ଆସନ୍ତାକାଲିଠାରୁ ସାମୂହିକ ଛୁଟିରେ ଯିବେ ଯୋଗାଣ ସହାୟକ, ବାଧାପ୍ରାପ୍ତ ହୋଇପାରେ ରାସନ ବଣ୍ଟନ
ବେଲଗୁଣ୍ଠା-୧୩/୭-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଯୋଗାଣ ସହାୟକମାନେ ନିଜର ଦୀର୍ଘ ଦିନର ନ୍ୟାଯ୍ୟ ଦାବି ପୂରଣ ନେଇ ଆସନ୍ତା ୧୪ ଜୁଲାଇ ୨୦୨୬ ଠାରୁ ସାମୂହିକ ଛୁଟିରେ ଯିବା ସହ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ଏ ନେଇ ସଂଘ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଲିଖିତ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ଯୋଗାଣ ସହାୟକମାନଙ୍କ ଅଭିଯୋଗ ଅନୁଯାୟୀ, ସେମାନେ ଦୀର୍ଘ ୧୪ ବର୍ଷ ଧରି ନିଷ୍ଠାର ସହ ସେବା ଯୋଗାଇ ଆସୁଥିଲେ ମଧ୍ୟ ସରକାର ସେମାନଙ୍କର ସ୍ଥାୟୀ ନିଯୁକ୍ତି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଦାବି ପ୍ରତି କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରିଛନ୍ତି, ଯାହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଗତ ଜୁନ୍ ୧୫ ତାରିଖରେ ଲିଖିତ ଚିଠି ଏବଂ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାର ଓ ଜିଲ୍ଲା ପ୍ରଶାସନକୁ ଆସନ୍ତା ୧୦ ଜୁଲାଇ ସୁଦ୍ଧା ସମସ୍ତ ଦାବି ପୂରଣ କରିବା ପାଇଁ ଅଲ୍ଟିମେଟମ୍ ଦିଆଯାଇଥିଲା। ଜନହିତ ଏବଂ ସରକାରଙ୍କ ପ୍ରତି ସହଯୋଗର ହାତ ବଢ଼ାଇ ନିକଟରେ ଆରମ୍ଭ ହୋଇଥିବା ନୂତନ ସିଏମଏୱାଇ ଯୋଜନାର ସମସ୍ତ କାର୍ଯ୍ୟକୁ ସେମାନେ ସଫଳତାର ସହ ଶେଷ କରିଥିଲେ। ମାତ୍ର ସରକାର ସେମାନଙ୍କ ନ୍ୟାଯ୍ୟ ଦାବିକୁ ସମ୍ପୂର୍ଣ୍ଣ ଅଣଦେଖା କରିଥିବାରୁ, ସେମାନେ ନିଜର ସାମ୍ବିଧାନିକ ଅଧିକାର ପ୍ରୟୋଗ କରି ଜୁଲାଇ ୧୩ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିବା ସହ ୧୪ ତାରିଖଠାରୁ ସମ୍ପୂର୍ଣ୍ଣ ସାମୂହିକ ଛୁଟିରେ ଯିବାକୁ ବାଧ୍ୟ ହୋଇଛନ୍ତି।
ବର୍ତ୍ତମାନ ପ୍ରଶାସନ ତରଫରୁ ଜୁଲାଇ ଏବଂ ଅଗଷ୍ଟ ଦୁଇ ମାସର ରାସନ ସାମଗ୍ରୀ ବଣ୍ଟନ ପାଇଁ ଆବଣ୍ଟନ ଜାରି କରାଯାଇଥିଲେ ସୁଦ୍ଧା, ଯୋଗାଣ ସହାୟକମାନେ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପେ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସାମୂହିକ ଛୁଟି ଯୋଗୁଁ ଆଗାମୀ ଦିନରେ ବ୍ଲକର ହଜାର ହଜାର ଗରିବ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେବା ସହ ପ୍ରବଳ ହଇରାଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ସେମାନଙ୍କ ଆନ୍ଦୋଳନ ସମୟରେ ଉପଜୁଟିବାକୁ ଥିବା ଜନସାଧାରଣଙ୍କ ଅସୁବିଧା ପାଇଁ ପ୍ରଶାସନ ନିଜ ସ୍ତରରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁ ଏବଂ ଆନ୍ଦୋଳନରତ କର୍ମଚାରୀଙ୍କ ଉପରେ କୌଣସି ପ୍ରକାର ଚାପ ନପକାଉ ବୋଲି ଯୋଗାଣ ସହାୟକ ମାନେ କହିଛନ୍ତି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق