍ରାୟ ୭୦ ଲକ୍ଷ ନାଗରିକ ଓ ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏହା ସହ କ୍ରାଇମବ୍ରାଞ୍ଚ ଅଧୀନରେ State Cyber Crime Coordination Centre (S4C) ପ୍ରତିଷ୍ଠା ପାଇଁ ମଞ୍ଜୁରି ମିଳିଛି, ଯାହା ରାଜ୍ୟରେ ସାଇବର ଅପରାଧ ମୁକାବିଲାକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି ଡିଜିପି ସୂଚନା ଦେଇଥିଲେ ।
ସେହିପରି ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଆହୁରି ସୁଦୃଢ଼ କରାଯାଇଛି। ୧୮ଟି ସାମୁଦ୍ରିକ ଥାନାରେ ୭୦୦ରୁ ଅଧିକ କର୍ମଚାରୀ, ୧୫ଟି Interceptor Boat, ୫ଟି ଡ୍ରୋନ୍ ଏବଂ ଆବଶ୍ୟକତା ଅନୁଯାୟୀ ଟ୍ରଲର୍ ମାଧ୍ୟମରେ ସମୁଦ୍ରରେ ନିରୀକ୍ଷଣ କ୍ଷମତା ବଢ଼ାଯାଇଛି। ଭୁବନେଶ୍ୱରରେ Command, Control & Training Centre ପ୍ରତିଷ୍ଠା କରାଯାଇଥିବା ବେଳେ “ ନଭମିତ୍ର” ମାଧ୍ୟମରେ ମାଛଧରା ନୌକାଗୁଡ଼ିକର ଟ୍ରାକିଂ କରାଯାଉଛି। ଉପକୂଳ ସୁରକ୍ଷା ପାଇଁ ଗତ ବର୍ଷ ₹୧୪୯ କୋଟି ଏବଂ ଚଳିତ ବର୍ଷ ₹୧୧୩ କୋଟି ବ୍ୟୟବରାଦ କରାଯାଇଛି। ଆଗାମୀ ଦିନରେ ୧୦ଟି ନୂଆ Fast Interceptor Patrol Boat, Mini Control Centre, Anti-Drone System ଏବଂ ମାଛଧରା ବନ୍ଦରଗୁଡ଼ିକରେ CCTV Surveillance ବ୍ୟବସ୍ଥା କରାଯିବ।
ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ଆୟୋଜିତ ସମସ୍ତ ପ୍ରମୁଖ ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି। DGP/IGP Conference 2025, Indian Navy Day, Prabasi Bharatiya Divas, Utkarsh Odisha Conclave, State-level Coastal Security Conference 2026 ଏବଂ BRICS ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ଓଡ଼ିଶା ପୋଲିସ ଉଚ୍ଚସ୍ତରୀୟ ସୁରକ୍ଷା ଓ ଆଇନ-ଶୃଙ୍ଖଳା ବ୍ୟବସ୍ଥା ସଫଳତାର ସହ ପରିଚାଳନା କରିଛି। ମାନ୍ୟବର ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି।
ଓଡ଼ିଶା ପୋଲିସର ମାନବ ସମ୍ବଳ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଏହି ଦୁଇ ବର୍ଷରେ ଆଖିଦୃଶିଆ ପଦକ୍ଷେପ ନିଆଯାଇଛି। ପୁଲିସ ବିଭାଗରେ ମୋଟ ୧୭,୪୦୦ଟି ପଦ ଅନୁମୋଦିତ ହୋଇଥିବା ବେଳେ Home Guard ମାନଙ୍କ ନିମନ୍ତେ ଅତିରିକ୍ତ ୨,୫୦୦ଟି ପଦ ସୃଷ୍ଟି କରାଯାଇଛି। ୩ ଗୋଟି OSSF ବାଟାଲିୟନ୍ ପାଇଁ ୩,୦୦୯ ପଦ, Traffic & Road Safety Wing ପାଇଁ ୧,୯୯୬ ପଦ, ୧୦ଟି ନୂଆ ODRAF Unit ପାଇଁ ୧,୦୩୫ ପଦ, ଅତିରିକ୍ତ OISF ବାଟାଲିୟନ୍ ପାଇଁ ୩,୧୨୦ ପଦ, ERSSର ତୃତୀୟ ପର୍ଯ୍ୟାୟ ପାଇଁ ୪,୧୯୫ ପଦ, ୨୦ଟି ନୂଆ Cyber Crime & Economic Offence Police Station ପାଇଁ ୧,୦୬୭ ପଦ ଏବଂ SFSL ପାଇଁ ୨୪୭ ପଦ ସୃଷ୍ଟି କରାଯାଇଛି।
ସେହିପରି ରାଇରଙ୍ଗପୁରରେ ନୂଆ Police District ଏବଂ ଚଣ୍ଡିଖୋଲରେ ନୂଆ SDPO Office କାର୍ଯ୍ୟକ୍ଷମ କରାଯାଇଛି। ପୋଲିସ ପଇଁତରା ବ୍ୟବସ୍ଥାରେ ଗତିଶୀଳତା ଓ ତ୍ୱରିତ ପ୍ରତିକ୍ରିୟା କ୍ଷମତା ବୃଦ୍ଧି ପାଇଁ ରାଜ୍ୟର ୬୪୯ ଟି ଥାନାକୁ ୬୪୯ଟି ଅତିରିକ୍ତ Scorpio ଯାନ ସହ ପ୍ରତ୍ୟେକ ଗାଡି ନିମନ୍ତେ ଦୁଇଜଣ ଡ୍ରାଇଭରଙ୍କ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ Investigating Officerଙ୍କୁ ତଦନ୍ତ ନିମନ୍ତେ ଯାତାୟତ ପାଇଁ ସମୁଦାୟ ୪,୭୮୭ଟି ଦୁଇଚକିଆ ଯାନ ଏବଂ ଡିଜିଟାଲ ପ୍ରମାଣ ସଂଗ୍ରହ ନିମନ୍ତେ Smartphone ଓ Laptop ପ୍ରଦାନ କରାଯାଇଥିବା ବେଳେ ତଦନ୍ତରେ ଫୋରେନସିକ୍ ସହାୟତାକୁ ତ୍ୱରାନ୍ୱିତ କରିବା ପାଇଁ ୩୬ଟି Mobile Forensic Van କ୍ରୟ କରାଯାଇଛି।
ଓଡ଼ିଶା ପୋଲିସର ୯୦ତମ ପ୍ରତିଷ୍ଠା ବର୍ଷରେ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତର ମାନ୍ୟବର ରାଷ୍ଟ୍ରପତି ଓଡ଼ିଶା ପୋଲିସକୁ ସମ୍ମାନଜନକ President’s Police Colour (‘ରାଷ୍ଟ୍ରପତିଙ୍କ ନିଶାନ’) ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ଏହା ଦେଶର ଏକ ପୋଲିସ ବାହିନୀକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନମାନଙ୍କ ମଧ୍ୟରୁ ଅନ୍ୟତମ। ୧ ଏପ୍ରିଲ ୧୯୩୬ରେ ଓଡ଼ିଶା ପୋଲିସର ପ୍ରତିଷ୍ଠାଠାରୁ ଦୀର୍ଘ ୯୦ ବର୍ଷ ଧରି ସାହସ, ନିଷ୍ଠା, ଶୃଙ୍ଖଳା, ଉତ୍କର୍ଷ ଓ ଜଣ ସାଧାରଣଙ୍କ ପ୍ରତି ବିଶିଷ୍ଟ ସେବାର ଏହା ଏକ ଗୌରବମୟ ସ୍ୱୀକୃତି।
ଓଡ଼ିଶାର ଜନସାଧାରଣ, ପ୍ରଶାସନ ଓ ସୁରକ୍ଷା ବାହିନୀଙ୍କ ମିଳିତ ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଆଇନ-ଶୃଙ୍ଖଳା ରକ୍ଷା ସହିତ ନାଗରିକଙ୍କ ଅଧିକାର, ସୁରକ୍ଷା ଓ ସମ୍ମାନକୁ ସର୍ବାଧିକ ପ୍ରାଥମିକତା ଦେଇ ଓଡ଼ିଶା ପୋଲିସ ନିଜର କାର୍ଯ୍ୟଶୈଳୀକୁ ଅଧିକ ଜନମୁଖୀ, ପ୍ରଯୁକ୍ତିଭିତ୍ତିକ ଓ ଫଳାଫଳମୁଖୀ କରିବା ଦିଗରେ ଆଗେଇ ଚାଲିଛି।
ଆଗାମୀ ଦିନରେ ଅପରାଧ ନିୟନ୍ତ୍ରଣ ସହ ତ୍ଵରିତ ପଦକ୍ଷେପ, ଦ୍ରୁତ ଓ ବୈଜ୍ଞାନିକ ତଦନ୍ତ, ଉନ୍ନତ ଫୋରେନସିକ୍ ବ୍ୟବସ୍ଥା, ସାଇବର ସୁରକ୍ଷା, ମହିଳା ଓ ଶିଶୁଙ୍କ ସୁରକ୍ଷା, ନିଶାମୁକ୍ତ ଓଡ଼ିଶା, ଉପକୂଳ ସୁରକ୍ଷା ଏବଂ ପୋଲିସ ନିରନ୍ତର ଆଧୁନିକୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ ।
ଏହି ଅବସରରେ ଓଡ଼ିଶା ପୋଲିସକୁ ଆବଶ୍ୟକୀୟ ସମ୍ବଳ, ସହାୟତା ଓ ନିରନ୍ତର ସମର୍ଥନ ଯୋଗାଇ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଡିଜିପି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ଦୃଢ଼ ସମର୍ଥନ, ମାର୍ଗଦର୍ଶନ ଓ ଆବଶ୍ୟକ ସମ୍ବଳ ଯୋଗାଣ ଫଳରେ ଓଡ଼ିଶା ପୋଲିସର ଦକ୍ଷତା, ଭିତ୍ତିଭୂମି ଓ କାର୍ଯ୍ୟକ୍ଷମତା ଆହୁରି ସୁଦୃଢ଼ ହୋଇପାରିଛି ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଅବସରରେ ଓଡିଶା ପୋଲିସକୁ ଆବଶ୍ୟକୀୟ ସମ୍ବଳ, ସହାୟତା ଓ ନିରନ୍ତର ସମର୍ଥନ ଯୋଗାଇ ଦେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଡିଜିପି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ। ରାଜ୍ୟ ସରକାରଙ୍କ ଦୃଢ ସମର୍ଥନ, ମାର୍ଗଦର୍ଶନ ଓ ଆବଶ୍ୟକ ସମ୍ବଳ ପ୍ରଦାନ କରି ଓଡିଶା ପୋଲିସର ଦକ୍ଷତା, ଭିତ୍ତିଭୂମି ଓ କାର୍ଯ୍ୟ କ୍ଷମତା ଆହୁରି ସୁଦୃଢ ହୋଇପାରିଛି ବୋଲି ଡିଜିପି ଉଲ୍ଲେଖ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق