ଟ୍ରକ୍ ୟୁନିୟନ୍ ଆର୍ଥିକ ହେରଫେର ମାମଲା, ପୂର୍ବତନ ସାଂସଦଙ୍କ ଘରେ EOW ଚଢ଼ାଉ।ୟୁନିୟନ୍ ଆର୍ଥିକ ହେରଫେର ମାମଲା, ପୂର୍ବତନ ସାଂସଦଙ୍କ ଘରେ EOW ଚଢ଼ାଉ l
ରାୟଗଡ଼ାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ଅଡୁଆ ବଢ଼ିଲା। ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ଆର୍ଥିକ ହେରଫେର ଅଭିଯୋଗ ମାମଲାରେ ତାଙ୍କ ଭାସ୍କର ଛକସ୍ଥିତ ବାସଭବନରେ ଚଢ଼ାଉ କରିଛି EOW (ଆର୍ଥିକ ଅପରାଧ ଶାଖା)। ଦୁଇ ଦିନ ହେଲା ରାୟଗଡ଼ାରେ ରହି ତଦନ୍ତ ଚଳାଇଥିବା ୨୫ ଜଣିଆ ଟିମ୍ ଆଜି ତାଙ୍କ ଘରେ ପହଞ୍ଚି ଯାଞ୍ଚ କରିଛି। ତେବେ ଚଢ଼ାଉ ସମୟରେ ଭାସ୍କର ରାଓ ଘରେ ଉପସ୍ଥିତ ନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଟ୍ରକ୍ ମାଲିକ ସଂଘର ପ୍ରାୟ ୮୦ କୋଟି ଟଙ୍କା ହଡ଼ପ ହୋଇଥିବା ନେଇ ସଂଘର ପୂର୍ବତନ ସଭାପତି ୱାଇ. ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ସମେତ ଅନ୍ୟମାନଙ୍କ ନାମ ଉଠିଥିଲା। ରାୟଗଡ଼ା ପୁଲିସ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଏବେ ଆର୍ଥିକ ଅନିୟମିତତା ଅଭିଯୋଗର ଖୋଳତାଡ଼ କରୁଛି EOW ଟିମ୍। ଭାସ୍କର ରାଓଙ୍କ ଘରେ ଥିବା କିଛି ସହାୟକଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ତେବେ ଚଢ଼ାଉ ନେଇ EOW ପକ୍ଷରୁ ଏଯାଏଁ କୌଣସି ଆଧିକାରିକ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ଭାସ୍କର ରାଓଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق