*Assembly: ରାତି ଅଧରେ ପାସ୍ ହେଲା ବିଲ୍: ୪ ଘଣ୍ଟା ଧରି ଚାଲିଲା ଆଲୋଚନା*
ଲଗାତାର ୯ ଦିନର ଅଚଳାବସ୍ଥା ପରେ ବିଧାନସଭା ସ୍ବାଭାବିକ ହୋଇଥିଲା। ବିଜୁ ବାବୁଙ୍କ ଉପରେ ଆଲୋଚନା ହୋଇଥିଲା ବେଳେ ବ୍ୟୟମଞ୍ଜୁରି ବିଲ୍ ଉପରେ ଲମ୍ବା ବିତର୍କ ହୋଇଥିଲା।
ଭୁବନେଶ୍ବର: ଲଗାତାର ୯ ଦିନର ଅଚଳାବସ୍ଥା ପରେ ବିଧାନସଭା ସ୍ବାଭାବିକ ହୋଇଥିଲା। ବିଜୁ ବାବୁଙ୍କ ଉପରେ ଆଲୋଚନା ହୋଇଥିଲା ବେଳେ ବ୍ୟୟମଞ୍ଜୁରି ବିଲ୍ ଉପରେ ଲମ୍ବା ବିତର୍କ ହୋଇଥିଲା। ଶେଷ ପର୍ଯ୍ୟାୟରେ ପ୍ରାୟ ୪ ଘଣ୍ଟା ଧରି ଓଡ଼ିଶା ସରକାରୀ ବିଶ୍ବବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ବିଧେୟକ, ୨୦୨୬ ଉପରେ ବିଧାୟକମାନେ ଚର୍ଚ୍ଚା କରିଥିଲେ। ରାତି ଅଧ ପର୍ଯ୍ୟନ୍ତ ଆଲୋଚନା ହୋଇ ବିଲ୍ ପାରିତ ହୋଇଥିଲା। ସୂଚନାଯୋଗ୍ୟ ଯେ ପୂର୍ବରୁ ଅଧ୍ୟାଦେଶ ଆକାରରେ ଜାନୁଆରି ୩୦ ତାରିଖଠାରୁ ଏହା ବଳବତ୍ତର ରହିଥିଲ। ।
ବିଲ୍ ସମ୍ପର୍କରେ ସୂଚନା ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ, କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଶିକ୍ଷକ କ୍ୟାଡରରେ ସଂରକ୍ଷଣ ଆଇନ, ୨୦୧୯ ପାଳନ କରନ୍ତି, ଯାହା ସମଗ୍ର ବିଶ୍ବବିଦ୍ୟାଳୟକୁ ଏକକ ୟୁନିଟ୍ ଭାବରେ ବିବେଚନା କରେ। କିନ୍ତୁ ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ସଂରକ୍ଷଣ ପାଇଁ ରାଜ୍ୟରେ ଏପରି କୌଣସି ଆଇନ ନାହିଁ। ଏବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୦୮୬ ମଞ୍ଜୁରିପ୍ରାପ୍ତ ଶିକ୍ଷକ ପଦବି ଥିଲା ବେଳେ ଅଛନ୍ତି କେବଳ ୬୫୯ ଶିକ୍ଷକ। ତେଣୁ ଏକ ଆଇନ ପ୍ରଣୟନ କରି ଶୀଘ୍ର ସେହି ଖାଲି ପଦ ପୂରଣ କରିବା ଆବଶ୍ୟକ ମନେ ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସଂରକ୍ଷଣ ନୀତି ଅନୁଯାୟୀ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ସାମାଜିକ, ଶିକ୍ଷାଗତ ଭାବରେ ପଛୁଆବର୍ଗ (ଏସ୍ଇବିସି) ଏବଂ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରତିନିଧିତ୍ବ ସୁନିଶ୍ଚିତ କରିବା ପାଇଁ ‘ବିଶ୍ବବିଦ୍ୟାଳୟକୁ ଏକକ’ ଭାବରେ ଗ୍ରହଣ କରି ଏହି ଆଇନ ପ୍ରଣୟନ କରୁଛନ୍ତି।
ବିଲ୍ଟିକୁ ସିଲେକ୍ଟ କମିଟି ପଠାଇବା ପାଇଁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ କୁମାର ସାହୁ, ଅଶୋକ ଦାସ, ଧ୍ରୁବଚରଣ ସାହୁ ଓ ଗଣେଶ୍ୱର ବେହେରା ଦାବି କରିଥିଲେ। ତେବେ ଗୁରୁତ୍ବ ଦୃଷ୍ଟିରୁ ଏହାକୁ ତୁରନ୍ତ ଲାଗୁ କରିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଯୁକ୍ତି ବାଢ଼ିଥିଲେ। ଏହାପରେ ବାଚସ୍ପତି ବିଲ୍ ଉପରେ ଆଲୋଚନା ଆରମ୍ଭ କରିଥିଲେ। ବିରୋଧୀ ଦଳର ସଦସ୍ୟମାନେ ଏହି ବିଲକୁ କଡ଼ା ବିରୋଧ କରିଥିଲେ ହେଁ ଶାସକ ଦଳ ପକ୍ଷରୁ ସନ୍ତୋଷ ଖଟୁଆ, ମାନସ କୁମାର ଦତ୍ତ, ଅମର କୁମାର ନାୟକ, ରୁପୁ ଭତ୍ରା, ଗୌରୀ ଶଙ୍କର ମାଝୀ, ରଘୁନାଥ ଜଗଦଲା ପ୍ରମୁଖ ବିଲକୁ ପାରିତ କରିବାକୁ ଯୁକ୍ତି ବାଢ଼ିଥିଲେ।
ବିଭିନ୍ନ ଧାରା ଉପରେ ସଂଶୋଧନ ଆଣିବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ କୁମାର ସାହୁ ତର୍କ କରିଥିଲେ। ସେମାନେ କହିଥିଲେ, ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ଧରିଲେ କେଉଁଭଳି ଭାବେ ବିଭିନ୍ନ ବିଭାଗରେ ସଂରକ୍ଷିତ ବର୍ଗଙ୍କୁ ନିଯୁକ୍ତି ଦିଆଯିବ? ଏ ନେଇ ସରକାର କିଛି ଫର୍ମୁଲା ପ୍ରସ୍ତୁତ କରିଛନ୍ତି କି? କେନ୍ଦ୍ର ସରକାର କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ପାଇଁ ଯେଉଁ ନିୟମ କରିଛନ୍ତି, ସେହି ନିୟମକୁ ରାଜ୍ୟରେ କାହିଁକି ଲାଗୁ କରାଯାଉଛି? ରାଜ୍ୟ ସରକାର ରାଜ୍ୟକୁ ସୁହାଇଲା ଭଳି ନିୟମ କରନ୍ତୁ। କିନ୍ତୁ ମନ୍ତ୍ରୀ କହିଥିଲେ, ଗୋଟିଏ ବିଭାଗରେ ୬ରୁ କମ୍ ପଦବିରେ ନିଯୁକ୍ତି ଦିଆଗଲେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସମ୍ଭବ ହେଉନାହିଁ। ତେଣୁ ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ନେଇ ମୋଟ ପଦବି ଉପରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ। ସେହିପରି କୁଳପତି ନିଯୁକ୍ତି ଦେବେ ନାହିଁ, କୁଳପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଯୁକ୍ତି ଦେବେ। ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ନେବା ନିଷ୍ପତ୍ତି ପୂର୍ବ ସରକାରରେ ମଧ୍ୟ ୨୦୧୯ ମସିହାରେ ହୋଇଥିଲା। ହେଲେ ଏହାକୁ ୧ ମାସ ମଧ୍ୟରେ ପ୍ରତ୍ୟାହାର କରିନିଆଯାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق