ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ ।
ଭଞ୍ଜନଗର, -: ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ ଭଞ୍ଜନଗର ଗସ୍ତ କରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ଜିଲ୍ଲାପାଳ ବାଉଁଶଲୁଣ୍ଡି ଅଞ୍ଚଳରେ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘରଗୁଡ଼ିକର ଭଙ୍ଗାଯିବା ଓ ପୁନର୍ବାସ ସମ୍ପର୍କିତ କାର୍ଯ୍ୟର ସମୀକ୍ଷା କରିଥିଲେ।
ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ମିଳିଥିବା ସହାୟତାର ସମ୍ପୂର୍ଣ୍ଣ ଓ ସଠିକ୍ ବିନିଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ପାଇଁ ଗୃହ ନିର୍ମାଣ ସହାୟତା ଅନୁମୋଦନ କରାଯାଇଥିବା ସୂଚନା ଦେଇଥିଲେ। ଜମିହୀନ ପରିବାରଗୁଡ଼ିକୁ ବସୁନ୍ଧରା ଯୋଜନାରେ ଜମି ଯୋଗାଇ ଦିଆଯିବ। ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକଙ୍କ ଆଗ୍ରହ ଓ ମତାମତକୁ ଗୁରୁତ୍ୱ ଦେଇ ଏକ ନୂତନ ବସତି ସ୍ଥାପନ ପାଇଁ ଆସନ୍ତା ସପ୍ତାହରୁ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଥିଲେ। ଏଥିନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ସ୍ଥାନୀୟ ମହିଳାମାନଙ୍କୁ ଶାଢ଼ି ଏବଂ ଶିଶୁମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରିଥିଲେ। ସେ କହିଥିଲେ ଯେ, ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ସର୍ବଦା ଜନସାଧାରଣଙ୍କ ସହିତ ରହିଛି ଏବଂ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବନ୍ଧୁତ୍ୱପୂର୍ଣ୍ଣ ଓ ସହଯୋଗୀ ମନୋଭାବ ନେଇ କାର୍ଯ୍ୟ କରୁଛି।
ଏହି ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା , ବିଡିଓ ଭାରତି ଦେବି , ପୌରପାଳିକାର ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା , ବ୍ଲକ୍ ଶିକ୍ଷା ଅଧିକାରୀ ଲୋପା ମୁଦ୍ରା ରଥ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق