ବାଇକରୁ ଖସିପଡି ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ
ଗଣିଆ ୦୬/୦୮(ମଣିଭଦ୍ରା ଖବର) ଶଶୁର ଘରୁ ସ୍ତ୍ରୀକୁ ନେଇ ନିଜ ଘରକୁ ଆସୁଥିବା ବେଳେ ବାଟରେ ବାଇକରୁ ଖସି ପଡି ଗର୍ଭବତୀ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ । ଏନେଇ ଝିଅର ବାପା ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାରୁ ଜଣାପଡିଛି ଦୁଖାପଲ୍ଲୀ ଗ୍ରାମର ବନମାଳୀ ନାୟକଙ୍କ ପୁଅ ଉଲ୍ଲାସ ନାୟକ ଦଶପଲ୍ଲା ରାଇମଡା ଗ୍ରାମର ରବିନ୍ଦ୍ର ନାୟକଙ୍କ ଝିଅ ପାର୍ଥବୀ ନାୟକଙ୍କୁ ବିବାହ କରିଥିଲେ । ପାର୍ଥବୀ ୫ ମାସର ଗର୍ଭବତୀ ହୋଇଥିବା ବେଳେ ନିଜ ବାପ ଘରକୁ ଯାଇଥିଲେ । ଗୁରୁବାର ଅପରାହ୍ନରେ ସ୍ବାମୀଙ୍କ ସହିତ ଶାଶୁ ଘରକୁ ଫେରୁଥିବା ବେଳେ ଆଡକଟା ପାଦାସାହି ଠାରେ ବାଇକରୁ ଖସି ପଡିଥିଲେ । ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଆଡକଟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝିଅ ଶାଶୁ ଘରକୁ ଯିବାକୁ ଚାହୁଁ ନଥିବା ବେଳେ ଜ୍ବାଇଁ ଜବରଦସ୍ତ ତାକୁ ଘରକୁ ନେଇ ବାଟରେ ହତ୍ୟା କରିଥିବା ମୃତକ ଝିଅର ବାପା ଗଣିଆ ଥାନାରେ ଅଭିଯୋଗ କରିଛନ୍ତି । ଝିଅର ବାପାର ଅଭିଯୋଗକୁ ଭିତ୍ତି କରି ଗଣିଆ ପୋଲିସ ଜ୍ବାଇଁକୁ ପଚରାଉଚରା ଜାରି ରଖିଥିବା ଜଣାପଡିଛି । ତେବେ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ


Post a Comment