ଧାନ ଅମଳ ପୂର୍ବରୁ ଦଲାଲ୍ ସକ୍ରିୟ
ଛତିଶଗଡ଼କୁ ଧାନ ଚୋରାଚାଲାଣ
କଳାହାଣ୍ଡି, ଧର୍ମଗଡ, -: କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଦଣ୍ଡପାଟ ଅଞ୍ଚଳରେ ମଣ୍ଡି ଆରମ୍ଭ ପୂର୍ବରୁ ଛତିଶଗଡ଼କୁ ଧାନ ଚୋରାଚାଲାଣ ହେଉଥିବା ନଜର କୁ ଆସୁଛି। ବର୍ତ୍ତମାନ ଧାନ ଅମଳ ପ୍ରଥମ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମିରେ ପ୍ରାୟ ୫୦ ପ୍ରତିଶତ ଧାନ ପାଚି ସାରିଥିବା ବେଳେ | ଚାଷୀମାନେ ଧାନ କାଟିବା ଆରମ୍ଭ କରିଛନ୍ତି। ତେବେ ଏହାକୁ ଆଖି ଆଗରେ ରଖି ଏବେ ଅଞ୍ଚଳରେ ସକ୍ରିୟ ହୋଇପଡ଼ିଲେଣି ଦଲାଲ । ଗାଁ ଗାଁ ବୁଲି ସିଧାସଳଖ ଚାଷୀଙ୍କ ନିକଟରେ ପହଞ୍ଚି ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଛତିଶଗଡ଼ର ଧାନ ବେପାରୀଙ୍କ ପାଇଁ କାମ କରୁଛନ୍ତି ବୋଲି ଆଲୋଚନା ହେଉଛି। ଚାଷୀମାନଙ୍କ କହିବା ଅନୁସାରେ ଦଲାଲମାନେ ସିଧା ସେମାନଙ୍କ ପାଖରେ ପହଞ୍ଚି ଧାନ କ୍ଵିଣ୍ଟାଲ ପ୍ରତି ୧୪୦୦ରୁ ୧୮୦୦ ଟଙ୍କା ଦେବାକୁ ଭୁତାଉଛନ୍ତି। ନୂଆ ସରକାର ଚାଷୀ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ସେତ୍ତ୍ବେ ବି ଛତିଶଗଡ଼ର ବେପାରୀ ଓ ଦଲାଲ କିଭଳି ପ୍ରବେଶ କରି ଖୋଲାଖୋଲି ଗାଁରେ ବୁଲୁଛନ୍ତି ସେ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଅନେକ ସ୍ଥାନରେ ଧାନ ନେବାକୁ ଆସିଥିବା ଛତିଶଗଡ଼ର ଚାରିଚକିଆ ଗାଡ଼ିଗୁଡ଼ିକ ଘୂରି ବୁଲୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ପ୍ରଶାସନ ବେଳ ଥାଉ ଥାଉ ପଦକ୍ଷେପ ନ ନେଲେ ଆଗକୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ବିଶେଷ କରି ଧର୍ମଗଡ଼ ଓ କୋକସରା ବ୍ଲକ ର ଦଣ୍ଡପାଟ ଅଞ୍ଚଳରେ ଏହି ଚୋରାଚାଲାଣ ବହୁଳ ମାତ୍ରାରେ ହୋଇଥାଏ। ତେଣୁ ଛତିଶଗଡ଼ ସୀମାନ୍ତ ଧଅଁରପୁର, ପାଇକପଡ଼ା, ବେହେରାଗୁଡ଼ା, ହାତୀପଖାନ, କଦଳୀମୁଣ୍ଡା, ସେମେଲା, ପର୍ଲା ରାସ୍ତାରେ ଚେକ୍ ଗେଟ ସ୍ଥାପନ କରି ପୁଲିସ୍ ଓ ପ୍ରଶାସନିକ ଅଧିକାରୀ ନିୟୋଜିତ କରାଯିବାକୁ ଦାବୀ ହେଇଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق