BREAKING
Loading...
:

୩ ଦିନରେ ହେବ ଜିଏସ୍‌ଟି ପଞ୍ଜୀକରଣ

 ୩ ଦିନରେ ହେବ ଜିଏସ୍‌ଟି ପଞ୍ଜୀକରଣ




ଭୁବନେଶ୍ୱର,-: କେନ୍ଦ୍ର ସରକାର ନଭେମ୍ବର ପହିଲାରୁ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ପାଇଁ ଏକ ନୂଆ ଓ ସରଳ ପଞ୍ଜୀକରଣ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ, ନୂଆ ଆବେଦନକାରୀମାନଙ୍କୁ କେବଳ ୩ କାର୍ଯ୍ୟ ଦିବସ ଭିତରେ ଅନୁମତି ମିଳିଯିବ। ସରକାରଙ୍କ ଦ୍ୱାରା ଅଣାଯାଇଥିବା ଜିଏସ୍‌ଟି ସଂସ୍କାର ଅଧୀନରେ ଜିଏସ୍‌ଟି ପରିଷଦ ଏହାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନୂଆ ବ୍ୟବସ୍ଥା ଫଳରେ ପଞ୍ଜୀକରଣ ପ୍ରକ୍ରିୟା ପୂର୍ବାପେକ୍ଷା ସରଳ ହେବ । ନୂଆ ନିୟମ ଅନୁଯାୟୀ,୨ ପ୍ରକାର ଆବେଦନକାରୀମାନଙ୍କୁ ସ୍ବୟଂଚାଳିତ ଭାବେ ପଞ୍ଜୀକରଣ ମିଳିପାରିବ। ପ୍ରଥମେ ସିଷ୍ଟମ ଦ୍ୱାରା ଡାଟା ଓ ରିସ୍କ ବିଶ୍ଳେଷଣ ଆଧାରରେ ଚୟନ ହୋଇଥିବା ବ୍ୟକ୍ତିମାନେ ଏବଂ ଦ୍ୱିତୀୟରେ, ଯେଉଁମାନଙ୍କର ମାସିକ କର ଦେୟ (ଆଉଟପୁଟ ଟ୍ୟାକ୍ସ) ୨.୫ ଲକ୍ଷ ଟଙ୍କାରୁ କମ୍‌ ରହୁଛି ସେମାନେ ଏହି ସେବା ପାଇପାରିବେ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅନୁଯାୟୀ, ଏହି ନୂଆ ପ୍ରକ୍ରିୟା ଫଳରେ ପ୍ରାୟ ୯୬ ପ୍ରତିଶତ ନୂଆ ଆବେଦନକାରୀଙ୍କୁ ସିଧାସଳଖ ଲାଭ ମିଳିବ। ଗାଜିଆବାଦରେ ନୂଆ ସିଜିଏସ୍‌ଟି ଭବନର ଉଦ୍‌ଘାଟନ କରିବା ପରେ ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ବର୍ତ୍ତମାନ ନୀତି ନିର୍ମାଣ ପରିବର୍ତ୍ତେ ସ୍ଥାନୀୟ ସ୍ତରରେ ନୀତିଗୁଡ଼ିକର ଠିକ୍‌ କାର୍ଯ୍ୟାନ୍ବୟନ ଉପରେ ଧ୍ୟାନ ଦେଉଛନ୍ତି। ସେ ରାଜ୍ୟ ଓ କେନ୍ଦ୍ରୀୟ ଜିଏସ୍‌ଟି ୟୁନିଟ୍‌ଗୁଡ଼ିକୁ ଅନୁରୋଧ କରିଛନ୍ତି, କୌଣସି ଦ୍ୱନ୍ଦ୍ୱରେ ନ ପଡ଼ି ନୂଆ ନୀତିଗୁଡ଼ିକ ଅନୁଯାୟୀ କାର୍ଯ୍ୟ କରନ୍ତୁ ଏବଂ ନୂଆ ନିୟମଗୁଡ଼ିକୁ ଲାଗୁ କରନ୍ତୁ। ସେହିପରି ପ୍ରଶାସନ କରଦାତାଙ୍କ ପ୍ରତି ସମ୍ମାନଭାବ ରଖିବା ଉଚିତ ଏବଂ କର ଚୋରି ବିରୋଧରେ କଡ଼ା ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି, ଆୟକର ରିଟର୍ନ ଭରିବା ପ୍ରକ୍ରିୟାକୁ ମଧ୍ୟ ସରଳ କରାଯାଇଛି। ଏଥିପାଇଁ ସ୍ବୟଂଚାଳିତ ରିଫଣ୍ଡ ଓ ରିସ୍କ-ଆଧାରିତ ଅଡିଟ ସିଷ୍ଟମ ଆରମ୍ଭ କରାଯାଇଛି। ଦେଶବ୍ୟାପୀ ଜିଏସ୍‌ଟି ସେବା କେନ୍ଦ୍ରଗୁଡ଼ିକରେ ପର୍ଯ୍ୟାପ୍ତ ସଂଖ୍ୟକ କର୍ମଚାରୀ ରହିବା ଉପରେ ମଧ୍ୟ ସେ ଜୋର୍‌ ଦେଇଛନ୍ତି, ଯାହା ଦ୍ୱାରା ସାଧାରଣ ନାଗରିକଙ୍କୁ ଜିଏସ୍‌ଟି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସହଜରେ ସମାଧାନ ମିଳିପାରିବ। ପ୍ରତ୍ୟେକ ଜିଏସ୍‌ଟି କେନ୍ଦ୍ରରେ କରଦାତାଙ୍କ ସହାୟତା ପାଇଁ ହେଲ୍ପଡେସ୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS