*ବିନ୍ଧନପଦରରେ ହାତୀ ଉପଦ୍ରବ*ସାହାର୍ଯ୍ୟ ର ହାତ ବଢ଼ାଇଲା କୋଶଳ ମୁକ୍ତି ମୋର୍ଚ୍ଚା ।
ବେଳପଡ଼ା- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଳକ କେନ୍ଦୁମୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବିନ୍ଧନପଦର ଗାଁରେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ସମ୍ପ୍ରତି ଘଟିଥିବା ଏକ ଅଭାବନୀୟ ଘଟଣାରେ ଗାଁର ବୃଦ୍ଧ ନିରଞ୍ଜନ ଧାରୁଆ (୭୨) ଓ ତାଙ୍କ ସ୍ତ୍ରୀ ରଜନୀ ଧାରୁଆ (୬୦) ହାତୀ ଆକ୍ରମଣରୁ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ହେଁ, ହାତୀ ଆକ୍ରମଣରେ ସେମାନଙ୍କ ବାସଗୃହ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଏଥିସହ ଘରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା, ଚାଉଳ ଓ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ସର୍ବସ୍ୱ ହରାଇ ଏବେ ଏହି ବୃଦ୍ଧ ଦମ୍ପତି ଅସହାୟ ଅବସ୍ଥାରେ ଦିନ ବିତାଉଛନ୍ତି।
ଏହି ସଙ୍କଟଜନକ ସମୟରେ କୋଶଲ ମୁକ୍ତି ମୋର୍ଚ୍ଚା ଗ୍ରାଉଣ୍ଡ ଜିରୋରେ ପହଞ୍ଚି ପ୍ରଭାବିତ ପରିବାର ପ୍ରତି ମାନବିକତାର ହାତ ବଢ଼ାଇଛି। ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର, ରମେଶ ଜୈନ, ବିମଳ ବାଗ ଓ ଦିଲୀପ ଭୋଇ ବିନ୍ଧନପଦର ଗାଁରେ ପହଞ୍ଚି ବୃଦ୍ଧ ଦମ୍ପତି ନିରଞ୍ଜନ ଓ ରଜନୀଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ଦୁଃଖ ଅନୁଧ୍ୟାନ କରିଛନ୍ତି। କେବଳ ସାନ୍ତ୍ୱନା ନୁହେଁ, ପରିବାରର ତୁରନ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୋର୍ଚ୍ଚା ତରଫରୁ ଗୋଟିଏ ବସ୍ତା ଚାଉଳ ଓ ପନିପରିବା ଯୋଗାଇ ଦିଆଯାଇଛି।
ଅନ୍ୟପଟେ, ବନ ବିଭାଗ ତରଫରୁ ହାତୀର ଗତିବିଧି ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗୋଟିଏ ଦନ୍ତା (ଟସ୍କର) ହାତୀ ଉକ୍ତ ଅଞ୍ଚଳରେ ସକ୍ରିୟ ଥିବାରୁ ବନ କର୍ମଚାରୀ ଓ ସ୍କ୍ୱାଡ୍ ଟିମ୍ ନିରନ୍ତର ଟ୍ରାକିଂ କରିବା ସହ ସ୍ଥିତି ଉପରେ ନଜର ରଖିଛନ୍ତି। ଏଥିସହ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ସରକାରୀ ନିୟମାନୁସାରେ ଆବଶ୍ୟକ ଅନୁକମ୍ପା ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବା ପାଇଁ ପ୍ରକ୍ରିୟା ଶୀଘ୍ର କରାଯିବ ବୋଲି ପ୍ରଶାସନିକ ସ୍ତରରେ ସୂଚନା ଦିଆଯାଇଛି।
ତେବେ କୋଶଲ ମୁକ୍ତି ମୋର୍ଚ୍ଚା ପ୍ରଭାବିତ ପରିବାରକୁ ତୁରନ୍ତ ଆବାସ ଓ କ୍ଷତିପୂରଣ ଦେବା ଦାବିରେ ସୋମବାର ଦିନ ପାଟଣାଗଡ଼ ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି। କେବଳ ପ୍ରତିଶ୍ରୁତି ନୁହେଁ, ଅନେକ ସମୟରେ ପ୍ରଶାସନିକ କାଗଜପତ୍ର କେବଳ ସାଧା କାଗଜ ହୋଇ ରହି ଫାଇଲ ତଳେ ଦବି ଯାଏ। ପ୍ରଶାସନିକ ସହାୟତା କେବଳ ପ୍ରତିଶ୍ରୁତିରେ ସୀମିତ ନରହି ଯଥାଶୀଘ୍ର ଗ୍ରାଉଣ୍ଡ ସ୍ତରରେ ପହଞ୍ଚିଲେ ହିଁ ଏହି ନିରୀହ ବୃଦ୍ଧ ଦମ୍ପତିଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ ବୋଲି କୋଶଲ ମୁକ୍ତି ମୋର୍ଚ୍ଚା କହିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق