ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର କଳା ଦିବସ l
ନିମାପଡା :- ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପୁରୀ ଜିଲ୍ଲା ତରଫରୁ ସରକାରୀ ଅନୁଦାନ ଦାବିରେ ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀମାନେ ପବିତ୍ର " ଗୁରୁ ଦିବସକୁ କଳା ଦିବସ " ରୂପେ ପାଳନ କରିଛନ୍ତି l ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ଜୟଗୁରୁ ଶିକ୍ଷା ନିକେତନରେ ପୁରୀ ଜିଲ୍ଲାର ସମସ୍ତ ଅଧ୍ୟାପକ କର୍ମଚାରୀମାନେ ଏକତ୍ରିତ ହୋଇ ସରକାରଙ୍କର ଅଧ୍ୟାପକ କର୍ମଚାରୀଙ୍କ ପ୍ରତି ଚରମ ଅବହେଳାକୁ ବିରୋଧ କରି ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରିଛନ୍ତି l ସୂଚନାଯୋଗ୍ୟ ବେସରକାରୀ ମହାବିଦ୍ୟାଳୟମାନଙ୍କରେ ପରିଚାଳନା କମିଟି ଦ୍ୱାରା ୨୦୦୮ ରୁ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀ ଦୀର୍ଘ ୧୭ ବର୍ଷ କାର୍ଯ୍ୟ କଲା ପରେ ମଧ୍ୟ ସେମାନଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରାଯାଇ ନାହିଁ l ସଂଘ ତରଫରୁ ୪୯୭ ଦିନ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଢ଼ ଲକ୍ଷ ଦସ୍ତଖତ ପତ୍ର ପ୍ରଦାନ କରାଯାଇଛି, ଦଶ ହଜାର ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି, ୩୦ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି, ୧୨୦ ବିଧାୟକଙ୍କ ଅନୁମୋଦନ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି l ତଥାପି ସରକାର କୌଣସି ନିଷ୍ପତି ନେଲେ ନାହିଁ l ତେଣୁ ଶିକ୍ଷକ ଦାବି ଦିବସ ଅଗଷ୍ଟ ୧୬ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଓଡିଶାର ସମସ୍ତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି l କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ୧୯ ଦିନ କାର୍ଯ୍ୟବନ୍ଦ କଲା ପରେ ମଧ୍ୟ ସରକାର ସଂଘ ସହ କୌଣସି ଆଲୋଚନା କଲେ ନାହିଁ l ସରକାରଙ୍କ ଶିକ୍ଷକମାରଣ ନୀତିର ବିରୋଧ କରି ପବିତ୍ର ଗୁରୁ ଦିବସକୁ କଳା ଦିବସ ରୂପେ ପାଳନ କରାଯାଇଛି ବୋଲି ସଂଘର ସଂଯୋଜକ ଅଧ୍ୟାପକ ଜୀବନ ଦାଶ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ଗୋପ ଖଣ୍ଡର ସଂଯୋଜକ ଡକ୍ଟର ବନମାଳୀ ବେହେରା, କାକଟପୁର ଖଣ୍ଡର ସଂଯୋଜକ ଡକ୍ଟର କବିତା ତିଆଡ଼ି, ଅଧ୍ୟାପକ ଆଶିଷ କୁମାର ମହାପାତ୍ର, ଅଧ୍ୟାପକ ସ୍ୱୟଂ ବିକାଶ ରଥ, ବିକ୍ରମ କେଶରୀ ବରିହା ପ୍ରଭୁତି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق