ଉଦଯାପିତ ହେଲା ପଞ୍ଚୁପାଣ୍ଡବ ମହୋତ୍ସବ,ଉଦଯାପନୀ ଉତ୍ସବରେ ମଞ୍ଚ ଦୁଲୁକାଇଲେ ଅଭିନେତ୍ରୀ ଅନୁରାଧା
ନୟାଗଡ/ଗଣିଆ ୦୨/୦୨(ମଣିଭଦ୍ରା ଖବର) ନୂଆଗାଁ କଷ୍ଟି ଡାକୁଆ ସାଂସ୍କୃତିକ ମଞ୍ଚରେ ଚାଲିଥିବା ନୂଆଗାଁ ପଞ୍ଚୁପାଣ୍ଡବ ମହୋତ୍ସବର ଉଦଯାପନୀ ଉତ୍ସବରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ଉଦଯାପନୀ ଉତ୍ସବ ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଗ୍ରହ ଭରି ରହିଥିଲା । ଅପରାହ୍ନରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ନୂଆଗାଁ ବନ୍ଦନା, ମାତୃଶକ୍ତି ନୃତ୍ୟ ଏକାଡେ଼ମୀ,କଟକ,ଆଦିତ୍ୟ ଡ୍ୟାନ୍ସ ଗ୍ରୁପ, ଭୁବନେଶ୍ୱର , ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ ତରଫରୁ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉଦଯାପନୀ ଉତ୍ସବରେ ମହୋତ୍ସବ କମିଟିର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ନୟାଗଡ ଏନ୍ ଏସି ଅଧ୍ୟକ୍ଷା ନିରୁପମା ଖଟେଇ, ବିଶିଷ୍ଟ ଅତିଥି ଭାବେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ସମ୍ମାନିତ ଅତିଥି ଭାବେ ଭାପୁର ବ୍ଳକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ଦଶପଲ୍ଲା ବ୍ଳକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଉପାଧ୍ୟକ୍ଷ ଅନୁପମା ବେହେରା, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା, ସତ୍ୟଭାମା ନାୟକ, ମହୋତ୍ସବର କାର୍ଯ୍ୟକାରୀ ସଭାପତି ଶଙ୍କର୍ଷଣ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ମହୋତ୍ସବ କମିଟି ତରଫରୁ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ନୂଆଗାଁ ଭଳି ଏକ ଅଞ୍ଚଳରେ ଏତେ ସୁନ୍ଦର ମହୋତ୍ସବ ଆୟୋଜନ କରିଥିବାରୁ ବିଧାୟକ ଶ୍ରୀ ବେହେରାଙ୍କୁ ମୁଖ୍ୟ ଅତିଥି କୃତଜ୍ଞତା ଜ୍ଞାପନ କରିଥିଲେ । ନିଜ ମାଟି ପାଇଁ ନିଜକୁ ସମର୍ପିତ କରିବାକୁ ହେଲେ ଜନସାଧାରଣଙ୍କ ପ୍ରିୟ ଭାଜନ ହେବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନୂଆଗାଁ ମହୋତ୍ସବର ଅଷ୍ଟମ ସଂସ୍କରଣକୁ ଆଶାତୀତ ସଫଳତା ପ୍ରଦାନ କରିଥିବାରୁ ସମସ୍ତ ସହଯୋଗୀଙ୍କୁ ବିଧାୟକ କୃତଜ୍ଞତା ଜ୍ଞାପନ କରିଥିଲେ । ସ୍ଥାନୀୟ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହି ମହୋତ୍ସବ ଆୟୋଜନ କରାଯାଇଥିଡା ବେଳେ ପ୍ରାୟ ୭୦ରୁ ଅଧିକ କଳାକାର ଏହି ମଞ୍ଚରେ ନିଜର କଳା ପ୍ରଦର୍ଶନ କରିଥିଲେ । ମହୋତ୍ସବ କମିଟି ତରଫରୁ କଳାକାର, ସାମ୍ବାଦିକ, ସମାଜସେବୀ ତଥା ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସିନେ ଅଭିନେତ୍ରୀ ଅନୁରାଧା ପାଣିଗ୍ରାହୀଙ୍କ ନୃତ୍ୟରେ ଦୁଲୁକି ଯାଇଥିଲା ମଞ୍ଚ । କେରେକେରା ଗୀତର ତାଳେ ତାଳେ ଯୁବଗୋଷ୍ଠୀ ମଞ୍ଚ ତଳେ ଝୁମି ଯାଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଖାଦ୍ୟ ଷ୍ଟଲରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା । ପଲ୍ଲିଶ୍ରୀ ମେଳାରେ ମହିଳା ମାନେ ଭିଡ ଜମାଇଥିଲେ । ୪ ଦିନ ଧରି ନୂଆଗାଁ ଅଞ୍ଚଳର ଯୁବଗୋଷ୍ଠୀ, ବୁଦ୍ଧିଜୀବୀ ବିଶେଷକରି ବିଧାୟକଙ୍କ ପ୍ରଚେଷ୍ଟାରେ ମହୋତ୍ସବ ଆନନ୍ଦ ଉଲ୍ଲାସରେ ଶେଷ ହୋଇଥିବା ଜଣାପଡିଛି ।
ମଣିଭଦ୍ରା ଖବର, ନୂଆଗାଁ




إرسال تعليق