ଆଲୁମିନା ଲୁଟ୍ ରାକେଟ୍ ପର୍ଦାଫାଶ: ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ 7 ପିକଅପ୍ ଜବତ, 7 ଗିରଫ; ମାଫିଆଙ୍କ ମାୟାଜାଲରେ ଦୁଇ ଜିଲ୍ଲା
ମୁନିଗୁଡା, -: ବେଦାନ୍ତ ଲାଞ୍ଜିଗଡ଼ ଆଲୁମିନା ପ୍ରକଳ୍ପରୁ ଲକ୍ଷାଧିକ ଟଙ୍କାର ଆଲୁମିନା ପାଉଡର ଲୁଟି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ଏକ ବଡ଼ ରାକେଟର ପର୍ଦାଫାଶ କରିଛି ମୁନିଗୁଡା ପୁଲିସ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି 7ଟି ଆଲୁମିନା ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିବା ସହ 7 ଜଣ ଚାଳକଙ୍କୁ ଗିରଫ କରିଛି। ଏହି ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଚର୍ଚା ଜୋର ଧରିଛି। ମୁନିଗୁଡା ଆଇଆଇସି କେଶବ ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ବେଦାନ୍ତ ପ୍ରକଳ୍ପରୁ ଚୋରି ହୋଇଥିବା ଆଲୁମିନା ପାଉଡର 7ଟି ପିକଅପ୍ ଭ୍ୟାନରେ ଲୋଡ୍ କରି ବାହାର ରାଜ୍ୟକୁ ଚାଲାଣ ହେଉଥିଲା। ଗୋପନ ସୂଚନା ଆଧାରରେ ପୁଲିସ ଜାଲ ବିଛାଇ ସମସ୍ତ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଛି। ଗିରଫ ଚାଳକମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଲୁଟ୍ ପଛରେ ଥିବା ମୁଖ୍ୟ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ତଦନ୍ତ ଜାରି ରହିଛି। ସ୍ଥାନୀୟ ସୂତ୍ରରୁ ପ୍ରକାଶ ଯେ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଦୀର୍ଘ ଦିନ ହେଲା ଆଲୁମିନା ଚୋରି ଏକ ସଂଗଠିତ ବ୍ୟବସାୟରେ ପରିଣତ ହୋଇଛି। ଦଲାଲ ଓ ମାଲିକମାନେ ଏହି କଳା କାରବାରରୁ ମାଲାମାଲ ହେଉଥିବା ବେଳେ କମ୍ପାନୀ ଓ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ସବୁଠାରୁ ଉଦବେଗଜନକ କଥା ହେଲା, ଏପରି ଘଟଣା ପଦାକୁ ଆସିଲେ ବି କୋହଳ କେସ୍ କରି ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଉଛି। ଫଳରେ ମାଫିଆଙ୍କ ମନରେ ପୁଲିସର ଭୟ ରହୁନାହିଁ। ବେଲରେ ବାହାରି ପୁଣି ଗାଡ଼ି ନେଇ ସେମାନେ ସେହି ଲୁଟ୍ ଘଟଣାରେ ସାମିଲ ହେଉଛନ୍ତି।ପରିବେଶବିତ୍ ଓ ସମାଜସେବୀଙ୍କ ମତରେ, ଏହି ଆଲୁମିନା ଚୋରା ଚାଲାଣ କେବଳ ଆର୍ଥିକ କ୍ଷତି କରୁନାହିଁ, ବରଂ ଅତ୍ୟନ୍ତ ବିପଦଜନକ। ଖୋଲା ଭାବେ ଆଲୁମିନା ପାଉଡର ପରିବହନ ଓ ବେଆଇନ ଗଚ୍ଛିତ ଯୋଗୁଁ ବାୟୁ ଓ ଜଳ ପ୍ରଦୂଷିତ ହେଉଛି, ଯାହା ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଘାତକ ପାଲଟିଛି। ଏହାଛଡା ଏହି କଳା ଟଙ୍କାର ଲୋଭରେ ଛୋଟ ଛୋଟ ପିଲାମାନେ ଅପରାଧ ଦୁନିଆକୁ ଟାଣି ହୋଇଯାଉଛନ୍ତି, ଯାହା ସେମାନଙ୍କ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଉଛି। ଏହି ସଂଗଠିତ ଲୁଟ୍ ରାକେଟର ମୂଳ ଯାଏଁ ପହଞ୍ଚି ମୁଖ୍ୟ ମାଫିଆଙ୍କୁ ଗିରଫ କରିବା ପାଇଁ ପ୍ରଶାସନ କାହିଁକି ତତ୍ପର ହେଉନାହିଁ, ତାହା ଏବେ ବଡ଼ ପ୍ରଶ୍ନ। ବୁଦ୍ଧିଜୀବୀ ମହଲରେ ଦାବି ହେଉଛି, ବେଦାନ୍ତ କର୍ତୃପକ୍ଷ ଓ କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ପ୍ରଶାସନ ତୁରନ୍ତ ମିଳିତ ଭାବେ କଡ଼ା ପଦକ୍ଷେପ ନେଇ ଏହି ଚୋରି ପ୍ରକ୍ରିୟା ଉପରେ ସମ୍ପୂର୍ଣ୍ଣ ରୋକ ଲଗାନ୍ତୁ। ନଚେତ୍ ଆଗାମୀ ଦିନରେ ଏହା ଏକ ବଡ଼ ସାମାଜିକ ଓ ପରିବେଶ ବିପର୍ଯ୍ୟର କାରଣ ହେବ ବୋଲି ସମାଜସେବୀମାନେ ଚେତାବନୀ ଦେଇଛନ୍ତି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق