ବାଙ୍କୀରେ ସାଂସଦ ଖେଳ ମହୋତ୍ସବ ପାଇଁ ପଞ୍ଜିକରଣ
ବାଙ୍କୀ, (ମାନସ ରଞ୍ଜନ ସାହୁ): ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସାଂସଦ ଖେଳ ମହୋତ୍ସବ ମାଧ୍ୟମରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୁକାୟିତ ଉଦୀୟମାନ କ୍ରୀଡାପ୍ରତିଭାକୁ ଲୋକଲୋଚନକୁ ଆଣି ସେମାନଙ୍କର କ୍ରୀଡା ଦକ୍ଷତା ବିକାଶ କରିବା ପାଇଁ ଏହି ଖେଳ ମହୋତ୍ସବ ଚଳିତ ବର୍ଷ ଜାତୀୟ କ୍ରୀଡା ଦିବସରୁ ପଞ୍ଜିକରଣ ଆରମ୍ଭ ହୋଇ ସେପ୍ଟେମ୍ବର ୨୧ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରିପ୍ରେକ୍ଷୀରେ ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦୃଶ୍ୟଶ୍ରାବ ଗୃହ ଠାରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳର ଖେଳାଳୀ ପଞ୍ଜିକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ସହିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଏଥିରେ ସଭାପତିତ୍ୱ କରିବା ସହିତ ଏହି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ମୁଖ୍ୟଅତିଥି ଭାବେ ବାଙ୍କୀ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ଯୋଗଦାନ କରି କହିଥିଲେ କଟକ ଲୋକସଭା ସାଂସଦ ଭର୍ତ୍ତୁହରି ମହତାବଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପଞ୍ଜିକରଣ ଆରମ୍ଭ ହୋଇଛି । ଏହାଦ୍ୱାରା ଛାତ୍ରଛାତ୍ରୀ ଓ ଯୁବକମାନେ ୧୬ବର୍ଷରୁ କମ୍ ବୟସ ପର୍ଯ୍ୟନ୍ତ ବାଳକବାଳିକା କନିଷ୍ଠ ବିଭାଗ ଏବଂ ୧୬ ରୁ ୨୫ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ବିଭାଗରେ ପଞ୍ଜିକରଣ କରି ବିଭିନ୍ନ ଖେଳ ମାଧ୍ୟମରେ ସୁସ୍ଥ ଓ ଦକ୍ଷ ହୋଇ ପାରିବେ ବୋଲି ଶ୍ରୀ ଚକ୍ରବର୍ତ୍ତୀ ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଭାବେ ବାଙ୍କୀର ଉପଜିଲ୍ଲାପାଳ ପ୍ରଣବ କୁମାର ବେହେରା ଯୋଗଦାନ କରି ଖେଳକୁଦ, ବ୍ୟାୟାମ ଓ ଯୋଗ ପ୍ରତିଦିନ କରାଗଲେ ସୁସ୍ଥ ନିରାମୟ ଜୀବନ ହୋଇପାରିବ । ସେଥିପାଇଁ ସାଂସଦ ଖେଳ ମହୋତ୍ସବ କେନ୍ଦ୍ର ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ବାଙ୍କୀ କଲେଜର ପୂର୍ବତନ ଉପାଧ୍ୟକ୍ଷ ତଥା ବାଙ୍କୀ କଲେଜ କ୍ରୀଡା କ୍ଲବର ଉପସଭାପତି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀମାନେ କ୍ରିକେଟ, ଫୁଟବଲ୍, ଭଲିବଲ୍, ଖୋ-ଖୋ, କବାଡି, ଦୌଡକୁଦ, କୁସ୍ତି, ଯୋଗ ଓ ଛାତ୍ରୀମାନଙ୍କ ପାଇଁ ପୁଚି ଓ ଦୌଡି ଡିଆଁ ଆଦି କ୍ରୀଡାରେ ନିଜର ନାମ ପଞ୍ଜିକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ କଟକ ସାଂସଦଙ୍କ ପ୍ରତିନିଧି ଜୟନ୍ତ ବେଉରା ଯୋଗଦାନ କରି ଏହି ସାଂସଦ ଖେଳ ମହୋତ୍ସବରେ ସମସ୍ତେ ଯୋଗଦେବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଲାପଟପ୍ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ପଞ୍ଜିକରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଅଧ୍ୟାପକ ରବିନାରାୟଣ ପ୍ରଧାନ, ଅଧ୍ୟାପକ ଅଦୈତ୍ୟ ପ୍ରଧାନ, ଅଧ୍ୟାପକ ନରେଶ ବେହେରା, ଜିତେନ୍ଦ୍ର ଦେଓ ଓ ଶୁଭେନ୍ଦୁ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ


Post a Comment