ଓଡିଶାରେ ଲାଗୁହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା.. ଜାଣନ୍ତୁ କିପରି ଆବେଦନ କରିବେ ଓ କ'ଣ ସବୁ ଲାଭ ମିଳିବ...
ଉପକୃତ ହେବେ ୧ କୋଟି ୩ ଲକ୍ଷ ପରିବାର, ୨୩ ଲକ୍ଷରୁ ଅଧିକ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ପାଇବେ ଚିକିତ୍ସା ସୁବିଧା
ଚିକିତ୍ସା କ୍ଷେତ୍ରରେ ଏହି ଯୋଜନା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ, ଦେଶର ୨୯ ହଜାରରୁ ଅଧିକ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ପାଇପାରିବେ।
ପ୍ରତ୍ୟେକ ପଞ୍ଚାୟତରେ ପ୍ରତିଷ୍ଠା ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର- ମୁଖ୍ୟମନ୍ତ୍ରୀ
ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ଆଜି ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଚୁକ୍ତିନାମା (MoU) ସ୍ୱାକ୍ଷରିତ ହୋଇଛି ।
ଏହା ଦ୍ୱାରା ବର୍ତ୍ତମାନ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଡିହେଲା (Convergence) । ରାଜ୍ୟର ୧.୦୩ କୋଟି ପରିବାର ଉପକୃତ ହେବେ । ଏହା ଦ୍ୱାରା ରାଜ୍ୟର ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ୨୩, ୧୨, ୯୭୯ ଜଣ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଅଛନ୍ତି ବୋଲି ଜଣାଯାଇଛି ।
ଏହି ଯୋଜନା ଦ୍ୱାରା ଓଡିଶାର ଲୋକ, ବିଶେଷ କରି ଗ୍ରାମାଞ୍ଚଳର ଲୋକଙ୍କ ଚିକିତ୍ସା କ୍ଷେତ୍ରରେ ଏହି ଯୋଜନା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ କାୟାକଳ୍ପ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ସବୁ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଉଛି ତାହା ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ରାଜ୍ୟର ପଞ୍ଚାୟତ ସ୍ତରରେ ଯେଉଁ ହେଲଥ ସବ୍ ସେଣ୍ଟର ଅଛି ତାହା ଠିକଭାବେ କାର୍ଯ୍ୟକାରୀ ହେଉନାହିଁ । ତେଣୁ, ରାଜ୍ୟ ସରକାର ବର୍ତ୍ତମାନ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯିବ। ଏଥିରେ ହେଲଥ ୱାର୍କର ଓ ଯୋଗ ଶିକ୍ଷକ ନିୟୋଜିତ ହେବେ । ଏହି ସବୁ କେନ୍ଦ୍ର ଗୁଡିକର ପୂର୍ଣ୍ଣାଙ୍ଗ ଭିତ୍ତିଭୂମି ବିକଶିତ କରାଯିବ।
ୱାନ ନେସନ ୱାନ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ । ଏହି ଯୋଜନା ୩
୨୯ ହଜାରରୁ ଅଧିକ ହସ୍ପିଟାଲ ସହ ଅନୁବନ୍ଧିତ ରହିବ । ସାରା ଭାରତରେ ଏହି କାର୍ଡ କାର୍ଯକାରୀ ହେବ ।
ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜୟ) ହେଉଛି ସରକାରଙ୍କ ଫ୍ଲାଗସିପ ସ୍ବାସ୍ଥ୍ୟ ବୀମା ପଲିସି, ଯାହା ସେପ୍ଟେମ୍ବର ୨୦୧୮ ରେ ଆରମ୍ଭ କରାଯାଇଥିଲା । ଆର୍ଥିକ ଦୁର୍ବଳ ଥିବା ଲୋକଙ୍କୁ ଆର୍ଥିକ ନିରାପତ୍ତା ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ସେବା ଯୋଗାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ନିଜ ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ଗରିବ ଲୋକଙ୍କୁ ଯେପରି କୌଣସି ଅସୁବିଧା ନ ହେବ, ସେଥିପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ । ଯାହା ଅଧୀନରେ ପଞ୍ଜୀକୃତ ଲାଭାର୍ଥୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ ।
ଆୟୁଷ୍ମାନ ଭାରତ ସ୍କିମ ଅଧୀନରେ କାର୍ଡଧାରୀ ସରକାରୀ ହସ୍ପିଟାଲରେ ସହଜରେ ନିଜ ରୋଗର ଚିକିତ୍ସା କରେଇ ପାରିବେ । ଏହା ଜରିଆରେ ସେମାନଙ୍କୁ ଚିକିତ୍ସାରେ ଲାଗିବାକୁ ଥିବା ବୀମା ପଇସା ମିଳିପାରିବ ।
ତେବେ ଏହି ସ୍ବାସ୍ଥ୍ୟ କାର୍ଡ ପାଇଁ କିଏ ଯୋଗ୍ୟ?
-----------------------------
୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକ, ସେମାନଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ର୍ନିବିଶେଷରେ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ । ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ଯୋଜନା ଅଧୀନରେ ଏକ ନୂଆ କାର୍ଡ ପ୍ରଦାନ କରାଯିବ, ଯାହା ମୋଦି କାର୍ଡ ଭାବରେ ଜଣାଶୁଣା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୭୦ ବର୍ଷରୁ ଅଧିକ ବୟସର ଯେକୌଣସି ବ୍ୟକ୍ତିଙ୍କର ଆଧାର ନମ୍ବର ଅଛି ସେମାନେ ଏହି ଯୋଜନାରେ ଆବେଦନ କରିପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏକ ଆପ୍ଲିକେସନ ବେସଡ୍ ସ୍କିମ । ଯେଉଁଥିପାଇଁ ଲୋକଙ୍କୁ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହି ପୋର୍ଟାଲରେ ଫ୍ରେସ ବ୍ୟାରିଫିକେସନ ସୁବିଧା ଉପଲବ୍ଧ, ଯେଉଁଥିରେ ୭୦ ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ପାଇଁ ଏକ ର୍ନିଦ୍ଦିଷ୍ଟ ଲିଙ୍କ ରହିବ ।
କିପରି ଆବେଦନ କରିବେ?
--------------------
ଏଥିପାଇଁ ପ୍ରଥମେ ଆୟୁଷ୍ମାନ ଭାରତ PM-JAYର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ । ଏହାପରେ ଆପଣଙ୍କର ଆଧାର କିମ୍ବା ରାଶନ କାର୍ଡ ଭେରିଫାଏ କରନ୍ତୁ । ପାରିବାରିକ ପରିଚୟ ପ୍ରମାଣ ପ୍ରଦାନ କରନ୍ତୁ । ଏହା ପରେ ଏକ ସ୍ବତନ୍ତ୍ର ଆୟୁଷ୍ମାନ ଯୋଜନା ID ସହିତ ଆପଣଙ୍କର ଇ-କାର୍ଡ ପ୍ରିଣ୍ଟ କରନ୍ତୁ ।
ଆୟୁଷ୍ମାନ ଯୋଜନା ଅଧୀନରେ କ'ଣ ଲାଭ ଅଛି?
-----------------------------
ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଯୋଗ୍ୟ ପରିବାରକୁ ବାର୍ଷିକ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ମିଳିପାରିବ । ପରିବାର ପିଛା ୫ ଲକ୍ଷ ମାଗଣା ସ୍ବାସ୍ଥ୍ୟ ବୀମା ସହ ପ୍ରାୟ ୪.୫ କୋଟି ପରିବାର ଏବଂ ୬ କୋଟି ବରିଷ୍ଠ ନାଗରିକ ଉପକୃତ ହେବେ । ଏହି ଯୋଜନାରେ ଚିକିତ୍ସାର ସମସ୍ତ ଖର୍ଚ୍ଚ ସାମିଲ ହେବାକୁ ଯାଉଛି । ଏହି ଯୋଜନା ଅଧୀନରେ ହସ୍ପିଟାଲରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଏବଂ ୧୫ ଦିନ ପର୍ଯ୍ୟନ୍ତ ଉପଚାର ଓ ଔଷଧ ମାଗଣା ଉପଲବ୍ଧ ହୋଇଥାଏ । ଡାକ୍ତରୀ ପରୀକ୍ଷା, ଚିକିତ୍ସା ଏବଂ ପରାମର୍ଶ ସବୁ ମାଗଣା। କ୍ଲିନିକାଲ ଏବଂ ଲାବୋରେଟୋରୀ ଇନଭେସ୍ଟିଗେସନ ମଧ୍ୟ ମାଗଣା। ସେହିପରି ମେଡିକାଲରେ ରହିବା ଏବଂ ଖାଦ୍ୟ ଖର୍ଚ୍ଚ ମଧ୍ୟ ମାଗଣା। ମେଡ଼ିସିନ ଏବଂ ଚିକିତ୍ସା ଉପଯୋଗୀ ସାମଗ୍ରୀ ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଆସୁଥିବା ସମସ୍ତ ଯୋଗ୍ୟ ଲୋକଙ୍କୁ ଏହି ଯୋଜନାର ଲାଭ ମିଳିବ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଗୁରୁତର ରୋଗୀଙ୍କୁ ସାମିଲ କରାଯାଇଛି । କୌଣସି ବି ସରକାରୀ ହସ୍ପିଟାଲରେ ଭର୍ତ୍ତି ସମୟରେ ଏହି ଯୋଜନା ପ୍ରଥମ ଦିନରୁ ହିଁ ଲାଗୁ ହୋଇଯାଇଥାଏ ଏବଂ ଆପଣଙ୍କୁ ମାଗଣାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମିଳିବ।
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق