ମହିଳାଙ୍କୁ ଶୋଷଣ କରୁଛନ୍ତି ଋଣ ଲଗାଣକାରୀ ସଂସ୍ଥା,କିଏ ଗାଁ ଛାଡିଲାଣି ତ କିଏ ଆତ୍ମହତ୍ୟା କଲାଣି
ନୟାଗଡ଼ (ମଣିଭଦ୍ରା ଖବର) ଜିଲ୍ଲାରେ ଛତୁ ଫୁଟିଲା ଭଳି ଘରୋଇ ଋଣ ଲଗାଣକାରୀ ସଂସ୍ଥା ଖୋଲି ମହିଳାଙ୍କୁ ମାତ୍ରାଧିକ ହାରରେ ଋଣ ଦେଇ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ନାନା ସୁବିଧା ସୁଯୋଗ ଥିବା ପ୍ରଲୋଭନ ଦେଖାଇ ଲୋନ ଦେବା ପରେ କୈାଣସି ସୁବିଧା ମିଳୁନାହିଁ । ବରଂ ଧାର୍ଯ୍ୟ ସମୟରେ ଟଙ୍କା ପଇଠ ନକଲେ ସଂସ୍ଥାର କର୍ମଚାରୀ ମାନେ ମହିଳା ମାନଙ୍କୁ ଗାଳିଗୁଲଜ କରିବା ସହିତ ବିଭିନ୍ନ ଧମକ ଚମକ ଦେଉଛନ୍ତି । ଏପରିକି ରାତିସାରା ଦୁଆରେ ଡେରା ପକେଇ ବସି ରହୁଛନ୍ତି । ଫଳରେ କିଏ ଅପମାନ ସହି ନପାରି ଗାଁ ଛାଡିଲାଣି ତ ଆଉ କିଏ ଆତ୍ମହତ୍ୟା କଲାଣି । ଗତ ଦୁଇଦିନ ତଳେ ଦଶପଲ୍ଲା ଏନଏସି ଅଧିନସ୍ଥ ଅମଲାପଡା ଠାରେ ରୀନା ବାରିକ ରଶି ଲଗାଇ ଆତ୍ମହତ୍ୟା କରିବା ପଛରେ ଏହି ଋଣ ଲଗାଣକାରୀଙ୍କ ଚାପ ରହିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତିି । ଗଣିଆ ବ୍ଳକରେ ଏଭଳି ଋଣ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଚାପରେ ଅନେକ ମହିଳା ଘରଦ୍ଵାର ପିଲାଛୁଆ ଛାଡି ବାହାରକୁ ଚାଲି ଗଲେଣି । ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ରିହାତି ମୂଲ୍ୟରେ ସରକାରଙ୍କ ତରଫରୁ ଋଣ ପ୍ରଦାନ କରାଯାଉଥିବା ବେଳେ ଏଭଳି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ମାତ୍ରାଧିକ ସୁଧ ହାରରେ ଋଣ ଲଗାଇ ଶୋଷଣ କରୁଛନ୍ତି । ଏପରିକି ମହିଳା ମାନଙ୍କ ଠାରୁ ଆଧାରକାର୍ଡ,ବ୍ୟାଙ୍କ ପାସବୁକ୍,ଫଟୋ ଆଦି ଆଦାୟ କରାଯାଉଛି ଯାହାକି ଏସବୁ ବ୍ୟବହାର କରି ସଂପୃକ୍ତ ସଂସ୍ଥା ଠକେଇ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଟଙ୍କା ନଦେଲେ ରାସନ କାର୍ଡ ବନ୍ଦ ହେଇଯିବ, ଆଧାର କାର୍ଡ ଅଚଳ ହୋଇଯିବ ବୋଲି କହି ମହିଳା ମାନଙ୍କୁ ଡରାଉଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏସବୁ ସଂସ୍ଥା ଋଣ ପ୍ରଦାନ କରିବା ପାଇଁ କାହାଠାରୁ ଅନୁମତି ଆଣିଛନ୍ତି କି ? କେତେ ପ୍ରତିଶତ ସୁଧ ଆଦାୟ କରାଯାଉଛି ? ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ ସଂସ୍ଥାର କାଗଜପତ୍ର କିମ୍ବା ପ୍ରମାଣପତ୍ର ଦାଖଲ କରିଛନ୍ତି କି ? ଏହି ସଂସ୍ଥା ଉପରେ କୈାଣସି ଲଗାମ ନଥିବାରୁ ଏମାନଙ୍କ ଶୋଷଣ ଦିନକୁ ଦିନ ବଢି ଚାଲିଛି । ତେବେ ଏହି ସଂସ୍ଥା ଉପରେ ଲଗାମ ଆଣିବା ସହିତ କର୍ମଚାରୀ ମାନେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ଯୋଗୁଁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق