BREAKING
Loading...
:

ଟିଟିଲାଗଡ଼ରେ ବଙ୍ଗାଳୀବାବୁଙ୍କ ଅବୈଧ ଚିକିତ୍ସା!

 ଟିଟିଲାଗଡ଼ରେ ବଙ୍ଗାଳୀବାବୁଙ୍କ ଅବୈଧ ଚିକିତ୍ସା!



କେବେ ଭାଙ୍ଗିବ ପ୍ରଶାସନର ନିଦ? ଯୋଗ୍ୟତା, ପଞ୍ଜୀକରଣ ଯାଞ୍ଚ ଦାବି ।


ଟିଟିଲାଗଡ଼,- (): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରରେ ଦୀର୍ଘବର୍ଷ ଧରି ପି. କେ. ସମାଜପତି ନାମକ ଜଣେ ବ୍ୟକ୍ତି ନିଜକୁ ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କ ଚିକିତ୍ସା କରୁଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ବିଶେଷକରି ଗରିବ ଓ ଅସହାୟ ଲୋକମାନେ ତାଙ୍କ ନିକଟକୁ ଚିକିତ୍ସା ପାଇଁ ଯାଉଥିବା ଏବଂ ଏହା ମାଧ୍ୟମରେ ଦୀର୍ଘଦିନ ଧରି ଆର୍ଥିକ ଲାଭ ନେଉଥିବା ଅଭିଯୋଗ ସ୍ଥାନୀୟ ମହଳରେ ଚର୍ଚ୍ଚାର ବିଷୟ ହୋଇଛି।

ଅଭିଯୋଗ ଅନୁଯାୟୀ, ଦୀର୍ଘବର୍ଷ ଧରି ଏପରି ଚିକିତ୍ସା ପ୍ରଚଳନ ଚାଲିଥିବା ସତ୍ତ୍ୱେ ସମ୍ପୃକ୍ତ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ଯଥାଚିତ ଯାଞ୍ଚ କିମ୍ବା ଦୃଢ଼ ପଦକ୍ଷେପ ନିଆଯାଇନଥିବା ନେଇ ପ୍ରଶ୍ନ ଉଠିଛି। ଏହା ପଛରେ କାହାର ଆଶ୍ରୟ ରହିଛି କି, ଅଭିଯୋଗ ସତ୍ତ୍ୱେ ପ୍ରଶାସନ କାହିଁକି ନିରବ—ଏଭଳି ପ୍ରଶ୍ନ ଏବେ ବୁଦ୍ଧିଜୀବୀ ମହଳରେ ଉଠୁଛି।

ତେବେ ସମ୍ପୃକ୍ତ ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ପି. କେ. ସମାଜପତିଙ୍କ ମଧ୍ୟରେ କୌଣସି ଅନୈତିକ ସମ୍ପର୍କ ବା ପ୍ରଶାସନିକ ଅନୁକମ୍ପା ରହିଛି ବୋଲି ପ୍ରଶ୍ନ ସୃଷ୍ଟି ହେଉଛି । ତେଣୁ ଏଭଳି ଅଭିଯୋଗର ସତ୍ୟତା ଯାଞ୍ଚ କରି ତଥ୍ୟ ସାର୍ବଜନୀନ କରିବା ହିଁ ଏବେ ଜରୁରୀ ହୋଇପଡ଼ିଛି।

ପି. କେ. ସମାଜପତିଙ୍କ ପ୍ରକୃତ ଶିକ୍ଷାଗତ ଯୋଗ୍ୟତା କ’ଣ, ସେ କୌଣସି ସ୍ୱୀକୃତ ଚିକିତ୍ସା ପଞ୍ଜୀକରଣ ରଖିଛନ୍ତି କି ନାହିଁ ଏବଂ ଚିକିତ୍ସା କରିବା ପାଇଁ ତାଙ୍କର ଆଇନଗତ ଅଧିକାର ଅଛି କି ନାହିଁ—ଏସବୁ ଦିଗରେ ତଦନ୍ତ ହେବାକୁ ଦାବି ହେଉଛି। ସେହିପରି ସେ କେଉଁ ଯୋଗ୍ୟତା ଓ ପଞ୍ଜୀକରଣ ଆଧାରରେ ଚିକିତ୍ସା କରୁଛନ୍ତି, ତାହା ମଧ୍ୟ ସ୍ପଷ୍ଟ କରିବାକୁ ଦାବି ହୋଇଛି।

ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସହ ସିଧାସଳଖ ଜଡ଼ିତ ଏହି ଅଭିଯୋଗକୁ ପ୍ରଶାସନ ଗୁରୁତ୍ୱର ସହ ନେଇ ନିରପେକ୍ଷ ତଦନ୍ତ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବା ସହ ଏପରି ପ୍ରଚଳନକୁ ପ୍ରଶ୍ରୟ ଦେଉଥିବା କୌଣସି ବ୍ୟକ୍ତି କିମ୍ବା ବ୍ୟବସ୍ଥା ଥିଲେ ତାହାର ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି ଉଠିଛି।

ଏବେ ଦେଖିବାକୁ ବାକି—ଅଭିଯୋଗ ଉପରେ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ କରିବ ନା ଅଭିଯୋଗ ଫାଇଲ ମଧ୍ୟରେ ହିଁ ସୀମିତ ରହିବ? ଟିଟିଲାଗଡ଼ବାସୀଙ୍କ ନଜର ଏବେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS