ଧୂଆଁ ମଡା ତୋଟାସାହିରେ ଗଜଲକ୍ଷ୍ମୀ ପୂଜା ଏବଂ ଝାମୁଯାତ୍ରା ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ଅନ୍ତର୍ଗତ ଧୁଆଁମଡା ତୋଟାସାହି ୧୭ ତମ ଗଜଲକ୍ଷ୍ମୀ ପୂଜା ଏବଂ ମଙ୍ଗଳା ଠାକୁରାଣୀଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦିବା ୧୦ ଘଟିକା ସମୟରେ ପୂଜାର୍ଚ୍ଚନା ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୁଆମଡ଼ା ତୋଟାସାହି ପୂଜା କମିଟି ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ମା' ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ଆୟୋଜନ କରାଯାଇଥିଲା। ଗ୍ରାମବାସୀ ମାନେ ସ୍ଥାନୀୟ ଜଳାଶୟରୁ ଜଳ ଆଣି ଘଟ ସ୍ଥାପନ କରିଥିଲେ । ଏହାପରେ ବୈଦିକ ରୀତିନୀତି ଅନୁଯାୟୀ ସୂର୍ଯ୍ୟ ପୂଜା, ଗୋ-ପୂଜା, ମା'ଙ୍କ ଆବାହନ, ଚଣ୍ଡୀପାଠ ଓ ହୋମଯଜ୍ଞ ଆଦି କର୍ମ ସମ୍ପାଦନ କରାଯାଇଥିଲା। ରଙ୍ଗୀନ ଆଲୋକମାଳା ଏବଂ ସୁନ୍ଦର ତୋରଣରେ ସମଗ୍ର ତୋଟାସାହି ଅଞ୍ଚଳ ଝଲସି ଉଠିଥିଲା।
ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ମା' ମଙ୍ଗଳା ଠାକୁରାଣୀଙ୍କର ପାରମ୍ପରିକ ଝାମୁଯାତ୍ରା। ମା'ଙ୍କ ନିକଟରେ ମାନସିକ ରଖିଥିବା ବହୁ ଭକ୍ତ ଓ ପାଟୁଆମାନେ ନିଷ୍ଠାର ସହ ଉପବାସ ରହି ପାରମ୍ପରିକ ଢୋଲ, ନିଶାନ, ଘଣ୍ଟ ଓ ହୁଳହୁଳି ଶବ୍ଦ ମଧ୍ୟରେ ଉତ୍ତପ୍ତ ଅଗ୍ନିକୁଣ୍ଡ (ନିଆଁ ଖାଇ) ଉପରେ ଚାଲି ନିଜର ଭକ୍ତି ଅର୍ପଣ କରିଥିଲେ। ମା' ମଙ୍ଗଳାଙ୍କ କାଳିସୀ ନୃତ୍ୟ, ଘଣ୍ଟଘଣ୍ଟା ନାଦ ଏବଂ ମା'ଙ୍କ ଜୟଧ୍ୱନିରେ ସମଗ୍ର ଗ୍ରାମ ପରିବେଶ ଆଧ୍ୟାତ୍ମିକମୟ ହୋଇଉଠିଥିଲା।
ଉଭୟ ଗଜଲକ୍ଷ୍ମୀ ପୂଜା ଓ ଝାମୁଯାତ୍ରା ଦେଖିବା ପାଇଁ ଧୁଆମଡ଼ା ସମେତ ଆଖପାଖ ଗ୍ରାମର ଶହ ଶହ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିବା ସହ ସନ୍ଧ୍ୟା ଆଳତି ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ। ଏହି ଉତ୍ସବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ବିଭୁକୃପା ଲାଭ କରିଥିଲେ । ତୋଟାସାହିର ଯୁବଗୋଷ୍ଠୀ, ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀମାନେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ଏହି ଯାତ୍ରାକୁ ପରିଚାଳନା କରିଥିଲେ।
ମଣିଭଦ୍ରା ଖବର, ଗଣିଆ



إرسال تعليق