ପାଇପ ଫାଟି ୩ଦିନ ହେଲା ଜଳ ଯୋଗାଣ ବନ୍ଦ, ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ।
ବୌଦ୍ଧ ,ବୌଦ୍ଧ ବ୍ଲକର ସମସ୍ତ ଗାଁକୁ ପିଇବା ପାଣି ଯୋଗାଇ ଦେବା ପାଇଁ ତେଲିବନ୍ଧ ପଞ୍ଚାୟତର ରାମପୁର ଗ୍ରାମ ନିକଟ ମହାନଦୀରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଛି। ଏଥିରୁ ପର୍ଯ୍ୟାୟ କ୍ରମେ ସମସ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ମଧ୍ୟ କରାଯାଉଛି। ବାଉଁଶୁଣୀ ପଞ୍ଚାୟତର ସଦର ବଜାର ସହିତ ବିଭିନ୍ନ ଗ୍ରାମକୁ ଦିନେ ଛଡ଼ା ଦିନେ ଅନ୍ତରରେ ପାଣି ଦିଆଯାଉଛି। ଏଥିପାଇଁ ସ୍ଥାନୀୟ ଦୈନିକ ବଜାର ନିକଟରେ ଏକ ଓଭର ହେଡ ଟାଙ୍କି ସ୍ଥାପନ ହୋଇଛି। ହେଲେ ଟାଙ୍କି ନିକଟରେ ପାଇପ ଫାଟି କଣା ହୋଇ ଯାଇଥିବାରୁ ଗତ ତିନି ଦିନ ହେଲା ବଜାର ଅଞ୍ଚଳକୁ ପାଣି ଯୋଗାଣ ବନ୍ଦ ହୋଇ ଯାଇଛି। ଫଳରେ ବଜାର ଅଞ୍ଚଳର ମେଡ଼ିକାଲ ଛକ, ବସଷ୍ଟାଣ୍ଡ ଛକ, ଡିମିରିପାଲି ଛକ, ଗୁନ୍ଦୁଳିଆ ରୋଡ଼ ଆଦି ଅଞ୍ଚଳର ପ୍ରାୟ ୧୦୦ ପରିବାର ପିଇବା ପାଣି ନପାଇ ହନ୍ତସନ୍ତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଠାରେ ସୂଚାଇ ଦିଆଯାଇ ପାରେଯେ ବଜାର ଅଞ୍ଚଳର ପ୍ରାୟ ସମସ୍ତ କୂଅ ଓ ନଳକୁଅର ଜଳ କ୍ଷାରିୟ ଅଟେ। ଏଥିପାଇଁ ବଜାରବାସୀ ମହାନଦୀର ଏହି ପାଇପ ପାଣିକୁ ଚାତକ ଭଳି ଅନାଇ ରହିଥାନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଏଭଳି ପାଇପ ପାଣି ଯୋଗାଣ ବନ୍ଦ ହେବା କାରଣରୁ ଏହାକୁ ନେଇ ବଜାରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏହି ଫଟା ପାଇପର ମରାମତି କରି ପିଇବା ପାଣି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق