ଔଷଧ ନ ଖାଇ ଜୀବନ ବିକଳରେ ତାଟିଆ କାମୁଡୁଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ।
କାର୍ଯ୍ୟରେ ଯୋଗ ଦେବାର ଚାରି ମାସ ଭିତରେ ମୁଣ୍ଡ ଟେକିଛି ଅନେକ ସମସ୍ୟା
କେନ୍ଦ୍ରାପଡା, - :
କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗରେ ଦିନକୁ ଦିନ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । ସରକାରଙ୍କ ଅନୁଶାସନକୁ ପାଳନ ନକରି ବିଭିନ୍ନ ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହୋଇଛି ଜିଲ୍ଲା ଶିକ୍ଷା ଅଫିସରେ । ବର୍ତ୍ତମାନର କାର୍ଯ୍ୟରତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ପବିତ୍ର ମୋହନ ବାରିକ ସେସବୁ ଦିଗରେ ବିଶେଷ ଧ୍ୟାନ ନଦେଇ ଔଷଧ ବଦଳରେ ତାଟିଆ କାମୁଡିବା ଭଳି ଦୃଶ୍ୟପଟ ହେଉଛି । ଅହଙ୍କ!ରରେ ବୁଡି ରହି ବିଳି ବିଳାଉଛନ୍ତି । ସାମ୍ବାଦିକ ମାନଙ୍କୁ ପଢ଼ାଉଛନ୍ତି ଆଇନ୍ ପାଠ । ମିଛ କହିବାରେ ବେଶ୍ ପାରଙ୍ଗମ ଜିଲ୍ଲା ଶିକ୍ଷା ଅଧିକାରୀ । ମହାଶୟ ସବୁବେଳେ ଗୋଟିଏ କଥା କହୁଛନ୍ତି 'ମୁଁ ପବିତ୍ର ମୋହନ ବାରିକ ଗୋଟେ ବ୍ରାଣ୍ଡ' ଏହାର ଅର୍ଥ କଣ ହୋଇପାରେ ତାକୁ ଜିଲ୍ଲାବାସୀ ବେଶ୍ ଉତ୍କୁଣ୍ଠାର ସହିତ ଜାଣିବାକୁ ଚାହିଁଛନ୍ତି । ତାଙ୍କ କାର୍ଯ୍ୟକାରିତାକୁ ନେଇ ଜିଲ୍ଲାରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ, ବିଭିନ୍ନ ପ୍ରକାରର ଦୁର୍ନୀତି, ବିବାଦୀୟ ଘଟଣା ଆଦି ମୁଣ୍ଡ ଟେକିଛି ଜିଲ୍ଲା ଶିକ୍ଷା ବିଭାଗରେ । ଦୁଇଦିନ ପୂର୍ବରୁ ଅଭିଯୋଗ ହୋଇଛି ପିଲା ମାନଙ୍କ ୟୁନିଫର୍ମ ବିତରଣରେ ମହା ଦୁର୍ନୀତି । ପ୍ରଥମେ କେନ୍ଦ୍ରାପଡା ବ୍ଲକ ଏବଂ ପରେ ଆଳି ବ୍ଲକ୍ ରୁ ଆସିଛି ସଙ୍ଗୀନ ଅଭିଯୋଗ । ଏସଏଚଜି ଗୋଷ୍ଟିଙ୍କୁ ପ୍ରାଧାନ୍ୟ ଦିଆନଯାଇ ଧନୀ ବ୍ୟବସାୟୀଙ୍କୁ ଦିଆଯାଇଛି ଟେଣ୍ଡର । ଏକ ହଳ ପିଛା ଦଶ ଟଙ୍କା କମିଶନରେ ଦୁଇଟି ବ୍ଲକରୁ ଛଅ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଛି ବୋଲି ଖବର ସାମ୍ନାକୁ ଆସିଛି । ଅତି ନିମ୍ନ ମାନର କପଡା ମଧ୍ୟ ଛାତ୍ର ଛାତ୍ରୀଙ୍କୁ ବିତରଣ କରାଯାଉଛି । ଏନେଇ ଆଳି ବ୍ଲକ ଅଞ୍ଚଳରୁ ଚାଳିଶ ଜଣରୁ ଉର୍ଦ୍ଧ ଲୋକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଫିସ୍ ସମ୍ମୁଖରେ ହୋହାଲ୍ଲା କରିବା ସହ ତିଆରି ୟୁନିଫର୍ମ ଗୁଡ଼ିକୁ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ । ସେଠାରେ ଉପସ୍ଥିତ କିଛି ସାମ୍ବାଦିକ ସେମାନଙ୍କୁ ଅଟକାଇ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ । ସେହିପରି ଆଉ ଜଣେ ଶିକ୍ଷା ବିଭାଗର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁମାର କୁଣ୍ଡୁ କେନ୍ଦ୍ରାପଡା ଟାଉନ୍ ହାଇସ୍କୁଲରେ ଥିବା ସମୟରେ ତାଙ୍କୁ କୌଣସି କାରଣରୁ ଚାକିରୀରୁ ନିଲମ୍ବନ କରାଯାଇଥିଲା । ନିଲମ୍ବନର ଚାରି ମାସ ପରେ ତାଙ୍କୁ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲରେ ପୁନଃ ନିଯୁକ୍ତି ମିଳିଥିଲା । ନିଯୁକ୍ତି ହେବାର ଛଅ ମାସ ଭିତରେ ବିଭାଗୀୟ ତଦନ୍ତ ସରିବାର ନିୟମ ରହିଛି । କିନ୍ତୁ ବର୍ଷେରୁ ଉର୍ଦ୍ଧ ସମୟ ବିତିଯାଇଥିଲେ ତାହାର ସମାଧାନ ହୋଇନପାରି ସମସ୍ୟା ବଢ଼ିଚାଲିଛି । ଦୁଇ ଦିନ ପୂର୍ବରୁ ଅଫିସ୍ ପରିସରରେ ଉଭୟ ପକ୍ଷ ହାଜର ହୋଇ ତଦନ୍ତ ହୋଇଥିଲା । ତଦନ୍ତ ପରେ ସନ୍ତୋଷ ଙ୍କ ପତ୍ନୀ ଡିଇଓ ଙ୍କୁ ଭେଟି ଗୁହାରୀ କରିଥିଲେ । କିନ୍ତୁ ଡିଇଓ ପ୍ରଥମେ ଜଣେ ମହିଳାଙ୍କୁ ବସିବା ପାଇଁ ସିଟ ନଦେଇ ଦୀର୍ଘ ସମୟ ଧରି ତାଙ୍କ ସହିତ ଯୁକ୍ତି ତର୍କ କରିଥିଲେ । ଯାହା ଶିକ୍ଷା ବ୍ୟବସ୍ଥାରେ ଏହା ଶୋଭନୀୟ ନୁହେଁ । ସେହିପରି ରାଜକନିକା ଅଞ୍ଚଳରୁ ଜଣେ ଚାକିରୀ ସମ୍ବନ୍ଧୀୟ ଅଭିଯୋଗ ନେଇ ଦୀର୍ଘ ଏଗାର ବର୍ଷ ଧରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ଦୌଡୁଛି । ସେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି ଅଫସକୁ ଆସିଲେ ବର୍ତ୍ତମାନର ଡିଇଓ ଶ୍ରୀ ବାରିକ ନନସେନ୍ସ, ଇଡିଅଟ କହି ଗାଳି ଦେଉଛନ୍ତି ଓ ପିଅନକୁ ଲଗାଇ ଧକ୍କା, ତଣ୍ଟିଆ ମାରି ବିଦା କରିଦେଉଛନ୍ତି । ସେହିପରି କେନ୍ଦ୍ରାପଡା ବ୍ଲକ ଶ୍ୟାମସୁନ୍ଦରପୁର ନୋଡାଲ ହାଇସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀ ବିନା ଛୁଟି ଦରଖାସ୍ତରେ ତିନି ମାସ କାଳ ଅନ୍ତର୍ଦ୍ଧାନ ହୋଇଗଲେ । ଏ ସଂକ୍ରାନ୍ତରେ ବାରମ୍ବାର ଖବର ପ୍ରସାରଣ କରାଗଲା କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଲାନାହିଁ । ଓଲଟି ଡିଇଓ ସାମ୍ବାଦିକଙ୍କୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଲେ ଯେ ଜଣେ ସରକାରୀ କର୍ମଚାରୀ ବିନା ଦରଖାସ୍ତରେ ପାଞ୍ଚ ବର୍ଷ ଛୁଟିରେ ରହିପାରିବ ଓ ପରେ ମେଡିକାଲ ସାର୍ଟିଫିକେଟ ଦେଇ କାର୍ଯ୍ୟ କରିପାରିବ । ଯାହାକୁ ନେଇ ଜିଲ୍ଲାରେ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق