ସରକାରଙ୍କ 'ବିକାଶର ଧାରା, ଓଡ଼ିଶା ସାରା' କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ପ୍ରଶାସନର ଉଦ୍ୟମ,ବ୍ୟାନରରେ ଓଡିଆ ବନାନ ଭୁଲ୍
ଗଣିଆ (ମଣିଭଦ୍ରା ଖବର) କମିଶନର ଓ ସଚିବ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ଚିଠି ସଂଖ୍ୟା ୧୫୫୧୦ ଏବଂ ତାରିଖ ୦୫/୦୬/୨୬ ଅନୁଯାୟୀ ଜୁନ ମାସ ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ 'ବିକାଶର ଧାରା, ଓଡ଼ିଶା ସାରା' କାର୍ଯ୍ୟକ୍ରମ ପାଳନ କରାଯିବାକୁ ସ୍ଥିର କରାଯାଇଛି । ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ ହୋଇଥିବା ବିକାଶ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ସରକାରଙ୍କର ଏହି ଅଭିନବ ପ୍ରୟାସକୁ କିନ୍ତୁ ଭଣ୍ଡୁର କରିବାକୁ ଚେଷ୍ଟା ଚଲାଇଛି ଗଣିଆ ବ୍ଳକ ପ୍ରଶାସନ । ପ୍ରଶାସନ ତରଫରୁ ଜଣେ କରିତକର୍ମା ବାବୁଙ୍କୁ ସମସ୍ତ ଦାୟିତ୍ବ ନ୍ୟସ୍ତ କରାଯାଇଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମ ଦୁଇ ଦିନ ହେବ ପାଳନ ହେଉଥିଲେ ମଧ୍ୟ ଗୋଟିଏ ବି କୈଣସି ଗଣମାଧ୍ୟମର ଶିରୋନାମା ପାଲଟିଲା ନାହିଁ । ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର ଗଣମାଧ୍ୟମ ମାଧ୍ୟମରେ ହେବାକୁ ଥିବା ବେଳେ ସ୍ଥାନୀୟ ଗଣମାଧ୍ୟମକୁ ଏନେଇ କୈଣସି ସୂଚନା ଦିଆଯାଇନଥିବା ଅଭିଯୋଗ ହୋଇଛି । ବ୍ଳକ ସମ୍ମୁଖରେ ଲାଗିଥିବା ବ୍ୟାନରରେ ଅନେକ ଭୁଲ୍ ଦେଖିବାକୁ ମଧ୍ୟ ମିଳିଛି ଯାହାକି ବ୍ଳକ ପ୍ରଶାସନର ଓଡିଆ ଅସ୍ମିତାକୁ ପଦାରେ ପକାଇଛି । ବ୍ୟାନରରେ 'କାର୍ଯ୍ୟକ୍ରମ' ବଦଳରେ 'କାର୍ଯ୍ୟକର୍ମ' ଲେଖା ହୋଇଥିବା ବେଳେ 'ସ୍ବାବଲମ୍ବୀ ଯୁବା ସମୃଦ୍ଧ ଓଡିଶା ସମ୍ବାଦ' ବଦଳରେ ' ସ୍ବାବଲମ୍ବୀ ଯୁବା ସମୃବଦ୍ଧ ଓଡ଼ିଶା ସମ୍ବାଦ' ଲେଖା ହୋଇଛି । ଫଟୋରେ ବୃତ୍ତ ଚିତ୍ରିତ ଅଂଶକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । କାର୍ଯ୍ୟକ୍ରମ ୧୦ ଘଟିକାରୁ ଆରମ୍ଭ ହେବ ବୋଲି ସ୍ଥିର ହୋଇଥିଲେ ମଧ୍ୟ ଡେରିରେ ଆରମ୍ଭ ହେଉଛି । ପ୍ରଚାର ପ୍ରସାର ଅଭାବରୁ ହାତଗଣତି ଜନସାଧାରଣ ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଛି । ଜଣକୁ ସମସ୍ତ ଦାୟିତ୍ବ ବଣ୍ଟନ ନକରି ଯଦି ସମସ୍ତଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥାନ୍ତା ତେବେ ଏହି କାର୍ଯ୍ୟକ୍ରମ ଆହୁରି ଲୋକାଭିମୁଖୀ ହୋଇପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।
ମଣିଭଦ୍ରା ଖବର, ଗଣିଆ


إرسال تعليق