ଆଡକଟା ସିତୁଳିଆ ସାହିରେ ଗଛ ପଡ଼ି ଭାଙ୍ଗିଲା ଘର, ସହାୟତା ପ୍ରଦାନ କରିବାକୁ ଦାବି
ଗଣିଆ (ମଣିଭଦ୍ରା ଖବର) ଲଗାଣ ବର୍ଷା ଯୋଗୁଁ ଗତ ୭ ଦିନ ଧରି ଗଣିଆ ବ୍ଳକର ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଆଡକଟା ପଞ୍ଚାୟତ ସିତୁଳିଆ ସାହିରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ଅଜୁ ଗଡତିଆଙ୍କ ଚାଳ ଘର ଉପରେ ଗଛ ପଡ଼ି ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଆସବାବପତ୍ର ନଷ୍ଟ ହୋଇଯାଇଛି । ପରିବାର ଲୋକେ ଘରେ ଶୋଇଥିବା ବେଳେ ଅଚାନକ ଏଭଳି ଘଟଣା ଘଟିବାରୁ ସମସ୍ତେ ଭୟଭୀତ ହୋଇଯାଇଥିଲେ । ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଶୋଇଥିବା ଅବସ୍ଥାରେ ଯଦି ପରିବାର ଲୋକଙ୍କ ଉପରେ ଗଛ ପଡିଥାନ୍ତା ତେବେ ନିଶ୍ଚିନ୍ତ ବିରାଟ ଅଘଟଣ ଘଟିଥାନ୍ତା । ରୋଷେଇ ସାମଗ୍ରୀ ଭାଙ୍ଗି ଯାଇଥିବାରୁ ରୋଷେଇ ନକରି ଅଖିଆ ଅପିଆ ରହିଛନ୍ତି । ଆଗକୁ ବର୍ଷା ହେଲେ ଘର ଭିତରେ ପାଣି ପଶି କାନ୍ଥ ଭାଗିଯିବ ଏଥିରେ ସନ୍ଦେହ ନାହିଁ । ଘର ଭାଙ୍ଗି ଯାଇଥିବାରୁ ୫ ପ୍ରାଣୀ କୁଟୁମ୍ବ ଏବେ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଖୋଲା ଆକାଶ ତଳେ ଜୀବନ ଅତିବାହିତ କରୁଛନ୍ତି ସେମାନେ । ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି । ତେବେ ଖବର ପାଇ ଅତିରିକ୍ତ ତହସିଲଦାର ବନମାଳୀ ପରିଡା ଘଟଣାସ୍ଥଳରେ ପହଂଚି କ୍ଷୟକ୍ଷତି ଆକଳନ କରିଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق