ପେନ୍ସନ ଓ ଚାକିରି ସର୍ତ୍ତାବଳୀ
ଦାବିରେ ୬୬୨ ବର୍ଗ କଲେଜ ସଂଘ: ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବୀ ପତ୍ର ପ୍ରଦାନ
ବରଗଡ (ମଣିଭଦ୍ରା ଖବର)
ପେନସନ ଓ ଚାକିରି ସର୍ଭାବଳୀ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ୬୬୨ ବର୍ଗ କଲେଜ ସଂଘ। ବରଗଡ ଜିଲ୍ଲା ୬୬୨ ବର୍ଗ ଅନ୍ତର୍ଗତ ମହାବିଦ୍ୟାଳୟ ଗୁଡ଼ିକର ଅଧ୍ୟାପକ ଓ କର୍ମଚାରୀ ମାନେ ଗାନ୍ଧୀ ଛକ ନିକଟରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ । ଏହାପରେ ପେନସନ ଓ ଚାକିରି ସର୍ତ୍ତାବଳୀ ସମ୍ବଳିତ ଦାବିପତ୍ରକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲା ସଂଘର ସଭାପତି ଅଶୋକ କୁମାର ବେହେରା, ଉପ ସଭାପତି ଗୋପାଳକୃଷ୍ଣ ମିଶ୍ର, ସମ୍ପାଦକ ସୁଶାନ୍ତ ମିଶ୍ର, ସହ ସଂପାଦକ ଜଗଦୀଶ ଦେବତା, କୋଷାଧ୍ୟକ୍ଷ ସୁରେଶ ପରିଡ଼ା, ଅଧ୍ୟାପକ ବିଜୟ ମିଶ୍ର, ତାରିଣୀ ଦେବତା, ପ୍ରଶାନ୍ତ ପଣ୍ଡା, ସରୋଜ ଦେବତା, ନମିତା ବିଶି, ରାଜଶ୍ରୀ ମିଶ୍ରଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ପ୍ରମୁଖ ଉପସ୍ଥିତ ହୋଇ ଦାବୀପତ୍ର ପ୍ରଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ଏହି ବର୍ଗର କଲେଜଗୁଡ଼ିକ ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାର ପ୍ରାୟ ୭୦ଭାଗ ଦାୟିତ୍ଵ ବହନ କରୁଥିବାବେଳେ ସରକାର ସବୁବେଳେ ଏମାନଙ୍କୁ ଉପେକ୍ଷା କରୁଥିବା ଅଭିଯୋଗ ହେଉଛି। ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି ଯେ, ୩୦ ବର୍ଷ ପୂର୍ବରୁ ସ୍ଥାପିତ ହୋଇ ଆସିଥିବା ଏହି ମହାବିଦ୍ୟାଳୟ ଗୁଡିକ
ପର୍ଯ୍ୟାୟକ୍ରମେ ଅନୁଦାନ ପରିସରଭୁକ୍ତ ହୋଇଥିଲେ ମଧ୍ୟ ଏହି ବର୍ଗର କର୍ମଚାରୀଙ୍କୁ ସରକାର ଏପର୍ଯ୍ୟନ୍ତ ଚାକିରି ସର୍ତ୍ତାବଳୀ ଦେଇନାହାନ୍ତି କି
ପେନସନ ପରିସରଭୁକ୍ତ କରି ନାହାନ୍ତି ।
ଫଳରେ ଅଧ୍ୟାପକ ଓ କର୍ମଚାରୀମାନେ
ଖାଲି ହାତରେ ଅବସର ନେଉଛନ୍ତି। ପେନ୍ସନ, ଗ୍ରାଚ୍ୟୁଇଟି କିମ୍ବା କୌଣସି ଅବସରକାଳୀନ ସୁବିଧାରୁ ବଞ୍ଚିତ ଏହି କର୍ମଚାରୀମାନେ ଅବସର ପରେ ମାତ୍ରାଧିକ ଯନ୍ତ୍ରଣା ଭୋଗ କରୁଛନ୍ତି ।
ଏ ନେଇ ସରକାରଙ୍କ ନିକଟରେ
ବାରମ୍ବାର ଦାବୀ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନାହିଁ । ରାଜ୍ୟରେ ନୂଆ ସରକାର ଆସିବାର ଏକ
ବର୍ଷ ବିତି ଯାଇଥିଲେ ମଧ୍ୟ ନୂତନ ପେନସନ ନୀତି ଘୋଷଣା କରିନାହାନ୍ତି । ନୂତନ ସରକାରଙ୍କୁ ସମ୍ମାନ ଜଣାଇ ସଂଘ ଏକବର୍ଷ ହେଲା ଆନ୍ଦୋଳନକୁ ସ୍ଥଗିତ ରଖି ସରକାରଙ୍କ ସହ ଆଲୋଚନା ପାଇଁ ପ୍ରୟାସ କରିଥିଲା। କିନ୍ତୁ ଏହାଦ୍ଵାରା କୌଣସି ସୁଫଳ ଏପର୍ଯ୍ୟନ୍ତ ମିଳିଲା ନାହିଁ । ଏହାର ପ୍ରତିବାଦରେ ବାଧ୍ୟ ହୋଇ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଯଦି ସରକାର ସଂଘ ସହିତ ଆଲୋଚନା କରି ସମାଧାନର ବାଟ ବାହାର ନ କରନ୍ତି ତା'ହେଲେ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱର ଲୋଅର ପିଏମ୍ଜିରେ ବିଶାଳ ସମାବେଶ କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق