BREAKING
Loading...
:

୧୫ ଦିନ ପରେ ଘଞ୍ଚ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ନିଖୋଜ ପ୍ରଧାନ ଶିକ୍ଷକ ।

 ୧୫ ଦିନ ପରେ ଘଞ୍ଚ ଜଙ୍ଗଲରୁ ଜୀବନ୍ତ ଉଦ୍ଧାର ହେଲେ ନିଖୋଜ ପ୍ରଧାନ ଶିକ୍ଷକ ।



ବାଲିଗୁଡା, -):  ମୃତ୍ୟୁକୁ ମାତ୍ ଦେଇ ଫେରିଲେ ନିଖୋଜ ପ୍ରଧାନ ଶିକ୍ଷକ! ଦୀର୍ଘ ୧୫ ଦିନ ଧରି ଘଞ୍ଚ ଓ ଦୁର୍ଗମ ଜଙ୍ଗଲ ମଧ୍ୟରେ ନିଖୋଜ ରହିବା ପରେ ଶେଷରେ ଜୀବନ୍ତ ଉଦ୍ଧାର ହୋଇଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତ ଦୁବା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ କୁମାର ମହାରଣା। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଶ୍ଚର୍ଯ୍ୟ, ଆଶ୍ୱସ୍ତି ଓ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୨୯ ଓ ୩୦ ତାରିଖରେ ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟାଜଳ ବିଦ୍ୟାଳୟ ଭିତରକୁ ପଶିଯିବାରୁ ଜୀବନ ବଞ୍ଚାଇବା ଲାଗି ଶ୍ରୀ ମହାରଣା ନିକଟସ୍ଥ ରତଙ୍ଗୀ ଗ୍ରାମର ଘଞ୍ଚ ଜଙ୍ଗଲ ଆଡ଼କୁ ଚାଲିଯାଇ ଥିଲେ। ପରବର୍ତ୍ତୀ ସମୟରେ ସେ ଜଙ୍ଗଲ ମଧ୍ୟରେ ଏକ ଶୁଖିଲା ନଦୀକୂଳ ଓ ପଥର ସନ୍ଧିରେ ଆଶ୍ରୟ ନେଇଥିବା ଜଣାପଡ଼ିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଦୀର୍ଘ ୧୫ ଦିନ ଧରି ଜଙ୍ଗଲ ମଧ୍ୟରେ ରହିବା ସମୟରେ ତାଙ୍କୁ କୌଣସି ଖାଦ୍ୟ ମିଳିନଥିବା ବେଳେ କେବଳ ଜଙ୍ଗଲର ପାଣି ପିଇ ସେ ଜୀବନ ରକ୍ଷା କରିଥିବା ସୂଚନା ମିଳିଛି। ଏପରି ଦୁର୍ଗମ ଓ ପ୍ରତିକୂଳ ପରିବେଶରେ ଦୀର୍ଘଦିନ ଧରି ତାଙ୍କର ଅବସ୍ଥାନ ଏବଂ ଶେଷରେ ଜୀବନ୍ତ ଉଦ୍ଧାର ହେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ଅନ୍ୟପକ୍ଷରେ, ଦୀର୍ଘଦିନ ଧରି ତାଙ୍କର କୌଣସି ଖୋଜଖବର ନମିଳିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ଶେଷରେ ତାଙ୍କ ନିଖୋଜ ସମ୍ପର୍କରେ ରାଇକିଆ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ ରାଇକିଆ ଥାନା ଅଧିକାରୀ ଏସ୍. ସ୍ୱର୍ଣ୍ଣଲତା ପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ୍ ଓ ସ୍ଥାନୀୟ ଗ୍ରାମବାସୀ ମିଳିତ ଭାବେ ଜଙ୍ଗଲରେ ଖୋଜାଖୋଜି ଆରମ୍ଭ କରିଥିଲେ। ଦୀର୍ଘ ଅନୁସନ୍ଧାନ ପରେ ଶେଷରେ ତାଙ୍କୁ ଦୁର୍ଗମ ଜଙ୍ଗଲ ମଧ୍ୟରୁ ଜୀବିତ ଅବସ୍ଥାରେ ଠାବ କରି ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ରାୟକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଦୀର୍ଘ ୧୫ ଦିନର ଅନିଶ୍ଚିତତା ଓ ଆଶଙ୍କାର ଅବସାନ ଘଟିବା ସହ ପ୍ରଧାନ ଶିକ୍ଷକଙ୍କ ଜୀବନ ରକ୍ଷା ପାଇବା ଖବର ପରିବାର ଓ ଅଞ୍ଚଳବାସୀଙ୍କୁ ଆଶ୍ୱସ୍ତ କରିଛି। ଏହି ଉଦ୍ଧାର ଅଭିଯାନରେ ପୁଲିସ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସମନ୍ୱୟ, ସାହସ ଓ ମାନବିକତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS