ଚାକିରିରୁ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ ବସନ୍ତ କୁମାର ଦାଶ
ଗଣିଆ ୦୧/୯(ମଣିଭଦ୍ରା ଖବର) ନିଜର ଡ୍ୟୁଟି ଠିକରେ ନକରିବା ଏବଂ ସରକାରୀ ଅର୍ଥ ହେରଫେର ଅଭିଯୋଗରେ ଜଣେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନିଲମ୍ୱନ କରିଛନ୍ତି ବ୍ଳକ ଶିକ୍ଷା ଅଧିକାରୀ । ଏ ଘଟଣା ଜଣାପଡ଼ିବା ପରେ ଗଣିଆ ବ୍ଳକ ଶିକ୍ଷକ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଘଟଣାରୁ ଜଣାପଡିଛି ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଜଗନ୍ନାଥ ପ୍ରସାଦ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ବସନ୍ତ କୁମାର ଦାଶଙ୍କ ନାମରେ ଅନେକ ଅଭିଯୋଗ ହୋଇଥିଲା । ଡ୍ୟୁଟି ଠିକରେ ନକରିବା, ସରକାରୀ ଅର୍ଥ ହେରଫେର କରିବା, ବିଦ୍ୟାଳୟର କାଗଜପତ୍ର ଠିକ୍ ନକରିବା ଆଦି ଅଭିଯୋଗ ପରେ ଉକ୍ତ ଗ୍ରାମର ଗ୍ରାମବାସୀ ଗତବର୍ଷ ଅକ୍ଟୋବର ମାସ ୧୯ ତାରିଖରେ ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ପରିସରରେ ତାଲା ପକାଇଥିଲେ । ଘଟଣାସ୍ଥଳରେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ ପହଞ୍ଚି ପ୍ରଧାନଶିକ୍ଷକଙ୍କୁ ସେଠାରୁ ମୁକୁଳାଇବା ସହିତ ତାଙ୍କୁ ଡେପୁଟେସନରେ ରାଇଗାଡିଆ ବିଦ୍ୟାଳୟକୁ ପଠାଯାଇଥିଲା । ତେବେ ଏ ନେଇ ଗ୍ରାମବାସୀ ମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଏ ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ତେବେ ଆଜି ବ୍ଳକ ଶିକ୍ଷା ଅଧିକାରୀ ପ୍ରଧାନଶିକ୍ଷକ ବସନ୍ତ କୁମାର ଦାଶଙ୍କୁ ନିଲମ୍ୱନ କରିଥିବା ଜଣାପଡିଛି ।
ନିଲମ୍ବନ ସମୟରେ ସେ ରାଇଗାଡିଆ ବିଦ୍ୟାଳୟରେ ନିଜର ହାଜିରା ପକାଇବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ଗଣିଆରେ ଏଭଳି ଅନେକ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା କରିବା ସହିତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ୨୫ ବର୍ଷରୁ ଅଧିକ ସମୟ ନିଜର ଆସ୍ଥାନ ଜମାଇ ସକ୍ରିୟ ରାଜନୀତିରେ ଅଂଶ ଗ୍ରହଣ କରୁଥିବା ବେଳେ ସେମାନଙ୍କ ପ୍ରତି ବିଭାଗୀୟ ଅଧିକାରୀ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।
ମଣିଭଦ୍ରା ଖବର, ଗଣିଆ
إرسال تعليق