ଧାନ-ଗହମରେ ବୋନସ ବନ୍ଦ କର: କେରଳ ମୁଖ୍ୟ ସଚିବକୁ କେନ୍ଦ୍ରର ଚିଠି
ଧାନ ଓ ଗହମ ଚାଷୀଙ୍କୁ ରାଜ୍ୟ ସରକାର ଦେଉଥିବା ଅତିରିକ୍ତ ବୋନସ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ସଚିବ ଭି. ବୁଅଲନାମ ଏ ସମ୍ପର୍କରେ କେରଳ ସରକାରଙ୍କ ମୁଖ୍ୟ ଶାସନ ସଚିବ ଡକ୍ଟର ଏ. ଜୟତିଲକଙ୍କୁ ଏକ ଚିଠି ଲେଖି ଅବଗତ କରାଇଛନ୍ତି। କେବଳ କେରଳ ନୁହେଁ, ଅନ୍ୟାନ୍ୟ ଯେଉଁ ରାଜ୍ୟଗୁଡ଼ିକ ଏମଏସପି (MSP) ଉପରେ ଅଧିକ ବୋନସ ଦେଉଛନ୍ତି, ସେମାନଙ୍କ ପାଇଁ ଏହା ଏକ ସତର୍କ ଘଣ୍ଟି ସଦୃଶ ହୋଇଛି।
କେନ୍ଦ୍ରୀୟ ଚିଠି ଅନୁଯାୟୀ, ଦେଶରେ ଗତ କିଛି ବର୍ଷ ଧରି ଧାନ ଓ ଗହମର ବମ୍ପର ଅମଳ ହେଉଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (PDS) ଏବଂ ବଫର ଷ୍ଟକ ପାଇଁ ଆବଶ୍ୟକ ହେଉଥିବା ପରିମାଣଠାରୁ ବହୁ ଅଧିକ ଶସ୍ୟ ଏବେ ଗଚ୍ଛିତ ରହିଛି। ଏହି ବର୍ଦ୍ଧିତ ମହଜୁଦ ସରକାରୀ କୋଷାଗାର ଉପରେ ଏକ ବଡ଼ ଆର୍ଥିକ ବୋଝ ସୃଷ୍ଟି କରୁଛି। ରାଜ୍ୟଗୁଡ଼ିକ ଅଧିକ ବୋନସ ଦେବା ଫଳରେ ଚାଷୀମାନେ କେବଳ ଧାନ ଓ ଗହମ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି, ଯାହା ସମସ୍ୟାକୁ ଦ୍ୱିଗୁଣିତ କରୁଛି।
ଚିଠିରେ ଦର୍ଶାଯାଇଛି ଯେ, ଧାନ ଓ ଗହମ ଚାଷ ପାଇଁ ପ୍ରଚୁର ଜଳ, ସାର ଓ ଅନ୍ୟାନ୍ୟ ରାସାୟନିକ ସାମଗ୍ରୀର ଆବଶ୍ୟକତା ପଡ଼ିଥାଏ। ଅତ୍ୟଧିକ ଚାଷ ଯୋଗୁଁ:
• ଭୂତଳ ଜଳସ୍ତର ହ୍ରାସ ପାଉଛି।
• ମୃତ୍ତିକାର ଉର୍ବରତା ନଷ୍ଟ ହେବା ସହ ଜୈବ ବିବିଧତା ପ୍ରଭାବିତ ହେଉଛି।
• ଅମଳ ପରେ ନଡ଼ା ପୋଡ଼ିବା ଫଳରେ ପରିବେଶ ପ୍ରଦୂଷଣ ବଢ଼ୁଛି।
ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି ଯେ, ଧାନ-ଗହମ ପରିବର୍ତ୍ତେ ଡାଲି ଜାତୀୟ ଶସ୍ୟ, ତୈଳବୀଜ ଏବଂ ମାଣ୍ଡିଆ (Millets) ଭଳି ପୁଷ୍ଟିକର ଶସ୍ୟ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉ। ଏହା ଦ୍ୱାରା ଦେଶ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର’ ହେବା ସହ ବିଦେଶରୁ ଆମଦାନୀ ଉପରେ ନିର୍ଭରଶୀଳତା କମିବ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment