ହିନ୍ଦୁ ଧର୍ମ ଏକ ଜୀବନଶୈଳୀ: ଆସ୍ଥା ପ୍ରକଟ ପାଇଁ ମନ୍ଦିର ଯିବା ଜରୁରୀ ନୁହେଁ: ସୁପ୍ରିମକୋର୍ଟ
ହିନ୍ଦୁ ଧର୍ମ ଏବଂ ଏହାର ପରମ୍ପରାକୁ ନେଇ ଦେଶର ସର୍ବୋଚ୍ଚ ଅଦାଲତ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ଧାର୍ମିକ ସ୍ୱତନ୍ତ୍ରତା ଏବଂ ମହିଳାମାନଙ୍କ ମନ୍ଦିର ପ୍ରବେଶ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ହିନ୍ଦୁ ଧର୍ମ କେବଳ ପୂଜା-ପଦ୍ଧତିରେ ସୀମିତ ନୁହେଁ, ବରଂ ଏହା ଏକ 'ଜୀବନ ଜିଇଁବାର ଶୈଳୀ' ।
ସାମ୍ବିଧାନିକ ପୀଠ ଶୁଣାଣି ସମୟରେ କହିଛନ୍ତି ଯେ, ଜଣେ ବ୍ୟକ୍ତି ହିନ୍ଦୁ ହୋଇ ରହିବା ପାଇଁ ମନ୍ଦିର ଯିବା କିମ୍ବା କୌଣସି ନିର୍ଦ୍ଦିଷ୍ଟ ଧାର୍ମିକ ରୀତିନୀତି ପାଳନ କରିବା ଅନିର୍ବାଯ୍ୟ ନୁହେଁ । ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ୯ ଜଣିଆ ଖଣ୍ଡପୀଠ କହିଛନ୍ତି, "ଯଦି ଜଣେ ବ୍ୟକ୍ତି ନିଜ କୁଡ଼ିଆ ଘର ଭିତରେ ଦୀପଟିଏ ଜାଳୁଛି, ତେବେ ତାହା ମଧ୍ୟ ତାଙ୍କର ଆସ୍ଥା ଏବଂ ବିଶ୍ୱାସ ପ୍ରମାଣିତ କରିବା ପାଇଁ ଯଥେଷ୍ଟ ।"
ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଡକ୍ଟର ଜି. ମୋହନ ଗୋପାଳ ୧୯୬୬ ମସିହାର ଏକ ପୁରୁଣା ରାୟର ପ୍ରସଙ୍ଗ ଉଠାଇଥିଲେ, ଯେଉଁଥିରେ ଅଦାଲତ କହିଥିଲେ ଯେ ଯିଏ 'ବେଦ'କୁ ସର୍ବୋଚ୍ଚ ମାନେ ସିଏ ହିଁ ହିନ୍ଦୁ । ଏହାର ଉତ୍ତରରେ ଜଷ୍ଟିସ୍ ବି.ଭି. ନାଗରତ୍ନ କହିଥିଲେ ଯେ, ଏହି କାରଣରୁ ହିଁ ହିନ୍ଦୁ ଧର୍ମକୁ ଏକ ଜୀବନଶୈଳୀ କୁହାଯାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ଶ୍ରଦ୍ଧାକୁ ନିଜ ଢଙ୍ଗରେ ବ୍ୟକ୍ତ କରିପାରିବେ ଏବଂ ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ।
କୋର୍ଟ ସତର୍କ କରାଇ ଦେଇଛନ୍ତି ଯେ, ଯଦି ପ୍ରତିଟି ଧାର୍ମିକ ପରମ୍ପରାକୁ ସାମ୍ବିଧାନିକ ଅଦାଲତରେ ଚ୍ୟାଲେଞ୍ଜ କରାଯାଏ, ତେବେ ହଜାର ହଜାର ମାମଲା ରୁଜୁ ହେବ ଏବଂ ଏହା ଦ୍ୱାରା ଧାର୍ମିକ ସଂରଚନା ପ୍ରଭାବିତ ହୋଇପାରେ ।
ବର୍ତ୍ତମାନ ଏହି ବଡ଼ ଖଣ୍ଡପୀଠ ଧାର୍ମିକ ସ୍ୱତନ୍ତ୍ରତା ଏବଂ ସମାନତା ଭଳି ବ୍ୟାପକ ବିଷୟ ଉପରେ ପୁନଃ ଶୁଣାଣି କରୁଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ହିନ୍ଦୁ ଧର୍ମର ବ୍ୟାପକତାକୁ ସ୍ୱୀକୃତି ଦେଇଛି । ଏହା ସ୍ପଷ୍ଟ କରିଛି ଯେ ଆଧ୍ୟାତ୍ମିକତା କେବଳ ମନ୍ଦିର କିମ୍ବା ବାହ୍ୟ ପରମ୍ପରାରେ ସୀମିତ ନୁହେଁ, ବରଂ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ବିଶ୍ୱାସ ଏବଂ ତାଙ୍କ ଜୀବନଶୈଳୀ ହିଁ ତାଙ୍କର ଧାର୍ମିକ ପରିଚୟ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment