ବ୍ଲକଗ୍ରାଣ୍ଟ ବିଦ୍ୟାଳୟକୁ ଉପେକ୍ଷା,ଗରମରେ ସଢ଼ୁଛନ୍ତି ଛାତ୍ର ଛାତ୍ରୀ, ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି
ଗଣିଆ (ମଣିଭଦ୍ରା ଖବର) ରାଜ୍ୟରେ ଗ୍ରୀଷ୍ମପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତକାଲି ୯ଟି ସହରର ତାପମାତ୍ରା ୩୫° ଉପରେ ରହିଥିଲା । ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଏପରିକି ଅଚଳ ନଳକୂପ ସଚଳ କରିବା ସହିତ ବିଦ୍ୟୁତ୍ କାଟ୍ ନକରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଗଣିଆ ବ୍ଳକରେ ଥିବା ବ୍ଲକଗ୍ରାଣ୍ଟ ବିଦ୍ୟାଳୟ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟ ଓ ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦରେ ଦୀର୍ଘ ଦିନ ହେବ ବିଦ୍ୟୁତ୍ ସଂଯୋଗ ନାହିଁ । ଫଳରେ ଛାତ୍ର ଛାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ଛାତ୍ର ଛାତ୍ରୀ ମାନେ ବିନା ଫ୍ୟାନରେ ଶ୍ରେଣୀଗୃହ ପରିସରରେ ବସି ପାଠ ପଢି ପାରୁ ନାହାନ୍ତି । ଫଳରେ ଛାତ୍ର ଛାତ୍ରୀ ବାରଣ୍ଡାରେ ବସି ରହୁଥିବା ଦେଖିବାକୁ ମିଳିଛି । ଏବେ ୯ମ ଶ୍ରେଣୀ ପରୀକ୍ଷା ଚାଲିଥିବା ବେଳେ ଆଗକୁ ୮ମ ଶ୍ରେଣୀ ପରୀକ୍ଷା ଅଛି । ଅସହ୍ୟ ଗରମରେ ଛାତ୍ର ଛାତ୍ରୀ ପରୀକ୍ଷା ଦେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନଥିବା ପ୍ରକାଶ କରିଛନ୍ତି । ଏପରିକି ଉକ୍ତ ଦୁଇଟି ବିଦ୍ୟାଳୟ ସ୍ମାର୍ଟ୍ ସ୍କୁଲର ମାନ୍ୟତା ପାଇଥିଲେ ମଧ୍ୟ ବିଦ୍ୟୁତ୍ ନଥିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ଗଣିଆ ବ୍ଳକ ଶିକ୍ଷା ବିଭାଗ ସବୁ ଜାଣିଶୁଣି ନିରବଦ୍ରଷ୍ଟା ସାଜିଛି । ଶିତତାପ ନିୟନ୍ତ୍ରଣ କକ୍ଷରେ ରହି ସେମାନେ ଛାତ୍ର ଛାତ୍ରୀ ମାନଙ୍କ ଅସୁବିଧା ଦେଖିପାରୁ ନାହାନ୍ତି । ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବାକୁ ଥିବାରୁ ଛାତ୍ର ଛାତ୍ରୀ ମାନଙ୍କର ଯଦି କୌଣସି ଅସୁବିଧା ହୁଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟ ତରଫରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ତେବେ ତୁରନ୍ତ ଉପରୋକ୍ତ ଦୁଇଟି ବିଦ୍ୟାଳୟରେ ବିଦ୍ୟୁତ୍ ସଂଯୋଗ କରିବାକୁ ଅଭିଭାବକ ମହଲରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق