ଏକ ହାତରେ ଲାଠି, ଦେହରେ ବୃଦ୍ଧାବସ୍ଥାର ଛାପ, ମୁହଁରେ ଅସହାୟତା। ଏମିତି ଜଣେ 84 ବର୍ଷୀୟ ବୃଦ୍ଧଙ୍କୁ ଜେଲ୍ ପଠାଯାଉଥିବା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଅଭିଯୋଗ? Attempt to Murder। କିନ୍ତୁ ଏହି ମାମଲା ଆଜିର ନୁହେଁ, ପ୍ରାୟ 33 ବର୍ଷ ପୁରୁଣା।
ନିଶ୍ଚିତ ଭାବେ ଅପରାଧୀ ଯଦି ଦୋଷୀ, ତେବେ ତାକୁ ଦଣ୍ଡ ମିଳିବା ଉଚିତ। କିନ୍ତୁ ପ୍ରଶ୍ନ ହେଉଛି — ଏହି ଦଣ୍ଡ ଯଦି 33 ବର୍ଷ ପରେ ମିଳେ, ତେବେ ତାହାକୁ ପ୍ରକୃତ ନ୍ୟାୟ କୁହାଯାଇପାରିବ କି?
ଆମ ଦେଶର ନ୍ୟାୟ ବ୍ୟବସ୍ଥାର ସବୁଠାରୁ ବଡ଼ ସମସ୍ୟା ହେଉଛି ବିଳମ୍ବ। ଲକ୍ଷ ଲକ୍ଷ ମାମଲା ବର୍ଷ ବର୍ଷ ଧରି ଅଦାଲତରେ ପଡ଼ି ରହିଛି। କେହି କେହି ଅଭିଯୁକ୍ତ ରାୟ ଆସିବା ପୂର୍ବରୁ ମୃତ୍ୟୁବରଣ କରିଦିଅନ୍ତି, ଆଉ କେତେକ ପୀଡ଼ିତ ନ୍ୟାୟ ପାଇବା ଆଶାରେ ଜୀବନ କାଟି ଦିଅନ୍ତି।
କୁହାଯାଏ, “Justice Delayed is Justice Denied” — ବିଳମ୍ବିତ ନ୍ୟାୟ ମାନେ ନ୍ୟାୟରୁ ବଞ୍ଚିତ ହେବା। କାରଣ ନ୍ୟାୟର ମୂଲ୍ୟ ସେତେବେଳେ ଥାଏ, ଯେତେବେଳେ ତାହା ଠିକ୍ ସମୟରେ ମିଳେ।
କେବେ କେବେ ଲାଗେ ଯେ, ଆମ ନ୍ୟାୟ ବ୍ୟବସ୍ଥା ଏତେ ଧୀରେ କାମ କରେ ଯେ ସ୍ୱୟଂ ଯମରାଜ ମଧ୍ୟ ଭାବୁଥିବେ — “ଭାରତୀୟ ନ୍ୟାୟପାଳିକାର ରାୟକୁ ଅପେକ୍ଷା କରିବି, ନା ମୁଁ ନିଜେ ଦଣ୍ଡ ଦେଇଦେବି?”
ଏହା କୌଣସି ନ୍ୟାୟପାଳିକାକୁ ଅସମ୍ମାନ କରିବାର କଥା ନୁହେଁ। ବରଂ ଏକ କଠିନ ସତ୍ୟକୁ ଉପସ୍ଥାପନ କରିବାର ଚେଷ୍ଟା। ଯେତେବେଳେ ଏକ Attempt to Murder ଭଳି ଗୁରୁତର ମାମଲାର ଫୈସଲା ଆସିବାକୁ 33 ବର୍ଷ ଲାଗିଯାଏ, ସେତେବେଳେ କେବଳ ଅଭିଯୁକ୍ତ ନୁହେଁ, ପୀଡ଼ିତ ପକ୍ଷ ମଧ୍ୟ ନ୍ୟାୟରୁ ବଞ୍ଚିତ ହୁଅନ୍ତି।
ଦେଶ ଡିଜିଟାଲ୍ ହେଉଛି, ଚନ୍ଦ୍ରକୁ ଯାଉଛି, ବିଶ୍ୱର ବଡ଼ ବଡ଼ ଅର୍ଥନୀତି ସହ ପ୍ରତିଯୋଗିତା କରୁଛି। କିନ୍ତୁ ଯଦି ସାଧାରଣ ଲୋକଙ୍କୁ ନ୍ୟାୟ ପାଇବା ପାଇଁ ତିନି ଦଶନ୍ଧି ଅପେକ୍ଷା କରିବାକୁ ପଡ଼େ, ତେବେ ଏହା ଚିନ୍ତାର ବିଷୟ।
ନ୍ୟାୟ କେବଳ ଦଣ୍ଡ ଦେବାର ନାମ ନୁହେଁ। ନ୍ୟାୟ ହେଉଛି ସମୟୋପଯୋଗୀ, ନିଷ୍ପକ୍ଷ ଏବଂ ପ୍ରଭାବଶାଳୀ ନିଷ୍ପତ୍ତି। ନଚେତ୍ ରାୟ ଆସିବା ବେଳକୁ ସମୟ ନିଜେ ସବୁଠାରୁ ବଡ଼ ବିଚାରକ ହୋଇଯାଏ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق