ସୀମାନ୍ତ ଗାଁ ଜୁମଡାଙ୍ଗରେ ଆନ୍ଧ୍ରର ପ୍ରଭାବକୁ ନେଇ ଚର୍ଚ୍ଚା
ଆନ୍ଧ୍ରରେ ଭୋଟ ଦେବାକୁ ଗ୍ରାମବାସୀଙ୍କ ଆଗ୍ରହ, ତଦନ୍ତ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଜିଲ୍ଲାପାଳ
ମାଲକାନଗିରି ୩୦/୧୦( ମଣିଭଦ୍ରା ଖବର) ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ସ୍ୱାଭିମାନ ଅଞ୍ଚଳର ସୀମାନ୍ତ ଗାଁ ଜୁମଡାଙ୍ଗରେ ଆନ୍ଧ୍ରପ୍ରଦେଶର ପ୍ରଭାବକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ଗ୍ରାମର କିଛି ଲୋକ ଆନ୍ଧ୍ରପ୍ରଦେଶ ପକ୍ଷରୁ ମିଳୁଥିବା ବିଭିନ୍ନ ସୁବିଧାରେ ସନ୍ତୋଷ ପ୍ରକାଶ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ସେଠାରେ ଭୋଟ ଦେବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି। ଗ୍ରାମରେ ତେଲୁଗୁ ଭାଷାରେ ପୋଷ୍ଟର ଲାଗିଥିବା ନେଇ ମଧ୍ୟ ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୀର୍ଘଦିନ ଧରି ଆନ୍ଧ୍ରପ୍ରଦେଶ ପକ୍ଷରୁ ଗ୍ରାମରେ ପାନୀୟଜଳ, ଆବାସ ଗୃହ, ଅସ୍ଥାୟୀ ବିଦ୍ୟାଳୟ ଓ ଅଙ୍ଗନବାଡ଼ି ଭଳି ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ଗ୍ରାମରେ ଓଡ଼ିଶା ସରକାରଙ୍କ ସ୍ଥାୟୀ ବିଦ୍ୟାଳୟ ନଥିବାରୁ ତେଲୁଗୁ ଭାଷାରେ ଅସ୍ଥାୟୀ ଶିକ୍ଷାଦାନ ହେଉଥିବା ମଧ୍ୟ କୁହାଯାଉଛି। ଏହାର ପ୍ରଭାବରେ କିଛି ଗ୍ରାମବାସୀ ଆନ୍ଧ୍ରର ବ୍ୟବସ୍ଥା ସହ ଅଧିକ ଯୋଡ଼ି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଓଡ଼ିଶା ପକ୍ଷରୁ ମଧ୍ୟ ଗ୍ରାମରେ ରାସ୍ତା ଓ ଅଙ୍ଗନବାଡ଼ି ସମେତ କିଛି ମୌଳିକ ସୁବିଧା ଯୋଗାଇ ଦିଆଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗ୍ରାମରେ ଦୁଇ ରାଜ୍ୟରୁ ସରକାରୀ ସୁବିଧା ପାଇବା ଓ ଭୋଟର ତାଲିକାର ସ୍ଥିତିକୁ ନେଇ ମଧ୍ୟ ଯାଞ୍ଚର ଆବଶ୍ୟକତା ଦେଖାଦେଇଛି। ଘଟଣା ସମ୍ପର୍କରେ ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ଖବର ପାଇବା ପରେ ସ୍ଥାନୀୟ ବ୍ଲକ୍ ଅଧିକାରୀଙ୍କୁ ତଦନ୍ତ ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ହେଲେ ପ୍ରଶାସନିକ ଦଳ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ତଦନ୍ତ ପରେ ହିଁ ଜୁମଡାଙ୍ଗର ପ୍ରକୃତ ପ୍ରଶାସନିକ ସ୍ଥିତି ଓ ଆନ୍ଧ୍ର ପକ୍ଷରୁ ହେଉଥିବା କାର୍ଯ୍ୟକଳାପ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।
ସତ୍ୟ ନାରାୟଣ ଦାଶ,ମାଲକାନଗିରି ଜିଲ୍ଲା ପ୍ରତିନିଧି


إرسال تعليق