ବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ କଲୋନୀ ପରିସରରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସ, ବିଡ଼ିଓ ସାଗର କୁମାର ନନ୍ଦଙ୍କ ସମେତ ବହୁ ବୁଦ୍ଧିଜୀବୀ, ମହିଳା ତଥା ଜନସାଧାରଣ ଉପସ୍ଥିତ ଥିଲେ । ଏଲଇଡ଼ି ମାଧ୍ୟମରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଦେଖିଥିଲେ ଉପସ୍ଥିତ ଜନସାଧାରଣ । ପୁରୀ ଠାରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଲୋକତନ୍ତ୍ରକୁ ସଶକ୍ତ କରିବାକୁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଡହଡହ ଖରାରେ ପ୍ରବଳ ଗୁଳୁଗୁଳିରେ ଦିବା ୨ ଘଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉପସ୍ଥିତ ଜନସାଧାରଣ ଖରାରେ ଡହଳବିକଳ ହେଉଥିବା ଦେଖିବାକୁ ମିଳିଥିଲା । ବ୍ଳକ ତରଫରୁ ପାନୀୟ ଜଳ ବ୍ୟବସ୍ଥା କରିଥିଲେ ମଧ୍ୟ ଅସହ୍ୟ ତାତିରୁ ନିସ୍ତାର ନଥିଲା । ବିଭିନ୍ନ ପଞ୍ଚାୟତର ୩୨ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା । ସେଥିମଧ୍ୟରୁ ଗଣିଆ ପଞ୍ଚାୟତର ୫ ଜଣ, ବଡସିଲିଙ୍ଗା ପଞ୍ଚାୟତର ଜଣେ,ଆଡକଟା ପଞ୍ଚାୟତର ୩ ଜଣ, ବେଲପଡାପାଟଣା ପଞ୍ଚାୟତର ୭ ଜଣ, ଛାମୁଣ୍ଡିଆ ପଞ୍ଚାୟତର ୬ ଜଣ,କରଡାପଡା ପଞ୍ଚାୟତର ୩ ଜଣ, କିଶୋର ପ୍ରସାଦ ପଞ୍ଚାୟତର ୨ ଜଣ,ରାସଙ୍ଗ ପଞ୍ଚାୟତର ୫ ଜଣ ବୋଲି ଜଣାପଡିଛି । ଉପସ୍ଥିତ ଅତିଥି ମାନେ ଏହି କାର୍ଡ ଗୁଡିକୁ ବଣ୍ଟନ କରିଥିଲେ । ବିଭିନ୍ନ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟରେ ସଫଳତାର ସହିତ କାର୍ଯ୍ୟ କରିଥିବାରୁ ସରପଞ୍ଚ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।
ମଣିଭଦ୍ରା ଖବର, ଗଣିଆ
Post a Comment