ନାକଟିଦେଉଳ ମାଟିର ଝିଅ କୁମୁଦିନୀଙ୍କୁ ଡିଜିପି ଡିସ୍କ : କର୍ତ୍ତବ୍ୟନିଷ୍ଠା ଓ ଉଲ୍ଲେଖନୀୟ ସେବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ସମ୍ବର୍ଦ୍ଧନା l
ସମ୍ବଲପୁର:ତା.୧୮/୦୮
ଦୃଢ଼ ଇଚ୍ଛାଶକ୍ତି, କର୍ତ୍ତବ୍ୟନିଷ୍ଠା ଓ ନିଷ୍ଠାପର ସେବା ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇପାରେ—ଏହାର ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛନ୍ତି ନାକଟିଦେଉଳ ମାଟିର ଝିଅ କୁମୁଦିନୀ ମାଝୀ (ଦୀପା)। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଜାମୁଯୋରି ଗ୍ରାମର ଏହି ଯୁବତୀ କଟକସ୍ଥିତ ସିଆଇଡି କ୍ରାଇମବ୍ରାଞ୍ଚର ସିଏଡବ୍ଲ୍ୟୁ ବିଭାଗରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥାଇ ନିଜର ଉଲ୍ଲେଖନୀୟ ସେବା ପାଇଁ ଡିଜିପି ଡିସ୍କ ସମ୍ମାନ ହାସଲ କରିଛନ୍ତି। ଜାମୁଯୋରି ଗ୍ରାମର ବରୁଣ ମାଝୀ ଓ ଲଛମା ମାଝୀଙ୍କ ଝିଅ କୁମୁଦିନୀଙ୍କ ଏହି ସଫଳତା ନାକଟିଦେଉଳ ସମେତ ସମଗ୍ର ସମ୍ବଲପୁର ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟିଛି। ଏକ ସାଧାରଣ ପରିବାରରୁ ଆସି ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଓ କାର୍ଯ୍ୟଦକ୍ଷତା ବଳରେ ରାଜ୍ୟ ପୁଲିସ ବିଭାଗର ଏହି ସମ୍ମାନଜନକ ସ୍ୱୀକୃତି ହାସଲ କରିବା ତାଙ୍କ ପରିବାର ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇଛି। ଚଳିତ ବର୍ଷ କର୍ତ୍ତବ୍ୟନିଷ୍ଠା, ଉଲ୍ଲେଖନୀୟ ସେବା ଓ କାର୍ଯ୍ୟଦକ୍ଷତା ପାଇଁ ରାଜ୍ୟର ମୋଟ ୫୫ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିପି ଡିସ୍କରେ ସମ୍ମାନିତ କରାଯାଇଛି। ପୁଲିସ ଭବନରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ସମ୍ମାନିତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏହି ସମ୍ମାନ ତାଲିକାରେ ବାର ଜଣ ଆଇପିଏସ୍ ଅଧିକାରୀ, ତିନି ଜଣ ଅତିରିକ୍ତ ଏସ୍ପି, ଦୁଇ ଜଣ ଡେପୁଟି କମାଣ୍ଡାଣ୍ଟ, ତିନି ଜଣ ଡିଏସ୍ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଆଠ ଜଣ ଇନ୍ସପେକ୍ଟର, ଚାରି ଜଣ ସବ୍ଇନ୍ସପେକ୍ଟର, ଚାରି ଜଣ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର, ପାଞ୍ଚ ଜଣ ହାବିଲଦାର, ଜଣେ ଡ୍ରାଇଭର ଏବଂ ତେର ଜଣ କନଷ୍ଟେବଳ/ଓଏପିଏଫ୍/ସିପାହୀ ସାମିଲ ଅଛନ୍ତି। ୯୧ତମ ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ମଧ୍ୟ କୁମୁଦିନୀ ମାଝୀଙ୍କୁ ଡିଜିପି ଡିସ୍କ ସମ୍ମାନରେ ସମ୍ମାନିତ କରାଯାଇଥିବା ଜଣାପଡ଼ିଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାସହ ସ୍ୱାଧୀନତା ଦିବସ ଅବସରରେ କଟକ ପୁଲିସ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସିଆଇଡି କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ତପନ କୁମାର ନାୟକ ପୁଷ୍ପମାଲ୍ୟ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି କୁମୁଦିନୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନାକଟିଦେଉଳର ଏକ ସାଧାରଣ ପରିବାରରୁ ଆସି ରାଜ୍ୟ ପୁଲିସ ବିଭାଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କୁମୁଦିନୀ ଆଜି ଅଞ୍ଚଳର ଅନେକ ଯୁବତୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ତାଙ୍କ ଏହି ସଫଳତାରେ ପରିବାର, ସମ୍ପର୍କୀୟ, ସହକର୍ମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। କୁମୁଦିନୀଙ୍କ ଏହି ସଫଳତା ନାକଟିଦେଉଳ ମାଟି ସହ ସମଗ୍ର ସମ୍ବଲପୁର ଜିଲ୍ଲାର ଗର୍ବ ଓ ଗୌରବକୁ ଆହୁରି ବଢ଼ାଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق