ନୂଆପଡ଼ାରେ ଜିଲ୍ଲା ପରିଷଦ ସମୀକ୍ଷା ବୈଠକ ଅନୁଷ୍ଠିତ l ମନରେଗାରେ ଅଧିକ କାର୍ଯ୍ୟଦିବସ ସୃଷ୍ଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ l
ନୂଆପଡା,
ନୂଆପଡା ଜିଲ୍ଲା ପରିଷଦ କାର୍ଯ୍ୟାବଳୀର ସମୀକ୍ଷା ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।୨୦୨୫–୨୬ ଆର୍ଥିକ ବର୍ଷ ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGS)ର କାର୍ଯ୍ୟପ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ଅଧିକ ସଂଖ୍ୟାରେ କାର୍ଯ୍ୟଦିବସ (ମେନ୍ ଡେଜ୍) ସୃଷ୍ଟି କରିବା ଉପରେ ଗୁରୁତ୍ବ ଦେଇଥିଲେ। ଯେଉ ପରିବାର ଏପର୍ଯ୍ୟନ୍ତ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ନ୍ୟୁନତମ ୧୦୦ ଦିନର କାମଯୋଗାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ l ଗ୍ରାମୀଣ ଆବାସ ଯୋଜନା ଓ ଅନ୍ତ୍ୟୋଦୟ ଗୃହ ଯୋଜନାର ପ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସମସ୍ତ ପ୍ରକଳ୍ପ ଶୀଘ୍ର ସମାପ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ରୀୟ ଅର୍ଥ ଆୟୋଗ (CFC) ଓ ରାଜ୍ୟ ଅର୍ଥ ଆୟୋଗ (SFC) ଅଧୀନରେ ଆବଣ୍ଟିତ ଧନରାଶିକୁ ଆସନ୍ତା ୧୫ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ବ୍ୟୟ କରିବାକୁ ସେ କହିଥିଲେ।ପାଣ୍ଠି ଅବ୍ୟବହୃତ ରହିଲେ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ସତର୍କ କରିଥିଲେ।
ଆସନ୍ତା ଏପ୍ରିଲ୍ ମାସରୁ ପାଞ୍ଚଟି ବ୍ଲକରୁ ସର୍ବୋତ୍କୃଷ୍ଟ ପାଞ୍ଚଜଣ ସରପଞ୍ଚଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।ଏହି ଅବସରରେ ୨୦୨୫–୨୬ ଆର୍ଥିକବର୍ଷରେ ମନରେଗା ଅଧୀନରେ ଲକ୍ଷ୍ୟ ପୂରଣରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ସିନାପାଲି ଓ ବୋଡେନ ବ୍ଲକର ବିଡିଓମାନଙ୍କୁ ସମ୍ମାନିତ କରାଯାଇଥିଲା।ବୈଠକରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ନୂଆପଡା ବିଡିଓ ରୋହିତ ଭୋଇ, ସିନାପାଲି ବିଡିଓ କାର୍ମି ଓରାମ, ବୋଡେନ ବିଡିଓ ସୁଶାନ୍ତ କୁମାର ରଣା, ଖରିଆର ବିଡିଓ ମିଳନ କୁମାର ଝାଙ୍କର ଓ କୋମନା ବିଡିଓ ପବିତ୍ର କୁମାର ସାମଲ ସହିତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق