ରାଉରକେଲା, ରାଉରକେଲା ପୋଲିସକୁ ବଡ଼ ସଫଳତା ମିଳିଛି। ରାଜ୍ୟସ୍ତରୀୟ ଅଭିଯାନ “ଅପରେସନ ସାଇବର କବଚ” ଅନ୍ତର୍ଗତ ଝିରପାଣି ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଣେଶ ତିର୍କୀ (୩୭) ଓ ଆଶୁତୋଷ କୁଜୁର (୩୯)।
ସିଆଇଡି କ୍ରାଇମବ୍ରାଞ୍ଚର ସୂଚନା ଆଧାରରେ ପୋଲିସ କିଛି ସନ୍ଦେହଜନକ ‘ମ୍ୟୁଲ୍ ଆକାଉଣ୍ଟ’ ଯାଞ୍ଚ କରିଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଗଣେଶଙ୍କ ଆକାଉଣ୍ଟରେ ପ୍ରାୟ ୧ କୋଟି ଟଙ୍କାର ସନ୍ଦେହଜନକ ଦେଣନେଣ ହୋଇଥିବା ଜଣା ପଡ଼ିଲା । ଏହି ଆକାଉଣ୍ଟ ସହିତ ଦେଶର ବିଭିନ୍ନ ସ୍ଥାନର ୫୦ରୁ ଅଧିକ ସାଇବର ଠକେଇ ମାମଲା ଜଡିତ ଥିବା ମଧ୍ୟ ଜଣାପଡିଛି।
ଜେରା ବେଳେ ଗଣେଶ କହିଛି ଯେ ବନ୍ଧୁ ଆଶୁତୋଷଙ୍କ ପ୍ରଲୋଭନରେ ପଡ଼ି ମାସିକ ଟଙ୍କା ବଦଳରେ ନିଜ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ। ଆଶୁତୋଷ ଏହି ଆକାଉଣ୍ଟକୁ ଫିସିଂ, ଫୋନ-ପେ ଠକେଇ, ପାର୍ଟ-ଟାଇମ ଜବ୍ ଓ ଇନଭେଷ୍ଟମେଣ୍ଟ ଫ୍ରଡ୍ ପାଇଁ ଅନ୍ୟ ଠକେଇବାଜମାନଙ୍କୁ ଦେଉଥିଲେ।
ପୋଲିସ ୩ଟି ଆଧାର କାର୍ଡ, ୩ଟି ମୋବାଇଲ୍ ଫୋନ୍, ବିଭିନ୍ନ ବ୍ୟାଙ୍କର ୨୫ଟି ପାସବୁକ୍, ୧୧ଟି ଚେକ୍ ବୁକ୍, ୩ଟି ଡେବିଟ୍ କାର୍ଡ ଓ ୩ଟି ପାନ କାର୍ଡ ଜବତ କରିଛି। ଇନ୍ସପେକ୍ଟର ପି.କେ. ନାୟକଙ୍କ ନେତୃତ୍ୱରେ ତଦନ୍ତ ଜାରି ରହିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment