OBCରେ 'କ୍ରିମି ଲେୟାର' ପାଇଁ ସଂରକ୍ଷଣ ଦାବି କରୁଥିବା ଲୋକଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ- "ତୁମ ବାପା-ମାଆ IAS, ତଥାପି କୋଟା ଦରକାର?"
ଦେଶରେ ସଂରକ୍ଷଣର ସୀମା ଏବଂ 'କ୍ରିମି ଲେୟାର'କୁ ନେଇ ପୁଣିଥରେ ବେଶ୍ ଚର୍ଚ୍ଚା ଜୋର ଧରିଛି। ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ଏବଂ କ୍ରିମି ଲେୟାରକୁ ନେଇ ହୋଇଥିବା ଶୁଣାଣିରେ ଏହି ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଜଣେ ପ୍ରାର୍ଥୀଙ୍କ ବାପା-ମାଆ ଉଭୟ IAS ଅଧିକାରୀ, ତେବେ ସେ କାହିଁକି ସଂରକ୍ଷଣର ଲାଭ ପାଇବା ଉଚିତ୍।
ବିଚାରପତି ବି.ଭି. ନାଗରତ୍ନା ଏବଂ ବିଚାରପତି ଉଜ୍ଜଲ ଭୁଇଁୟାଙ୍କ ବେଞ୍ଚ କହିଛନ୍ତି ଯେ, ସଂରକ୍ଷଣ କ୍ଷେତ୍ରରେ କେବଳ ଆର୍ଥିକ ନୁହେଁ, ସାମାଜିକ ସ୍ଥିତିକୁ ମଧ୍ୟ ଦେଖିବା ଉଚିତ୍। ଏହି ମନ୍ତବ୍ୟ ବିଚାରପତି ବି.ଭି. ନାଗରତ୍ନା ଦେଇଛନ୍ତି। ଏହି ମାମଲାରେ ସେହି ନିୟମକୁ ଚ୍ୟାଲେଞ୍ଜ କରାଯାଇଥିଲା, ଯେଉଁଥିରେ ବାପା-ମାଆଙ୍କ ଚାକିରିକୁ ଆଧାର କରି ପିଲାମାନଙ୍କୁ ‘କ୍ରିମି ଲେୟାର’ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିବାକୁ ଭୁଲ ବୋଲି ଦର୍ଶାଯାଇଥିଲା।
ସୁପ୍ରିମକୋର୍ଟଙ୍କ ଏହି ମନ୍ତବ୍ୟ ସଂରକ୍ଷଣ ବ୍ୟବସ୍ଥାରେ ‘କ୍ରିମି ଲେୟାର’ର ଗୁରୁତ୍ୱ ଏବଂ ଏହାର ସମାଜିକ ପ୍ରଭାବ ଉପରେ ଏକ ଗମ୍ଭୀର ଚର୍ଚ୍ଚା ସୃଷ୍ଟି କରିଛି। କୋର୍ଟ କହିଛନ୍ତି ଯେ, IAS ଅଧିକାରୀଙ୍କ ପିଲାମାନେ ସଂରକ୍ଷଣ ଦାବି କରିବା ସଠିକ ବୋଲି ମନେହୁଏ ନାହିଁ। ତଥାପି, ଏହି ମନ୍ତବ୍ୟ ଦେବା ସତ୍ତ୍ୱେ ସୁପ୍ରିମକୋର୍ଟ ଯାଚିକାକୁ ଶୁଣାଣି ପାଇଁ ଗ୍ରହଣ କରି ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସେହି ଯାଚିକାଗୁଡ଼ିକ ଉପରେ ଶୁଣାଣି କରୁଛନ୍ତି, ଯେଉଁଥିରେ ପଛୁଆ ବର୍ଗର ‘କ୍ରିମି ଲେୟାର’ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ଦାବି କରାଯାଇଛି।
ଏହି ସମୟରେ ବିଚାରପତି ବି.ଭି. ନାଗରତ୍ନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ‘ପ୍ରାର୍ଥୀଙ୍କ ବାପା-ମାଆ IAS ଅଧିକାରୀ, ସରକାରୀ ଚାକିରିରେ ଅଛନ୍ତି। ସେମାନେ ଏକ ଭଲ ସ୍ଥିତିରେ ଅଛନ୍ତି। ଏବେ ସରକାର ଏହି ଲୋକମାନଙ୍କୁ ସଂରକ୍ଷଣରୁ ବାହାର କରିଦେଇଛନ୍ତି, ତେଣୁ ସେମାନେ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି।’
କୋର୍ଟ କହିଛନ୍ତି, ‘ଶିକ୍ଷାଗତ ଏବଂ ଆର୍ଥିକ ସଶକ୍ତୀକରଣ ସହିତ ସାମାଜିକ ସ୍ଥିରତା ମଧ୍ୟ ଆସିଥାଏ। ତଥାପି ଯଦି ପିଲାମାନଙ୍କ ପାଇଁ ସଂରକ୍ଷଣ ଦାବି କରାଯିବ, ତେବେ ଏଥିରୁ ଆମେ କେବେ ମୁକ୍ତି ପାଇପାରିବୁ ନାହିଁ। ଆମକୁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ।’ ମାମଲାରେ ଉପସ୍ଥିତ ବରିଷ୍ଠ ଆଇନଜୀବୀ ଶଶାଙ୍କ ରତନୁ କହିଛନ୍ତି ଯେ, ଯେଉଁମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି, ସେମାନଙ୍କୁ ଦରମା ଆଧାରରେ ନୁହେଁ ବରଂ ସେମାନଙ୍କ ସାମାଜିକ ସ୍ଥିତି ଆଧାରରେ ସଂରକ୍ଷଣରୁ ବାହାର କରାଯାଇଛି। ସେ ଏହାର ଗଭୀର ଯାଞ୍ଚ ଦାବି କରି କହିଛନ୍ତି ଯେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ (EWS) ଏବଂ କ୍ରିମି ଲେୟାର ମଧ୍ୟରେ ପାର୍ଥକ୍ୟ ରହିବା ଆବଶ୍ୟକ। ଏହା ଉପରେ ବିଚାରପତି ନାଗରତ୍ନା କହିଛନ୍ତି ଯେ, EWSରେ ସାମାଜିକ ପଛୁଆପଣ ନୁହେଁ, କେବଳ ଆର୍ଥିକ ପଛୁଆପଣର କଥା କୁହାଯାଇଛି।
ଶଶାଙ୍କ ରତନୁ ଏହା ଉପରେ ଯୁକ୍ତି ବାଢ଼ିଛନ୍ତି ଯେ, କ୍ରିମି ଲେୟାର ମାମଲାରେ ମାନଦଣ୍ଡ EWS ତୁଳନାରେ ଅଧିକ ଉଦାର ହେବା ଉଚିତ୍। ସେ କହିଛନ୍ତି ଯେ ଯଦି ଉଭୟ ବର୍ଗକୁ ସମାନ ଭାବେ ଦେଖାଯିବ, ତେବେ ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ରହିବ ନାହିଁ। ବିଚାରପତି ନାଗରତ୍ନା କହିଛନ୍ତି ଯେ ସନ୍ତୁଳନ ବଜାୟ ରଖିବା ଜରୁରୀ। ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି ଶିକ୍ଷାଗତ ବା ଆର୍ଥିକ ଦୃଷ୍ଟିରୁ ପଛୁଆ ଥିଲେ ମଧ୍ୟ, ଯେତେବେଳେ ସଂରକ୍ଷଣର ଲାଭ ଉଠାଇ ତାଙ୍କ ବାପା-ମାଆ ଏକ ନିର୍ଦ୍ଦିଷ୍ଟ ସ୍ତର ହାସଲ କରିନିଅନ୍ତି, ସେତେବେଳେ ସ୍ଥିତି ବଦଳିଯାଏ। ଏହାପରେ କୋର୍ଟ ନୋଟିସ ଜାରି କରି ସମ୍ପୃକ୍ତ ପକ୍ଷମାନଙ୍କଠାରୁ ଜବାବ ମାଗିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق