ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ପିଇଓଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଭାଲ ଗ୍ରାମ ପଞ୍ଚାୟତର ପିଇଓ କାର୍ତ୍ତିକେଶ୍ୱର ବେହେରାଙ୍କ ବିଭିନ୍ନ ସ୍ଥାନରେ ଆଜି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଛି।
ଭିଜିଲାନ୍ସର ୫ ଜଣ ଡିଏସ୍ପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉ କରୁଛି। ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ତଲାସି ଚାଲିଛି।
କାର୍ତ୍ତିକେଶ୍ୱର ବେହେରା କଟାଭାଲ ପିଇଓ ଭାବେ କାର୍ଯ୍ୟରତ ଥିବାବେଳେ ଫିରିଙ୍ଗିମାଲ ଓ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତର ଭାରପ୍ରାପ୍ତ ପିଇଓ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି।
ଭିଜିଲାନ୍ସ ପକ୍ଷରୁ ତାଙ୍କର କନ୍ଦାଗଡ଼ସ୍ଥିତ ଦୁଇ ମହଲା ଘର, ୬ଟି ରୁମ୍ ଥିବା ମାର୍କେଟ କମ୍ପ୍ଲେକ୍ସ, ୩ଟି ରୁମ୍ ଥିବା ଗୋଦାମ, ଗାଇସିଲେଟସ୍ଥିତ ନିର୍ମାଣାଧୀନ ୪ ମହଲା କୋଠା, କନ୍ଦାଗଡ଼ସ୍ଥିତ ପୈତୃକ ଘର ଏବଂ କଟାଭାଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ତାଙ୍କ ଅଫିସ୍ ଚାମ୍ବରରେ ତଲାସି ଚାଲିଛି।
ଚଢ଼ାଉ ଓ ତଲାସି ଜାରି ରହିଥିବା ବେଳେ ସମ୍ପତ୍ତିର ସମ୍ପୂର୍ଣ୍ଣ ଆକଳନ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق