ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା
ଗଣିଆ (ମଣିଭଦ୍ରା ଖବର) ମହାନଦୀରେ ବନ୍ୟା ଯୋଗୁଁ ଗଣିଆ ବ୍ଲକର ହଜାର ହଜାର ଜନସାଧାରଣ ପାଣି ଘେରରେ ରହିଥିଲେ । ବ୍ଳକର ୩ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଯାଇଛି । ତେବେ ରବିବାର ବିଧାୟକ ରମେଶ ଚନ୍ଦ୍ର ବେହେରା ବନ୍ୟା ପ୍ରପୀଡିତ ଜନସାଧାରଣଙ୍କୁ ଭେଟି ସେମାନଙ୍କ ସୁଖ ଦୁଃଖରେ ସାମିଲ ହୋଇଛନ୍ତି । ବିଧାୟକ ଶ୍ରୀ ବେହେରା ଓ୍ବାଲିପୁର,ରାସଙ୍ଗ, କାଦୁଆ, ବସନ୍ତପୁର, ହଟିଆପଲ୍ଲୀ,ପାଣ୍ଡରାସିଙ୍ଗା ଆଦି ଗ୍ରାମ ବୁଲି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ ।
ଅନେକ ଚାଷଜମି ନଷ୍ଟ ହେବା ସହିତ ପନିପରିବା ଚାଷ ନଷ୍ଟ ହୋଇଯାଇଥିବା ଜନସାଧାରଣ ବିଧାୟକଙ୍କୁ ଜଣାଇଥିଲେ । ଏପରିକି ବନ୍ୟା ପରେ ବି ସ୍ବାସ୍ଥ୍ୟ ବିଭାଗ କିମ୍ବା ପ୍ରାଣୀ ଚିକିତ୍ସାଳୟ ଅଧିକାରୀ କେହି ବି ଆସିନଥିବା ସେମାନେ ପ୍ରକାଶ କରିଛନ୍ତି । କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ । ବିଧାୟକଙ୍କ ସହିତ ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ, ବରିଷ୍ଠ ନେତା ପ୍ରଦୀପ କୁମାର ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ପୂର୍ବତନ ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବେହେରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର, ଗଣିଆ




إرسال تعليق