ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଅବ୍ୟବସ୍ଥା:
ତାଳା ପଡ଼ି ରହୁଛି ସ୍ୱାସ୍ଥ୍ୟ ସେବା, ରୋଗୀ ହେଉଛନ୍ତି ନିରାଶ#
ନୂଆପଡା ଜିଲ୍ଲା ସିନାପାଲି: -: ଗ୍ରାମୀଣ ଅଞ୍ଚଳରେ ସୁଲଭ ଓ ନିଶୁଳ୍କ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଖୋଲାଯାଇଥିବା “ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର” ବର୍ତ୍ତମାନ ଅନେକ ସ୍ଥାନରେ କାଗଜକଳମରେ ସୀମିତ ହୋଇ ପଡ଼ିଛି । ଲକ୍ଷାଧିକ ଟଙ୍କା ବ୍ୟୟ ସତ୍ତ୍ୱେ ବ୍ୟବହାରିକ ମାଟିରେ ଏହାର ସଠିକ୍ ଲାଭ ଲୋକମାନେ ପାଇପାରୁନାହାନ୍ତି ବୋଲି ଅଭିଯୋଗ ଜୋରଦାର ହେଉଛି । ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା ଓ କୁଳିଆଡୋଙ୍ଗରି ଗ୍ରାମରୁ ମିଳୁଥିବା ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ କମ୍ୟୁନିଟି ହେଲ୍ଥ ଅଫିସର (ସିଏଚଓ) ମାନେ ନିୟମିତ ଭାବେ ଡିଉଟିରେ ଉପସ୍ଥିତ ରହୁନାହାନ୍ତି । ଅନେକ ସମୟରେ କେନ୍ଦ୍ରଗୁଡ଼ିକ ତାଳା ପଡ଼ିଥିବା ଦେଖାଯାଏ, ଯାହାର ଫଳରେ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନିରାଶାରେ ଫେରିଯାଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କେନ୍ଦ୍ରର ଖୋଲା ଓ ବନ୍ଦ ସମୟ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ଲୋକମାନେ ଅସୁବିଧାରେ ପଡ଼ୁଛନ୍ତି । ସରକାରୀ ନିୟମ ଅନୁଯାୟୀ ପ୍ରତିଦିନ ସକାଳରୁ ଦୁପର୍ଯ୍ୟନ୍ତ ସେବା ମିଳିବା କଥା ଥିଲେ ମଧ୍ୟ, ଅନେକ ସ୍ଥାନରେ ସମୟ ପାଳନ ହେଉନାହିଁ । ଏହାର ପରିଣାମରେ ଗରିବ ଓ ଅସହାୟ ଲୋକମାନେ ବଡ଼ ହସ୍ପିଟାଲକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଦାୟିତ୍ୱରତ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିବାବେଳେ “ତଦନ୍ତ କରାଯିବ” ବୋଲି ମାତ୍ର ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରାକ୍ତିକ ପଦକ୍ଷେପ ନିଆଯାଇନଥିବା ଦେଖାଯାଉଛି । ଏହି ଅବସ୍ଥାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଳ ଓ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନଙ୍କ ଦାବି ହେଉଛି ଯେ କେନ୍ଦ୍ରର ସମୟ ସୂଚୀ ସ୍ପଷ୍ଟ ଭାବେ ପ୍ରଚାର କରାଯାଉ, ନିୟମିତ ଡିଉଟିରେ ଅନୁପସ୍ଥିତ ଥିବା ସିଏଚଓମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ, ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କ ଉପରେ ନିୟମିତ ନିରୀକ୍ଷଣ ବ୍ୟବସ୍ଥା କରାଯାଉ । ସରକାର ଯେଉଁ ଉଦ୍ଦେଶ୍ୟରେ ଏହି କେନ୍ଦ୍ରଗୁଡ଼ିକ ଖୋଲିଛନ୍ତି, ଯଦି ସେହି ଲକ୍ଷ୍ୟ ମାଟିରେ ପୂରଣ ହେଉନାହିଁ, ତେବେ ଏହାର ମୂଲ୍ୟ କ’ଣ ? ଏହି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଜୋରଦାର ଭାବେ ଉଠୁଛି । ଯଦି ଶୀଘ୍ର ସଠିକ୍ ପଦକ୍ଷେପ ନିଆଯିବ ନାହିଁ, ତେବେ ଆଗାମୀ ଦିନରେ ଗ୍ରାମବାସୀମାନେ ଆନ୍ଦୋଳନର ରାସ୍ତା ଧରିବେ ବୋଲି ସତର୍କ କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କେତେ ଦୃଢ଼ ପଦକ୍ଷେପ ନେବେ, ସେଥିପାଇଁ ସମସ୍ତଙ୍କ ନଜର ରହିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق