ଆଜି ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ : ସିରିଜ୍ ସୁଇପ୍ ଲକ୍ଷ୍ୟରେ ଭାରତ |
କଟକ (ମାନସ କୁମାର ସାହୁ) ଭାରତ ଓ ଇଂଲଣ୍ଡ ମଧ୍ୟରେ ବିଶ୍ୱର ସର୍ବବୃହତ୍ କ୍ରିକେଟ ଷ୍ଟାଡିୟମ୍ରେ ବୁଧବାର ଚଳିତ ଦିନିକିଆ ସିରିଜ୍ର ତୃତୀୟ ତଥା ଶେଷ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ନାଗପୁର ଓ କଟକରେ ଖେଳାଯାଇଥିବା ପ୍ରଥମ ଦୁଇଟି ମୁକାବିଲାକୁ ଭାରତ ୪ ୱିକେଟରେ ଜିତି ଆଗୁଆ ସିରିଜ୍ କବଜା କରିଛି। ଆସନ୍ତା ୧୯ରୁ ପାକିସ୍ତାନ ଓ ୟୁଏଇର ଦୁବାଇରେ ଅନୁଷ୍ଠିତ ହେବ ଚାମ୍ପିଅନ୍ସ ଟ୍ରଫି ଦିନିକିଆ କ୍ରିକେଟ। ଏହା ପୂର୍ବରୁ ଉଭୟ ଦଳ ଏହି ମ୍ୟାଚ୍ ଜିତି ନିଜକୁ ପ୍ରସ୍ତୁତ କରିନେବାକୁ ଯୋଜନା କରିଛନ୍ତି। କିନ୍ତୁ କୌଣସି ମୁକାବିଲାରେ ଲଢେ଼ଇ କରି ପାରି ନ ଥିବା ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍ ଜିତି ସିରିଜ୍ କ୍ଲିନ୍ ସୁଇପ୍ କରିବା ଭାରତର ଲକ୍ଷ୍ୟ ରହିଛି।
ଚଳିତ ସିରିଜ୍ରେ ଇଂଲଣ୍ଡ ଦଳ ଭାରତର ସ୍ପିନରଙ୍କୁ ଉଚିତ ମୁକାବିଲା କରିପାରି ନାହିଁ କିମ୍ବା ବ୍ୟାଟରଙ୍କୁ ଅଟକାଇପାରୁ ନାହିଁ। ଭାରତକୁ କିପରି ମୁକାବିଲା କରିବ ତାହା ବ୍ରେଣ୍ଡନ ମ୍ୟାକ୍କୁଲମ ଓ ଜୋଶ ବଟ୍ଟଲର ଯୋଜନା କରିବାରେ ବିଫଳ ହୋଇଛନ୍ତି। ଏଥିରୁ ଫାଇଦା ଉଠାଇ ଭାରତ ଏହି ମ୍ୟାଚ୍କୁ ମଧ୍ୟ ସହଜରେ ଜିତିବ ବୋଲି ଆଶା ରଖିଛି। ବ୍ୟାଟିଂରେ ଭାରତର ଦୁଇ ପ୍ରମୁଖ ଖେଳାଳି ଅଧିନାୟକ ରୋହିତ ଶର୍ମା ଓ କିଙ୍ଗ ବିରାଟ କୋହଲି ଫର୍ମରେ ନ ଥିଲେ। କଟକରରେ ୯୦ ବଲ୍ରୁ ୧୧୯ ରନ୍ କରି ରୋହିତ ଫର୍ମକୁ ଫେରିବା ସହ ନିଜ ଓ ଟିମ୍ ମ୍ୟାଜେନମେଣ୍ଟ ଉପରୁ ଚାପ ହଟାଇଦେଇଛନ୍ତି। ଏବେ ପାଳି ରହିଛି ବିରାଟଙ୍କ ଉପରେ। ଏଠାରେ ସେ ଯଦି ଏକ ବଡ଼ ଇନିଂସ ଖେଳିପାରନ୍ତିତେବେ ବିନା ଚାପରେ ଭାରତ ଚାମ୍ପିଅନ୍ସ ଟ୍ରଫିରେ ମୁକାବିଲା କରିବାକୁ ଯିବ। ରେକର୍ଡ ଦୃଷ୍ଟିରୁ ଦେଖିଲେ ଏହି ମ୍ୟାଚ୍ରେ ଆଉ ୧୧ ରନ୍ କଲେ ରୋହିତ ୧୧,୦୦୦ ଏବଂ ୮୯ ରନ୍ କଲେ ବିରାଟ ୧୪,୦୦୦ ରନ୍ ଦିନିକିଆରେ ପୂରଣ କରିବେ। ଏଣୁ ଉଭୟଙ୍କ ଲାଗି ଏହି ମ୍ୟାଚ୍ଟି ସ୍ମରଣୀୟ ହେବ ବୋଲି ଆଶା କରାଯାଉଛି। ସିିରିଜ୍ ଫଳାଫଳର ଗୁରୁତ୍ୱ ନ ଥିଲେ ମଧ୍ୟ ବିଜୟ ଧାରା ବଜାୟ ରଖିବା ଯେ କୌଣସି ଦଳ ଲାଗି ଗୁରୁତ୍ୱପୂର୍ଣ୍ଣ। ଏଣୁ ଭାରତ ଆଉ କୌଣସି ପରୀକ୍ଷା ନିରୀକ୍ଷା ନ କରି ତାହାର ଶ୍ରେଷ୍ଠ ଦଳକୁ ଏହି ମ୍ୟାଚ୍ ଖେଳାଇବ। ରୋହିତ-ଶୁବମନଙ୍କ ଯୋଡି କ୍ଲିକ୍ କରୁଥିବାରୁ ଯଶସ୍ୱୀ ଜୟସ୍ୱାଲ ପୂର୍ବପରି ବାହାରେ ରହିବେ। ବୋଲିଂରେ ହର୍ଷିତ ରାଣାଙ୍କ ସ୍ଥାନରେ ଅର୍ଶଦୀପ୍ ସିଂହଙ୍କୁ ଖେଳାଯାଇପାରେ।
ଅପରପକ୍ଷରେ ଇଂଲଣ୍ଡ ଦଳର କିଛି ବ୍ୟାଟର କଟକରେ ଫର୍ମକୁ ଫେରିଥିଲେ। ଜୋ ରୁଟ ସର୍ବାଧିକ ୬୯ ରନ୍ କରିଥିଲେ। ଦଳର ଶୀର୍ଷ ୬ଜଣ ବ୍ୟାଟର ଭଲ ଆରମ୍ଭ କରିଥିଲେ, କିନ୍ତୁ କେହି ବଡ଼ ସ୍କୋର କରି ପାରି ନ ଥିଲେ। ଦଳ ଫାଷ୍ଟ ବୋଲରଙ୍କ ଉପରେ ନିର୍ଭର କରୁଛି। ଏମାନେ ମଧ୍ୟ ପ୍ରଭାବ ପକାଇବାରେ ଅସମର୍ଥ। ଦଳର ଏକମାତ୍ର ସ୍ପିନର ଆଦିଲ ରଶିଦ୍ଙ୍କୁ ଛାଡ଼ିଦେଲେ ଭାରତୀୟ ବ୍ୟାଟରଙ୍କ ଉପରେ ଆଉ କେହି ପ୍ରଭାବ ପକାଇବାରେ ସମର୍ଥ ହୋଇ ନାହାନ୍ତି। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବଟ୍ଟଲର ଓ ତାଙ୍କ ଟିମ୍ ଏହି ମ୍ୟାଚ୍ ଜିତି ଦୃଢ଼ ଆତ୍ମବଳ ପାଇବେ ବୋଲି ଆଶା କରାଯାଉଛି।
ମଣିଭଦ୍ରା ଖବର, କଟକ


Post a Comment