BREAKING
Loading...
:

ସିରିପେଟା ସରକାରୀ ସ୍କୁଲରେ ‘ପ୍ରାଚୀର ପତ୍ରିକା’ ଉନ୍ମଚିତ

 



ସିରିପେଟା ସରକାରୀ ସ୍କୁଲରେ ‘ପ୍ରାଚୀର ପତ୍ରିକା’ ଉନ୍ମଚିତ: ଛାତ୍ରଛାତ୍ରୀଙ୍କ ସୃଜନଶୀଳ ପ୍ରତିଭାର ବିକାଶରେ ସହାୟକ ହେବ ଏହି ଅଭିନବ ପ୍ରୟାସ

ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାର୍ଗଦର୍ଶନ ଓ ଅଭିନବ ପ୍ରୟାସରେ ଖଇରପୁଟ ବ୍ଲକର ସିରିପେଟା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଜାନୁଆରୀ ମାସ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।    ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ବିଦ୍ୟାଳୟର ‘ପ୍ରାଚୀର ପତ୍ରିକା’ ଏବଂ ‘ଜ୍ଞାନ ପ୍ରାଚୀର’ ଶୁଭ ଉନ୍ମଚନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟି (SMC) ର ଅଧ୍ୟକ୍ଷ ସନାତନ ମାଢି ଏବଂ ପରକାନମାଲା ସି.ଆର.ସି.ସି (CRCC) କର୍ଣ୍ଣ ଭତ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉନ୍ମଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ୱାର୍ଡ ସଭ୍ୟା ନୀଳା ପୂଜାରୀ, ଆଶାକର୍ମୀ ଗୁରୁବାରୀ ପୂଜାରୀ ଏବଂ ମାଁ ତାରିଣୀ SHG ର ସଭାନେତ୍ରୀ ଭାରତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅଭିନବ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିଖିବାର ଆଗ୍ରହ ବୃଦ୍ଧି କରିବା ସହ ସେମାନଙ୍କର ବୌଦ୍ଧିକ ବିକାଶରେ ବିଶେଷ ସହାୟକ ହେବ। ଏହା ମାଧ୍ୟମରେ ପିଲାମାନେ ନିଜର ଲୁକ୍କାୟିତ ସାହିତ୍ୟିକ ଓ କଳା ପ୍ରତିଭାକୁ ପ୍ରଦର୍ଶିତ କରିବା ପାଇଁ ଏକ ବଳିଷ୍ଠ ମଞ୍ଚ ପାଇପାରିଛନ୍ତି। ‘ଜ୍ଞାନ ପ୍ରାଚୀର’ ଦ୍ୱାରା ପିଲାମାନେ ଦୈନନ୍ଦିନ ନୂଆ ନୂଆ ତଥ୍ୟ ଶିଖିବା ସହ ସେମାନଙ୍କ ସାଧାରଣ ଜ୍ଞାନ ବୃଦ୍ଧି ପାଇବ, ଯାହା ଭବିଷ୍ୟତରେ ସେମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ସଫଳତା ଦେବାରେ ସାହାଯ୍ୟ କରିବ। ଏଥି ସହିତ ବିଦ୍ୟାଳୟରେ ଏକ ସୃଜନଶୀଳ ଶୈକ୍ଷିକ ବାତାବରଣ ସୃଷ୍ଟି ହୋଇପାରିଛି।

ଏହି ପ୍ରାଚୀର ପତ୍ରିକାକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ବହୁଳ ଭାବରେ ସାହାଯ୍ୟ ଓ ମାର୍ଗଦର୍ଶନ କରିଛନ୍ତି। ଶିକ୍ଷକମାନଙ୍କ ପ୍ରେରଣା ଯୋଗୁଁ ପିଲାମାନେ ସୁନ୍ଦର କବିତା, ଗଳ୍ପ ଓ ଚିତ୍ରକଳାର ଏକ ଚମତ୍କାର ପ୍ରଦର୍ଶନ କରିଛନ୍ତି।

ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ମହାରଣାଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରୀ, SMC ଓ SMDC ସଦସ୍ୟ ଏବଂ SHG ମହିଳାମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ (DEO), ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ADEO) ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ଏହି କାର୍ଯ୍ୟକ୍ରମ ପାଇଁ ସ୍କୁଲ ପରିବାରକୁ ଉଚ୍ଚ ପ୍ରଶଂସା କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS