ହାତୀବନ୍ଧା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ
ଜଳିଗଲା କମ୍ପ୍ୟୁଟର ଓ ଛାତ୍ରଛାତ୍ରୀଙ୍କ କାଗଜପତ୍ର
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଅଞ୍ଚଳର ଗୋକୁଳାନନ୍ଦ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କାର୍ଯ୍ୟାଳୟ କକ୍ଷରେ ଦେରରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର କାରଣ ହୋଇଛି। ପ୍ରାୟ ରାତି ୧ଟା ସମୟରେ ସଟସର୍କିଟ୍ ହେବାରୁ ନିଆଁ ଲାଗିଥିବା ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି।ସେ ସମୟରେ ଅଧ୍ୟାପକ ସୁରେନ୍ଦ୍ରନାଥ ମହାନ୍ତି କଲେଜ ପ୍ରାଙ୍ଗଣରେ ଶୋଇଥିଲେ। ନିଆଁ ବଢ଼ୁଥିବା ଦେଖି ତାଙ୍କ ନିଦ ଭାଙ୍ଗିଯାଇଥିଲା ଏବଂ ସେ ତୁରନ୍ତ ଅନ୍ୟମାନଙ୍କୁ ଫୋନ୍ କରି ସହାୟତା ଡାକିଥିଲେ। ସ୍ଥାନୀୟ ଲୋକମାନଙ୍କ ଉଦ୍ୟମରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।
ସୌଭାଗ୍ୟବଶତଃ ଏହି ଘଟଣାରେ କାହାରି ଜୀବହାନି ହୋଇନି। କିନ୍ତୁ ଅଗ୍ନିକାଣ୍ଡରେ ଦୁଇଟି କମ୍ପ୍ୟୁଟର, ଗୋଟିଏ ପ୍ରିଣ୍ଟର ସହ ଛାତ୍ରଛାତ୍ରୀଙ୍କ ଅନେକ ଦରକାରୀ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି। ଏହା କେବଳ ସାମଗ୍ରୀକ କ୍ଷତି ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଭବିଷ୍ୟତ ସହ ଜଡିତ ଗୁରୁତର ସମସ୍ୟା ଭାବେ ଦେଖାଯାଉଛି।
ସ୍ଥାନୀୟ ମହଳରେ ପ୍ରଶ୍ନ ଉଠୁଛି ଯେ, ଅନେକ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ବିଦ୍ୟୁତ ବ୍ୟବସ୍ଥା ପୁରୁଣା ଓ ଅପର୍ଯ୍ୟାପ୍ତ ଥିବା ସତ୍ତ୍ୱେ ନିୟମିତ ଯାଞ୍ଚ କାହିଁକି ହୁଏନି। ଫାୟାର ସେଫ୍ଟି ଉପକରଣ ଥିଲେ ମଧ୍ୟ ସେଗୁଡ଼ିକ କାର୍ଯ୍ୟକ୍ଷମ କି ନୁହେଁ, ତାହାର ପରୀକ୍ଷା ହେଉନଥିବା ଅଭିଯୋଗ ମଧ୍ୟ ଉଠିଛି।
ଯଦି ଏହି ଅଗ୍ନିକାଣ୍ଡ ଦିନବେଳେ ଘଟିଥାନ୍ତା, ତେବେ ପରିସ୍ଥିତି ଅଧିକ ଭୟାବହ ହୋଇପାରୁଥାନ୍ତା ବୋଲି ମତ ପ୍ରକାଶ ପାଉଛି। ଘଟଣାଟି ଶିକ୍ଷା ସଂସ୍ଥାନଗୁଡ଼ିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥାକୁ କେବଳ କାଗଜରେ ନୁହେଁ, ପ୍ରୟୋଗରେ ମଧ୍ୟ କଡାକଡି ଭାବେ ଲାଗୁ କରିବାର ଆବଶ୍ୟକତାକୁ ଉଜାଗର କରିଛି।ବିଶେଷଜ୍ଞମାନଙ୍କ ମତାନୁସାରେ ବିଦ୍ୟୁତ ଲାଇନର ନିୟମିତ ଯାଞ୍ଚ, କାର୍ଯ୍ୟକ୍ଷମ ଫାୟାର ସେଫ୍ଟି ଉପକରଣ ସ୍ଥାପନ ଓ ଆପତ୍କାଳୀନ ପରିସ୍ଥିତିରେ କରଣୀୟ ବିଷୟରେ ପ୍ରଶିକ୍ଷଣ ଦେବା ଅତ୍ୟାବଶ୍ୟକ। ସେହିପରି ଛାତ୍ରଛାତ୍ରୀଙ୍କ ଦରକାରୀ ରେକର୍ଡଗୁଡ଼ିକୁ ଡିଜିଟାଲ ଭାବେ ସଂରକ୍ଷଣ କରାଯିବା ଉପରେ ମଧ୍ୟ ଜୋର ଦିଆଯାଉଛି।
ଏହି ଘଟଣାକୁ କେବଳ ଦୁର୍ଘଟଣା ଭାବେ ଅନୁଦିଗ୍ଧ କରିବା ଠିକ୍ ନୁହେଁ। ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ସଚେତନମୂଳକ ଓ ପ୍ରତିରୋଧମୂଳକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଜୋରଦାର ହେଉଛି। ଶିକ୍ଷା ସଂସ୍ଥାନ ଭବିଷ୍ୟତ ଗଢ଼ିବାର କେନ୍ଦ୍ରବିନ୍ଦୁ ଥିବାରୁ ସେଠାରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମ୍ୟ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment